ସାହାଯ୍ୟର ହାତ ବଢାଇ ଏଟିଏମ କାର୍ଡ଼ ବଦଳାଇ ୬ଲକ୍ଷ ଟଙ୍କା ଠକି ନେଇ ଯାଇଥିବା ଅଭିଯୋଗ…

ଛତ୍ରପୁର (ସମୃଦ୍ଧ ଓଡିଶା) ଜଣେ ବରିଷ୍ଠ ନାଗରିକଙ୍କୁ ଏଟିଏମ୍‌ରୁ ଟଙ୍କା ଉଠାଣ ସମୟରେ ସାହାଯ୍ୟର ହାତ ବଢାଇ ୬ଲକ୍ଷ ଟଙ୍କା ଠକି ନେଇ ଯାଇଥିବା ଅଭିଯୋଗ ହୋଇଛି । ଏହି ଠକାମିର ଶିକାର ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ହଂସପୁର ଗାଁରେ ନିତେଇ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଗତ ମାସ ୨୬ତାରିଖ ଦିନ ବଡ଼ମାଧପୁର ଗାଁରେ ଥିବା ଏଟିଏମ୍ ନିକଟକୁ ଟଙ୍କା ଉଠାଇବାକୁ ଯାଇଥିଲେ । ସେ ପ୍ରଥମେ ୧୦ହଜାର ଟଙ୍କା ଉଠାଣ କରିଥିଲେ କିନ୍ତା ତାହା ବାହାରି ନଥିଲା । ତେବେ ଏଟିଏମ୍‌ ନିକଟରେ ଉପସ୍ଥିତ ଥିବା ଜଣେ ଲୋକ ମେସିନ୍‌ରୁ ଥରକେ ୧୦ହଜାର ଟଙ୍କା ବାହାରିବ ନାହିଁ ବୋଲି କହିଥିଲେ, ପରେ ତାଙ୍କୁ ଟଙ୍କା ଉଠାଣରେ ସହଯୋଗ କରିଥିଲେ । ପ୍ରଥମେ ୯୫୦୦, ଦ୍ୱିତୀୟ ଥର ୯୫୦୦, ପରେ ୧୦୦୦ ଆଉ ସର୍ବମୋଟ ତାଙ୍କୁ ୨୦ହଜାର ଟଙ୍କା ଉଠାଣରେ ସହଯୋଗ କରିଥିଲେ । ଏହି ସମୟ ମଧ୍ୟରେ ସଂପୃକ୍ତ ବ୍ୟକ୍ତିଜଣଙ୍କ କାର୍ଡ ବଦଳାଇଥିଲେ । ହରିହର ମାଝୀ ଲେଖା ଥିବା ଏଟିଏମ୍‌ କାର୍ଡ ଦେଇ ଅଦଳବଦଳ କରି ଦେଇଥିଲେ । କିନ୍ତୁ ନୀତେଇ ଏହା ଜାଣି ପାରିନଥିଲେ । ସେପଟେ କାର୍ଡ ବଦଳାଇଥିବା ବ୍ୟକ୍ତି ଜଣଙ୍କ ଲଗାତର ଭାବେ ନୀତେଇଙ୍କ ଆକାଉଣ୍ଟରୁ ଟଙ୍କା ଉଠାଣ କରି ଚାଲିଥିଲେ । ଏପରିକି ସୁନା ଦୋକାନୀରୁ ୨୭ ତାରିଖରେ ୪୫ହଜାର ୩ଶହ ଏବଂ ୨୯ରେ ୪୯ ହଜାର ୫ଶହ ଟଙ୍କାର ସୁନା ମଧ୍ୟ କିଣିଛନ୍ତି । ନୀତେଇ ଚଳିତ ମାସ ୭ତାରିଖରେ ଟଙ୍କା ଉଠାଣ ପାଇଁ ଯିବା ପରେ ତାଙ୍କ ଏଟିଏମ କାର୍ଡ ବଦଳି ଥିବା ଜାଣିବାକୁ ପାଇଥିଲେ । ଏହା ପରେ ସେ ଛତ୍ରପୁର ଷ୍ଟେଟ ବ୍ୟାଙ୍କକୁ ଆସି ପାସବୁକ ଅପଡେଟ କରିବା ପରେ ତାଙ୍କ ଖାତାରୁ ୬ଲକ୍ଷ ୪ ହଜାର ୮ଶହ ଟଙ୍କା ଉଠାଣ ହୋଇଥିବା ଜାଣିବାକୁ ପାଇଥିଲେ । ସେ ଚାକିରି କରିବା ସହ ଅବସର ପରେ ପୁଅ ବାହାଘର ପାଇଁ ଖାତାରେ ୮ ଲକ୍ଷ ଟଙ୍କା ରଖିଥିଲେ ବୋଲି କହିଛନ୍ତି । ଏଟିଏମରେ ଟଙ୍କା ଉଠାଣ ସମୟରେ ତାଙ୍କ ନିକଟରେ ଥିବା ଲୋକ ଜଣକ ମାସ୍କ ପିନ୍ଧି ଥିବାରୁ ସେ ତାକୁ ଜାଣିନଥିବା କହିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା