ତପ୍ତପାଣି ଦୂର୍ଘଟଣାର ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ଆନ୍ଧ୍ର ରାଜ୍ୟପାଳ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଭୋର ୪ଟା ସମୟରେ ରାୟଗଡା ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ ତପ୍ତପାଣି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିବାରୁ ୭ଜଣଙ୍କ ମୃତ୍ୟୁ ଓ ୪୦ଜଣ ଆହତ ହୋଇଥିବା ଖବର ପାଇ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ତପ୍ତପାଣି ଘାଟିରେ ବାରମ୍ବାର ଦୂର୍ଘଟଣା ଘଟୁଥିବା ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଦୁର୍ଘଟଣାରେ ମୃତ ପରିବାରମାନଙ୍କୁ ସମବେଦନା ଜଣାଇଛନ୍ତି ଓ ଏଥିସହ ଆହତ ବ୍ୟକ୍ତିମାନଙ୍କ ତୁରନ୍ତ ଆରୋଗ୍ୟ କାମନା କରିଛନ୍ତି । ଅନ୍ୟପକ୍ଷରେ ତପ୍ତପାଣି ଘାଟିରେ ଏଭଳି ଦୁର୍ଘଟଣା ପୂର୍ବରୁ ବହୁବାର ଘଟି ଆସୁ ଥିଲେ ମଧ୍ୟ ରାଜ୍ୟ ପ୍ରଶାସନ କିମ୍ବା ସ୍ଥାନୀୟ ନେତାମାନଙ୍କ ଆନ୍ତରିକତା ଅଭାବରୁ କୌଣସି ଉନ୍ନତି ମୂଳକ କାର୍ଯ୍ୟ କରାଯାଉ ନ ଥିବା କିମ୍ବା ଏହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦିଆଯାଉ ନ ଥିବା ବିଡମ୍ବନାର କାରଣ ହୋଇଛି ବୋଲି ବୁଦ୍ଧିଜୀବୀ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଆନ୍ଧ୍ର ରାଜ୍ୟରେ ଟାଙ୍ଗରା ଭୂଇଁ ପଡିଆ ପାହାଡ଼ରେ ମଧ୍ୟ ସୁନ୍ଦର ଚନ୍ଦନ ଫୁଲ ଦେଇ ପର୍ଯଟନ ସ୍ଥଳୀ ମାନ୍ୟତା ନେଇ ଅତି କମ ସମୟ ମଧ୍ୟରେ କେନ୍ଦ୍ରୀୟ ଅନୁଦାନରେ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ନିର୍ମାଣ କରାଯାଇ ପାରୁଛି କିନ୍ତୁ ବହୁ ପୁରୁଣା ପ୍ରାକୃତିକ ତପ୍ତପାଣିକୁ ଅଦ୍ୟାବଧି ପର୍ଯ୍ୟଟନ ସ୍ଥଳୀ ଘୋଷଣା କରାଯାଇ କେନ୍ଦ୍ରୀୟ ଅନୁଦାନ ଅଣାଯାଇ ପାରୁନାହିଁ । ଏଥିପାଇଁ ନେତା ଦାୟୀ ନା ସରକାର ଦାୟୀ । ପ୍ରସିଦ୍ଧ ପ୍ରାକୃତିକ ଉଷ୍ଣପସ୍ର ବଣ ତପ୍ତପାଣି ଓଡ଼ିଶାରେ ଆବହମାନ କାଳରୁ ଏକ ପର୍ଯ୍ୟଟନ ପୀଠ ରୂପେ ସାଧାରଣ ଲୋକ ଆବୋରି ନେଇସାରିଛନ୍ତି । ଶୀତ ଦିନରେ ସେହି ଗରମ ପାଣିରେ ଗାଧୋଇବା ପାଇଁ ଏବଂ ବଣଭୋଜି କରିବା ପାଇଁ ଗଞ୍ଜାମ ଜିଲ୍ଳା କାହିଁକି ବହୁ ଦୂରଦୂରାନ୍ତରୁ ଲୋକେ ଆସୁଛନ୍ତି । ପ୍ରତ୍ୟେକ ବର୍ଷ ବଣ ଭୋଜି କରିବାକୁ ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ଆସୁଛନ୍ତି । ଭଗବାନ ଏହାକୁ ପର୍ଯ୍ୟଟନ ସ୍ଥଳ କରିସାରିଛନ୍ତି । କେବଳ ପ୍ରଶାସନ ଓ ଉପଯୁକ୍ତ ନେତାଙ୍କ ମାନସିକତା ଅଭାବରୁ ଏହାର ଉନ୍ନତି ପାଇଁ କେନ୍ଦ୍ରୀୟ ସହାୟତା ଆସିପାରୁନାହିଁ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଯୋଗୁଁ ଏଠାରେ ସେତେବେଳେ କିଛି ଉନ୍ନତି ହୋଇଥିଲା ଓ ପର୍ଯ୍ୟଟକଙ୍କ ରହିବା ପାଇଁ ଏକ ବଙ୍ଗଳା ନିର୍ମାଣ ହୋଇ ଥିଲା । ଏହି ତପ୍ତପାଣିରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ପି.ଭି.