ଦେଶରେ କରୋନା ଭୁତାଣୁ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସୋନିଆଙ୍କ ଚିନ୍ତା ବଢିଛି…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ବିଶ୍ୱକୁ ଆତଙ୍କ କରୁଥିବା ମହାମାରୀ କରୋନା ଦେଶରେ ଏହାର ସଂକ୍ରମଣକୁ ନେଇ ଘୋର ଉଦବେଗ ପ୍ରକାଶ ପାଉଛି । ଗତ ତିନି ସପ୍ତାହକୁ ସମୀକ୍ଷା କଲେ ଜଣାପଡେ ବିସ୍ତାର ଓ ବେଗରେ କରୋନା ଭାଇରସ୍‌ ଚିନ୍ତାଜନକ ଭାବେ ବଢ଼ିବାରେ ଲାଗିଛି ବୋଲି କଂଗ୍ରେସ ମୁଖିଆ ସୋନିଆ ଗାନ୍ଧୀ କହିଛନ୍ତି । ସେ ‘ଟେଷ୍ଟ୍ କିଟ୍’ ବନ୍ଦୋବସ୍ତ କରି ଯୋଗାଇ ଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି । ଦେଶରେ ଟେଷ୍ଟ୍ କିଟ୍ ଯୋଗାଣ ନିଅଣ୍ଟିଆ ରହିଛି ଏବଂ ସେଗୁଡ଼ିକ ନିମ୍ନମାନର ବୋଲି ଜଣାପଡ଼ିଛି । ଆମ ସମାଜର ବିଶେଷକରି, କୃଷିକ୍ଷେତ୍ରର ଶ୍ରମିକ, ପ୍ରବାସୀ ଶ୍ରମିକ, ନିର୍ମାଣ ଶ୍ରମିକ ଏବଂ ଅଣସଙ୍ଗଠିତ ଉଦ୍ୟୋଗର ବ୍ୟକ୍ତିବିଶେଷ ଅତ୍ୟନ୍ତ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ବୋଲି ସେ କହିଛନ୍ତି । ବେପାର ବଣିଜ ଏବଂ ଶିଳ୍ପ ବନ୍ଦ ହୋଇଯାଇଥିବାରୁ କୋଟି କ‌ୋଟି ଲୋକଙ୍କର ଜୀବୀକା ନଷ୍ଟ ହୋଇଯାଇଛି । କରୋନା ଭୁତାଣୁ ପରୀକ୍ଷା, ଚିହ୍ନଟ ଏବଂ ଏକାନ୍ତବାସ ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଥିଲେ । କିଟ୍ ଯୋଗାଣ ନିଅଣ୍ଟ ଓ ନିମ୍ନମାନର ଯୋଗୁଁ ପରୀକ୍ଷା ଦୃତ ଗତିରେ ହୋଇପାରୁ ନାହିଁ ବୋଲି ସେ ଅଭିଯୋଗ ମଧ୍ୟ ଜଣାଇଥିଲେ । ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ ବେଳେ ୧୨ କୋଟି କର୍ମସଂସ୍ଥାନ ନଷ୍ଟ ହୋଇଯାଇଛି ବୋଲି ସେ ଉଦବେଗ ପ୍ରକାଶ କରିଛନ୍ତି । ଅର୍ଥନୈତିକ କାର୍ଯ୍ୟକଳାପ ବନ୍ଦ ରହିବରୁ କାମ ଧନ୍ଦା ନ ପାଇ ବେକାରୀ ବଢ଼ିବାରେ ଲାଗିଛି । କରୋନା ମହାମାରୀ ସଙ୍କଟର ମୁକାବିଲା କରିବାକୁ ପ୍ରତି ପରିବାରକୁ ଅତି କମରେ ୭,୫୦୦ ଟଙ୍କା ଦେବାକୁ ସେ ଅନୁରୋଧ କରିଥିଲେ । ସଙ୍କଟ ସମୟରେ ସମଗ୍ର ଦେଶବାସୀଙ୍କୁ ସହାୟକ ହେଉଥିବା ଡାକ୍ତର, ନର୍ସ, ପାରାମେଡିକ୍, ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମୀ, ଅତ୍ୟାବଶ୍ୟକ ସେବା ଯୋଗାଣକାରୀ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ଅସୁମାରି ସାହାର୍ଯ୍ୟକାରୀ ନାଗରିକମାନଙ୍କୁ ସୋନିଆ ପ୍ରଶଂସା କରିଛନ୍ତି । ସେମାନଙ୍କ ତ୍ୟାଗ ଓ ପ୍ରତିବଦ୍ଧତା ଆମକୁ ବାସ୍ତବରେ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି । ଭିଡିଓ କନଫରେସନ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ସେ ଅନୁରୋଧ କରିଥିବା ସୋନିଆ କହିଛନ୍ତି ।

ରିପୋର୍ଟ : ସୁଧାଂଶୁ ଶେଖର