ଜୀ ସାର୍ଥକରେ ଖୁବଶୀଘ୍ର ଆସୁଛି ‘ସା ରେ ଗା ମା ପା – ସ୍ୱରର ମହାମଞ୍ଚ’…

ଜୀ ସାର୍ଥକରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଓଡିଶାର ସବୁଠାରୁ ବଡ ସିଂଗିଙ୍ଗ ରିୟାଲିଟି ସୋ ‘ସା ରେ ଗା ମା ପା – ସ୍ୱରର ମହାମଞ୍ଚ’ । ଯେଉଁ ସୋ’ରୁ ସଫଳତା ପାଇ ଆଜି ଓଡିଆ ସଂଗୀତ ଦୁନିଆରେ ଅନେକ ରାଜ୍ କରୁଛନ୍ତି, ସେହି ମେଗା ସୋ’ ପୁଣିଥରେ ଦର୍ଶକଙ୍କ ପାଖକୁ ଫେରୁଛି । ଜୀ ସାର୍ଥକ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ସ୍ୱର ଓ ସଂଗୀତକୁ ଭଲ ପାଉଥିବା ଏବଂ ଏଥିରେ କ୍ୟାରିୟର ଗଢ଼ିବାକୁ ଚାହୁଁଥିବା କଳାକାର ମାନଙ୍କ ପାଇଁ ଏହି ସୋ ଏକ ବଡ ପ୍ଲାଟ୍ ଫର୍ମ । ଗତ ସିଜିନ ତୁଳନାରେ ଚଳିତଥର ‘ସା ରେ ଗା ମା ପା – ସ୍ୱରର ମହାମଞ୍ଚ’ ଓଡିଶାରେ ଚହଳ ପକାଇବା ଆରମ୍ଭ କରିଛି । ଏହି ମେଗା ସୋ’ ପାଇଁ ଅଡିସନ ଆରମ୍ଭ ହୋଇଯାଇଛି । ଭୁବନେଶ୍ୱର ଓ ବାଲେଶ୍ୱରରେ ନିକଟରେ ଅଡିସନ ଶେଷ ହୋଇଥିବା ବେଳେ ବୁଧବାର କେନ୍ଦୁଝରରେ ବି ଅଡିସନ ହୋଇଛି । ଶହ ଶହ ସଂଖ୍ୟାରେ ପ୍ରତିଯୋଗୀମାନେ ଅଡିସନ ଭାଗ ନେଉଛନ୍ତି । ଆସନ୍ତା ୨୩ ଜୁଲାଇରେ ବଲାଙ୍ଗୀର, ୨୪ରେ ରାଉରକେଲା, ୨୭ରେ ଯାଜପୁର ଟାଉନ,ଅଗଷ୍ଟ ୨ରେ ବ୍ରହ୍ମପୁର ଓ ଅଗଷ୍ଟ ୭ ରେ କଟକରେ ଅଡିସନ ହେବାର କାର୍ଯ୍ୟକ୍ରମ ରହିଛି । ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ଜୀ ସାର୍ଥକ ଚ୍ୟାନେଲ କିମ୍ବା ଚ୍ୟାନେଲର ସୋସିଆଲ ମିଡିଆ ପେଜ ସହ ଯୋଡି ହୋଇ ରହିବାକୁ ଚ୍ୟାନେଲ ପକ୍ଷରୁ କୁହାଯାଇଛି । ‘ସା ରେ ଗା ମା ପା’ ହେଉଛି ଓଡିଆ ଟିଭି ଦୁନିଆରେ ସବୁଠାରୁ ବଡ ମ୍ୟୁଜିକ ରିୟାଲିଟି ସୋ । ଏହି ସୋ ମାଧ୍ୟମରେ ଓଡିଶାର କୋଣ ଅନୁକୋଣରୁ କଳାକାରମାନେ ଢ଼େର ସୁଯୋଗ ପାଇଥାନ୍ତି । ଏମିତିକି ଏହି ରିୟଲିଟି ସୋରୁ ଅନେକ ନାମୀ କଣ୍ଠଶିଳ୍ପୀ ଏବେ ଓଡିଶା ସଂଗୀତ ଦୁନିଆରେ ପ୍ରତିଷ୍ଠିତ ହୋଇଛନ୍ତି । ସେମାନଙ୍କ ଭଳି ନୂଆ ପିଢ଼ୀର କଣ୍ଠଶିଳ୍ପୀମାନେ ଏହି ବଡ ପ୍ଲାଟଫର୍ମରେ ନିଜକୁ ପ୍ରମାଣିତ କରିପାରିବେ । ‘ସା ରେ ଗା ମା ପା – ସ୍ୱରର ମହାମଞ୍ଚ’ଏଥର ଜଜ୍ ଭାବେ ରହିବେ ଯୁବଗୋଷ୍ଠୀଙ୍କ ପ୍ରଥମ ପସନ୍ଦ କଣ୍ଠଶିଳ୍ପୀ ସ୍ୱୟମ୍ ପାଢ଼ୀ, କୁଲଦୀପ ପଟ୍ଟନାୟକ, ଦିପ୍ତୀରେଖା ପାଢ଼ୀ, ଅସୀମା ପଣ୍ଡା । ଓଡିଶାର ଏହି ନାମୀଦାମୀ କଣ୍ଠଶିଳ୍ପୀମାନେ ନୂଆ ପ୍ରତିଭାମାନଙ୍କୁ ବିଚାରକଭାବେ ରହି ଚୟନ କରିବେ । ସେହିଭଳି ମହାଗୁରୁ ଭାବେ ବରିଷ୍ଠ ତଥା ପ୍ରତିଷ୍ଠିିତ କଣ୍ଠଶିଳ୍ପୀ ଇରା ମହାନ୍ତିଙ୍କୁ ଦେଖିବାକୁ ମିଳିବ । ମହାଗୁରୁ ଭାବେ ଈରା ପ୍ରଥମ ଥର ପାଇଁ ମ୍ୟୁଜିକ ରିୟାଲିଟି ସୋରେ ରହିବେ । ବର୍ଷ ବର୍ଷ ଧରି ଓଡିଆ ସଂଗୀତ ଦୁନିଆରେ ରାଜ୍ କରିଛନ୍ତି ଇରା ମହାନ୍ତି । ଅନେକ ଭାବପୂର୍ଣ୍ଣ ଭଜନ ସହ ସୁପରହିଟ୍ ଆଲବମ୍ ଓ ବମ୍ପର ହିଟ୍ ସିନେମା ଗୀତରେ ସେ କଣ୍ଠଦାନ କରିଛନ୍ତି । ଏଥର ଆହୁରି ବଡ ଧରଣର ହେବାକୁ ଯାଉଛି ‘ସା ରେ ଗା ମା ପା – ସ୍ୱରର ମହାମଞ୍ଚ’ ।

ରିପୋର୍ଟ : ଅମୃତ କୁମାର ନନ୍ଦ