ନରସିଂହ ରାଓଙ୍କ ଠାରୁ ଆରମ୍ଭ କରି ବହୁ କେନ୍ଦ୍ରୀୟ ନେତା ଓ ଅଫିସରମାନେ ଗାଧୋଇଛନ୍ତି ଓ ରାତ୍ରି ଯାପନ କରିଛନ୍ତି । ରାଜନୈତକସ୍ଥରରେ ବହୁ ବଡ ବଡ ସଭା ମଧ୍ୟ ଏଠାରେ ଅନୁଷ୍ଠିତ ହୋଇଛି । କିନ୍ତୁ ଗତକିଛି ବର୍ଷ ହେଲା ଏହା ଅବହେଳିତ ହୋଇଯାଇଛି । କେବଳ ସ୍ଥାନୀୟ ଲୋକଙ୍କ ସହାୟତା ଓ ସହଯୋଗୀତାରେ କିଛି କିଛି ଉନ୍ନତି ହେଉଛି । କେବଳ ତପ୍ତପାଣି ନୁହେଁ ଆହୁରି ଅନେକ ପର୍ଯ୍ୟଟନ ସ୍ଥଳୀ ଗଞ୍ଜାମ ଜିଲ୍ଲାରେ ରହିଛି ତାହାହେଲା ମାଆ ତାରାତାରିଣ ମନ୍ଦିର, ସିଂହାସନୀ, ବୁଦ୍ଧଖୋଲ, ନାରାୟଣୀ, ବାଙ୍କେଶ୍ଵରୀ, ମା’ବାଳକୁମାରୀ ଆଦି ଅନେକ ଛୋଟବଡ଼ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ବିରାଜମାନ ହୋଇଛି । ଭିଜନ ଥିବା ନେତା କିମ୍ବା ଭିଜନ ଥିବା ପ୍ରଶାସକ ଟିକିଏ ଚାହିଁଲେ ଏ ଗୁଡିକର ଉନ୍ନତି କ୍ଷିପ୍ର ଗତିରେ ଚଳିଥାନ୍ତା ଯ ଦ୍ୱାରା ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନ କୋଟି କୋଟି ଟଙ୍କା ଲାଭ ଉଠାଇ ଥାନ୍ତେ । ଆହୁରି ଯାତ୍ରୀଙ୍କ ଭିଡ ଜମୁଥାନ୍ତା । କେବଳ ସ୍ଥାନୀୟ କିଛି ଉଦ୍ୟକ୍ତ ଲୋକଙ୍କ ଯୋଗୁଁ କ୍ଷିପ୍ରଗତିରେ ନ ହେଲେ ମଧ୍ୟ ଧୀରେ ଧୀରେ ଉନ୍ନତି ହେଉଛି । କେନ୍ଦ୍ରରେ ବାଜପେୟୀ ସରକାରବେଳେ ଜଣେ ଓଡ଼ିଆ ଅଫିସର ପର୍ଯ୍ୟଟନ ବିଭାଗର ମୁଖ୍ୟସଚିଵ ଥିଲେ ସେ ଏହାର ଉନ୍ନତି ପାଇଁ ଉଦ୍ୟମ କରିଥିଲେ ମଧ୍ୟ ରାଜ୍ୟରୁ ଅଟକଳ ଗଲାନାହିଁ । ଦୁର୍ଘଟଣା ରୋକିବା ପାଇଁ ତପ୍ତପାଣି ଘାଟିରେ ଉଭୟ ପାର୍ଶରେ ବେରୀକଟ ନିର୍ମାଣ ନେଇ ସେ କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦେବାକୁ ଏହି ପ୍ରତିନିଧିଙ୍କୁ କହିଥିଲେ ଓ ଏହା ଉପରେ ସେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଅଟକଳ ଦେବାକୁ ମଧ୍ୟ କହିଥିଲେ କିନ୍ତୁ ସେ ଅବସର ନେଇଗଲେ ସୁଦ୍ଧା ତାଙ୍କ ପାଖରେ ଅଟକଳ ଚିଠା ପହଞ୍ଚିଲା ନାହିଁ । ପଇସାର ଅଭାବ ନ ଥିଲା କିନ୍ତୁ ମାନସିକତାର ଅଭାବ ଯୋଗୁଁ ଆଜିଯାଏ ସେହି ରାସ୍ତାର ଦୁର୍ଘଟଣା ଘଟୁଛି । ଖାଲିଖାଲିରେ ଲୋକଙ୍କ ଜୀବନ ଯାଉଛି । ସେ ଯାହାହେଉନା କାହିଁକି ଆଜି ଭୋର ଭୋରରୁ ତପ୍ତପାଣିରେ ଘଟିଥିବା ଦୁର୍ଘଟଣାରେ ୭ ଜଣ ମୃତ ଓ ୪୦ଜଣ ଆହତ ମଧ୍ୟରୁ ୧୦ଜଣ ଅତି ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ପ୍ରଥମେ ଦିଗପହଣ୍ଡିରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ଅଣାଯାଇ ଚିକିତ୍ସା କରାଯାଉଛି । କିଛି ଯାତ୍ରୀ ବସ ତଳେ ଚାପି ହୋଇ ରହିଥିବା ଲୋକଙ୍କୁ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କରିଛନ୍ତି । ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଏହି ମର୍ମଦ୍ୟୁନ୍ତ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତ ବ୍ୟକ୍ତି ମାନଙ୍କ ଆରୋଗ୍ୟ କାମନା କରିଛନ୍ତି ବୋଲି ବିଜୟୱାଡା ରାଜଭବନରେ ଏକ ପ୍ରେସ ବିବୃତିରେ କହିଛନ୍ତି ।

(Press Note AP Raj Bhawan) Andhra Pradesh Governor Sri Biswa Bhusan Harichandan expressed shock and sadness at the bus accident that took place near Taptapani Ghati in Ganjam district on Wednesday, in which 9 persons were killed and 41 persons were injured, when the bus travelling from Tikri to Berhampur fell off a bridge near Taptapani at 3 AM today. AP Governor Sri Biswa Bhusan Harichandan offered his heartfelt condolences to members of bereaved families.

ରିପୋର୍ଟ : ଜିଲ୍ଲାପ୍ରତିନିଧି ନିମାଇଁ ଚରଣ ପଣ୍ଡା