ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ୧୭ ତାରିଖରୁ ୟୁଟ୍ୟୁବ୍‌ ମାଧ୍ୟମରେ ଶିକ୍ଷାଦାନ…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ଆଜି ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ଯେ, ୧୭ ତାରିଖରୁ ୟୁଟ୍ୟୁବ୍‌ ମାଧ୍ୟମରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ସକାଳ ସାଢ଼େ ୧୦ଟାରୁ ଅପରାହ୍ଣ ୧ଟା ମଧ୍ୟରେ ଶିକ୍ଷାଦାନ କରାଯିବ । ଏହାସହ ସବୁ ଜିଲ୍ଲାର ଡିଇଓମାନଙ୍କୁ ବିଷୟ ବସ୍ତୁ ସ୍ଥିର କରିବାକୁ କୁହାଯାଇଛି । ୧୮ ତାରିଖରେ ଡିଇଓମାନଙ୍କର ଏକ ବୈଠକ ରଖାଯାଇଛି । ୩୦ଟି ଯାକ ଜିଲ୍ଲାର ଡିଇଓ ଏଥିରେ ସାମିଲ ହେବେ । ୟୁଟ୍ୟୁବ ମାଧ୍ୟମରେ ଶିକ୍ଷାଦାନ ସଂପର୍କିତ ପ୍ରସ୍ତୁତି ଓ କରୋନା ସହିତ ପିଲାମାନଙ୍କୁ କିପରି ପାଠପଢ଼ା ଯାଇପାରିବ ସେ ସଂପର୍କରେ ବୈଠକରେ ଆଲୋଚନା କରାଯିବ । ଏଥିସହ ଆମ ପାଖରେ ଯାହା ସାମର୍ଥ୍ୟ ଓ ସମ୍ଭାବନା ରହିଛି, ତାକୁ ବ୍ୟବହାର କରି ୧୭ ତାରିଖରୁ ୟୁଟ୍ୟୁବରେ ପାଠ ପଢ଼ାଇବା ପାଇଁ ନିଷ୍ପତ୍ତି ନେଇଛୁ । ନବମ ଓ ଦଶମ ଶ୍ରେଣୀର ସଂଖ୍ୟାଧିକ ପିଲାଙ୍କ ପାଖରେ ପହଞ୍ଚିପାରିବୁ ବୋଲି ବିଶ୍ୱାସ ରଖି ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛୁ । ସେ ଆହୁରି କହିଛନ୍ତି, ସ୍କୁଲ୍ କେବେ ଖୋଲିବ, ଏବେ କିଛି କହି ହେବ ନାହିଁ । ଥାର୍ଡ ୱେଭ୍ ଆସିବ ବୋଲି କୁହାଯାଉଛି । ତେଣୁ ସ୍ଥିତିକୁ ଦେଖି ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଜୁନ ଶେଷ ସପ୍ତାହ ସୁଦ୍ଧା ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ । ଠିକ୍‌ ଭାବେ ମୂଲ୍ୟାୟନ କାର୍ଯ୍ୟ ଚାଲିଛି । ତେଣୁ ଆଶା କରାଯାଉଛି ନିର୍ଦ୍ଧାରିତ ସମୟ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ । ଯୁକ୍ତ ଦୁଇ ରେଜଲ୍ଟ ନେଇ ମଧ୍ୟ ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଯୁକ୍ତ ଦୁଇର ମୂଲ୍ୟାୟନ ପ୍ରକ୍ରିୟା ନେଇ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି । କେମିତି ମୂଲ୍ୟାୟନ କରାଯିବ ତାହା ଏହି ବିଶେଷଜ୍ଞ କମିଟି ସ୍ଥିର କରିବ । ବିଶେଷଜ୍ଞ କମିଟି ଏପର୍ଯ୍ୟନ୍ତ କିଛି ରିପୋର୍ଟ ଦେଇ ନାହିଁ । ରିପୋର୍ଟ ଆସିବା ପରେ ସେ ନେଇ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି ।