ଜୁନ୍ ୧ରୁ ଖୋଲିବ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ଆସନ୍ତା ଜୁନ୍ ୧ରୁ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ ବୋଲି ସୂଚନା ମିଳିଛି । ଏନେଇ ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଗତକାଲି ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି ଓ ଡିଗ୍ରୀ କଲେଜର ପ୍ରିନ୍ସିପାଲମାନଙ୍କୁ ଚଠି ଲେଖି ଅବଗତ କରାଇଛନ୍ତି । ସୂଚନା ଅନୁଯାୟୀ ରାଜ୍ୟରେ କରୋନା ମହାମାରୀ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ଚଳିତ ମାସ ପ୍ରଥମ ସପ୍ତାହରେ ସମସ୍ତ ଶିକ୍ଷାନୁଷ୍ଠାନକୁ ତତ୍କାଳ ପ୍ରଭାବରୁ ବନ୍ଦ କରି ଦେଇଥିଲେ । ତେବେ ଆଜି ଉଚ୍ଚଶିକ୍ଷା ସଚିବ ଶ୍ରୀ ମିଶ୍ର ଲେଖିଥିବା ଚିଠି ଅନୁସାରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଘୋଷଣା ହୋଇଥିବା ଗ୍ରୀଷ୍ମ ଛୁଟି ଅବଧି ଚଳିତ ମାସ ୩୧ତାରିଖରେ ଶେଷ ହେଉଛି । ଏହି ଗ୍ରୀଷ୍ମ ଛୁଟି ସରିବା ପରେ ଜୁନ୍ ପହିଲାରୁ ପାଠପଢ଼ା ଆରମ୍ଭ ହେବ । ୨୦୨୧ ଏପ୍ରିଲ ୧୬ତାରିଖରେ ବିଭାଗ ପକ୍ଷରୁ ଜାରି କୋଭିଡ୍ ଗାଇଡଲାଇନ୍ ଅନୁସାରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠପଢ଼ା ହେବ । ସେଥିପାଇଁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି ।