ବିଜୁ ସ୍ମାରକୀ ଫୁଟବଲ ଟୂର୍ଣ୍ଣାମେଣ୍ଟ ମାର୍ଚ୍ଚ୨୪ରୁ ୨୭ : ପୂର୍ବ ପ୍ରସ୍ତୁତିର ତଦାରଖ କଲେ ଜିଲ୍ଲାପାଳ ଓ ବିଧାୟକ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ସହଯୋଗ, ବିଜୁ ସ୍ମାରକୀ କମିଟି ଓ ୟୁରୋ ସ୍କୁଲର ମିଳିତ ଆନୁକୁଲ୍ୟରେ ମାର୍ଚ୍ଚ ୨୪ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ ବିଜୁ ସ୍ମାରକୀ ଫୁଟବଲ୍ ଟୂର୍ଣ୍ଣାମେଣ୍ଟ ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଖେଳ ସ୍ଥାନୀୟ ପୋଲିସ୍ ପଡିଆ ଠାରେ ଅନୁଷ୍ଠିତ କରାଯିବ । ଏଥିରେ ରାଜ୍ୟର ୮ଟି ଦଳ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ଥିବାବେଳେ ପ୍ରଥମ ଦିବସରେ ଗଞ୍ଜାମ ଓ କୋରାପୁଟ ମଧ୍ୟରେ ମୁକାବିଲା ହେବ । ଏଥି ନିମନ୍ତେ ଆଜି ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ସ୍ଥାନୀୟ ପୋଲିସ୍ ପଡିଆରେ ପହଞ୍ଚି ସମସ୍ତ କାର୍ଯ୍ୟର ତଦାରଖ କରିବା ସହ ବିଜୁ ସ୍ମାରକୀ କମିଟିର ସଦସ୍ୟ ଏବଂ କ୍ରୀଡାବିତ୍ ମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଏହି ଅବସରରେ କମିଟିର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ଦାସ, ଉପସଭାପତି ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଟି. ଚନ୍ଦ୍ର ଶେଖର ରାଓ, ନବୀନ ବନ୍ଦ୍ର ବେହେରା ଓ ପୂର୍ଣ୍ଣ ଚନ୍ଦ୍ର ବେହେରା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ ଧନଜଂୟ ରେଡ୍ଡି, କମିଟିର କୋଷାଧ୍ୟକ୍ଷ ବି.ରାଜିବାବୁ, କମିଟିର ସାଙ୍ଗଠନିକ (ସାଧାରଣ) ସମ୍ପାଦକ ଡି. ଗଣେଷ ରାଓ, ସମାଜସେବୀ ଏ.ରାବଣା ରାଓ, କ୍ରୀଡାବିତ୍ ବାଦଲ କୁମାର ପାଣ୍ଡିଙ୍କ ସମେତ କମିଟିର ବହୁ ସଦସ୍ୟ ଓ କ୍ରୀଡାବିତ୍ ମାନେ ଉପସ୍ଥିତ ରହିଥିଲେ ।