ପୌର କର୍ମଚାରୀଙ୍କ ନିର୍ଦେଶ : ଭିତରେ ଖୋଲ ନ ହେଲେ ଭତ୍ତା ବନ୍ଦ….

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ପୌରସଂସ୍ଥା କର୍ମଚାରୀଙ୍କ ମନମୁଖୀ ଶାସନ ଯୋଗୁଁ ସାଧାରଣ ଜନତା କିଭଳି ହଇରାଣ ହରକତ ହେଉଛନ୍ତି ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି । ବ୍ରହ୍ମପୁର ପୌର ସଂସ୍ଥା ବଣ୍ଟନ କରୁଥିବା ବାର୍ଦ୍ଧକ୍ୟ, ବିଧବା ଆଦି ଭତ୍ତା ପ୍ରଦାନ ପାଇଁ ସିଧାସଳଖ ବ୍ୟାଙ୍କ ଏକାଉଣ୍ଟରେ ଜମା ପାଇଁ ସରକାରୀ ନିର୍ଦେଶ ନାମା ରହିଥିବାରୁ ହିତାଧିକାରୀ ଯେ କୌଣସି ଜାତୀୟକରଣ ବ୍ୟାଙ୍କରେ ଖାତା ଖୋଲି ଏକାଉଣ୍ଟ ନମ୍ବର ସମ୍ପୃକ୍ତ ପୌର କର୍ମଚାରୀଙ୍କୁ ଦେବା ବିଧେୟ । କିନ୍ତୁ ବ୍ରହ୍ମପୁର ପୌର କର୍ମଚାରୀ ପୌର କାର୍ଯ୍ୟାଳୟ ଭିତରେ ଥିବା ବ୍ୟାଙ୍କରେ ଖାତା ନ ଖୋଲିଲେ ଭତ୍ତା ଦିଆଯିବ ନାହିଁ ବୋଲି ବାଧ୍ୟ କରୁଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଯେଉଁ ମାନେ ବ୍ୟାଙ୍କ ଖାତା ପୌର କାର୍ଯ୍ୟାଳୟ ବାହାରେ ଖାତା ଖୋଲି ସାରିଛନ୍ତି ସେମାନଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ବିଭନ୍ନ ସଂସ୍ଥା ଯଦି ସେମାନଙ୍କ କ୍ୟାମ୍ପସ ଭିତରେ ଥିବା ବ୍ୟାଙ୍କରେ ଖାତା ଖୋଲିବାକୁ ବାଧ୍ୟ କରନ୍ତି ତେବେ ଲୋକଙ୍କ ପାଖରେ ଖାତା ସଂଖ୍ୟା ବଢିଯିବ ବୋଲି ସେମାନେ ଅଭିଯୋଗ କରିବା ସହ ସର୍ବନିମ୍ନ ଅର୍ଥରାଶି ଖାତାରେ ରଖିବାକୁ ବାଧ୍ୟ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ପୌର କାର୍ଯାଳୟ ଭିତରେ ଥିବା ବ୍ୟାଙ୍କରେ ଖାତା ଖୋଲିବା ପାଇଁ ଟାଳଟୁଳ ନୀତି ଗ୍ରହଣ କରୁଥିବାରୁ ହିତାଧିକାରୀମାନେ ବିଭିନ୍ନ ସମସ୍ୟାର ସମୁଖୀନ ହେବାକୁ ପଡୁଛି ବୋଲି ଅଭିଯୋଗ ହେଉଛି । ଖାତା ଖୋଲିବା ଓ ଟଙ୍କା ଉଠାଣରେ କୁଆଡେ ସଂପୃକ୍ତ ବାବୁଙ୍କୁ କମିସନ ଦିଅନ୍ତି ବୋଲି ଅଭିଯୋଗ ହେଉଛି । ଏହା ଯଦି ସତ୍ୟ ତାହାହେଲେ ସାଙ୍ଘାତିକ । ଉଚ୍ଚସ୍ଥରୀୟ ତଦନ୍ତ କରାଯିବା ଆବଶ୍ୟକ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା