ସୁନ୍ଦର ଗପଟିଏ…

“ବଢ଼ି ଆସୁଛି ଆପଣ ମାନେ ଦୟାକରି ଯଥାଶୀଘ୍ର ନିକଟସ୍ଥ ଉଚ୍ଚ ସ୍ଥାନକୁ ଚାଲି ଯାଆନ୍ତୁ ” ବାରମ୍ବାର ହେଉଥିବା ସରକାରୀ ଘୋଷଣା ଶୁଣି ପୁରା ଗାଁର ଲୋକେ ସଜାଗ ହୋଇଗଲେ ! ଅବିଳମ୍ବେ ସମ୍ପୂର୍ଣ ଗାଁ ଖାଲି ହୋଇଗଲା ! ଯେ ଯାହା ପାରିଲା ସାଙ୍ଗରେ ନେଇ ଉଚ୍ଚ ସ୍ଥାନକୁ ଚାଲି ଗଲେ ! କିନ୍ତୁ ଗଲେ ନାହିଁ ଗାଁ ମନ୍ଦିର ପୂଜକ ହରି ନନା ! ସମସ୍ତେ ବୁଝାସୁଝା କଲେ ବି ସେ ମାନିଲେ ନାହିଁ କହିଲେ “ମୁଁ ପ୍ରଭୁଙ୍କ ପାଦତଳେ ତାଙ୍କରି ସେବାରେ କଟାଇ ଦେଇଛି ମୋର ଦୃଢ ବିଶ୍ୱାସ ସେ ମୋର ରକ୍ଷା କରିବେ ! ଏଇ ପାଣି ମୋର କଣ କରିବ ? ପୁଣି ମନ୍ଦିର ତ ଉଚ୍ଚ ସ୍ଥାନରେ ଅଛି !” ନିଜେ ଯିବା ଆଗରୁ ଶେଷ ଥର ପାଇଁ ବୁଝାଇ ଦେଖିଥିଲେ ସରପଞ୍ଚ ହେଲେ ମାନି ନ ଥିଲେ ହରି ନନା ! ପାଣି ବଢ଼ି ଚାଲିଥିଲା ! ଧୀରେ ଧୀରେ ମନ୍ଦିର ପାହାଚ ଡେଉଁଥିଲା ପାଣି ! ସେତେବେଳେ ଏକ ଉଦ୍ଧାରକାରୀ ଦଳ ଡ଼ଙ୍ଗା ନେଇ କି ଆସିଥିଲେ ମନ୍ଦିର ପାଖକୁ ହେଲେ ସେମାନଙ୍କୁ ବି ସମାନ ଜବାବ ଦେଇ ଠାକୁରଙ୍କ ପିଣ୍ଡି ଉପରକୁ ଚଢ଼ି ଯାଇଥିଲେ ନନା ! ଘୋ ଘୋ ଗର୍ଜନ ସହ ମାଡି ଆସୁଥିବା ପାଣି କେତେବେଳୁ ମନ୍ଦିରର ତିନି ଚତୁର୍ଥାଂଶକୁ ବୁଡାଇ ସାରିଥିଲା ! ମନ୍ଦିରର ଅଁଳାବେଢା ଉପରେ ଠିଆ ହୋଇ ଠାକୁରଙ୍କୁ ଆକୁଳ ପ୍ରାର୍ଥନା କରୁଥିଲେ ନନା ! ଠିକ ସେତେବେଳେ ଏକ ହେଲିକେପ୍ଟରରେ ଆସିଥିବା ଏକ ଉଦ୍ଧାରକାରୀ ଦଳଙ୍କ ନଜର ନନାଙ୍କ ଉପରେ ପଡିଥିଲା ହେଲେ ସେଇ ସମାନ କଥା ନନାଙ୍କର “ମୋ ଠାକୁର ମୋତେ ରକ୍ଷା କରିବେ । ପାଣି ଆଉ ବଢ଼ିବନି ! ମୋର ଦୃଢ ବିଶ୍ୱାସ ଅଛି” କହି ସେମାନଙ୍କ ସହ ମଧ୍ୟ ଯାଇ ନ ଥିଲେ ନନା ! କିନ୍ତୁ ନନାଙ୍କ ଆଶା ନିରାଶାରେ ପରିଣତ ହୋଇଥିଲା ! ଏକ ବିରାଟ ଲହଡି ଆସି ଭସାଇ ନେଇଥିଲା ନନାଙ୍କୁ ଆଉ ଛେଚି ଦେଇଥିଲା ସାମ୍ନା ପାହାଡ଼ରେ ! ସେଇଠାରେ ହିଁ ପ୍ରାଣ ହରାଇଲେ ନନା ! ସାଙ୍ଗେ ସାଙ୍ଗେ ନନାଙ୍କ ଆତ୍ମାକୁ ହାଜର କରାଗଲା ଭଗବାନଙ୍କ ନିକଟରେ ! ଏକ ଉଚ୍ଚ ଆସନରେ ବସିଥିଲେ ପ୍ରଭୁ ଚକ୍ରଧର ! ମୁଖମଣ୍ଡଳର ଶୋଭାବର୍ଦ୍ଧନ କରୁଥିଲା ଧାରେ ହସ ! ଧୂପ ଗୁଗୁଲର ବାସ୍ନାରେ ଚହଟି ଉଠୁଥିଲା ସ୍ଥାନଟି ! ପ୍ରବଳ କ୍ରୋଧରେ ଜର୍ଜରିତ ଥିଲେ ନନା । କହିଲେ, “ପ୍ରଭୁ ମୁଁ ତ ଆପଣଙ୍କ ଭକ୍ତ ଥିଲି ! ଆପଣଙ୍କୁ ଅଗାଧ ବିଶ୍ୱାସ କରୁଥିଲି ତେବେ କାହିଁକି ମୋର ଏ ଦଶା ହେଲା ପ୍ରଭୁ ? ଆପଣ ଆସିଲେନି କାହିଁକି ? ନନାଙ୍କ କଥା ଶୁଣି ହସିଥିଲେ ପ୍ରଭୁ କହିଲେ, “ନା ବତ୍ସ ମୁଁ ତ ଆସିଥିଲି ହେଲେ ତୁମେ ମୋତେ ଚିହ୍ନି ପାରିଲ ନାହିଁ ! ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲେ ନନା ଭାବୁଥିଲେ କାହିଁ ସେ ତ ଜାଣି ପାରିଲେନି ! ହେଲେ ପ୍ରଭୁ କହୁଥିଲେ, ମୁଁ ଆସିଥିଲି ସରପଞ୍ଚ ରୂପରେ, ଉଦ୍ଧାରକାରୀ ରୂପରେ ଡଙ୍ଗା ତଥା ହେଲିକେପ୍ଟର ନେଇ କିନ୍ତୁ ତୁମେ ତ ଚିହ୍ନିବାକୁ ଚେଷ୍ଟା ହିଁ କଲନି ! ସବୁକଥା ମନେ ପଡିଯାଉଥିଲା, କାନମୁଣ୍ଡା ଆଉଁସୁ ଥିଲେ ନନା ! ଆଜିର ସ୍ଥିତି ବି ଠିକ ଏମିତି ଅଛି ! ଆମେ ସମସ୍ତେ ଅଛୁ ନନାଙ୍କ ସ୍ଥାନରେ ହେଲେ ଜଗନ୍ନାଥ ନିଜେ ଆସି ତ ଆମକୁ ଉଦ୍ଧାର କରିବେନି ! ସେଥିପାଇଁ ସେ ସରକାର, ପ୍ରଶାସନ ତଥା ଡାକ୍ତର ଗଣଙ୍କୁ କାମରେ ଲଗାଇଛନ୍ତି ଏଇ କରୋନା ଆତଙ୍କକୁ ପ୍ରତିହତ କରିବା ପାଇଁ ! ଆଜିକା ଦିନରେ ସେମାନେ ଭଗବାନଙ୍କ ପ୍ରତିନିଧି ! ତାଙ୍କ କଥାକୁ ଭଗବାନଙ୍କ ନିର୍ଦେଶ ଭାବି ପାଳନ କଲେ ହିଁ ଆମର କଲ୍ୟାଣ ହେବ ।

ଲେଖକ – ପ୍ରମୋଦ କୁମାର ପଣ୍ଡା