ଗନ୍ଧମାର୍ଦ୍ଦନକୁ ଇକୋ ସେନସିଟିଭ ଜୋନ ଘୋଷଣା ଦାବି…

ପଦ୍ମପୁର (ସମୃଦ୍ଧ ଓଡିଶା) ଗନ୍ଧମାର୍ଦ୍ଦନ ପର୍ବତକୁ ଇକୋ ସେନସିଟିଭ ଜୋନ (ECZ) ଘୋଷଣା କରିବା ପାଇଁ ବରଗଡ଼ ଜିଲ୍ଲା ନୃସିଂହନାଥ ସ୍ଥିତ ଗାନ୍ଧୀ ପୀଠ ଠାରେ ଅନୁଷ୍ଠିତ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୬ତମ ପ୍ରତିଷ୍ଠା ଦିବସରେ ରାଜ୍ୟ ସରକାରଙ୍କ ଠାରେ ଦାବି କରାଯାଇଛି । ଆଜି ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦିଲ୍ଲୀପ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ ଅବସରରେ ସର୍ବ ପ୍ରଥମେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଲେ ୩୬ଟି ଦ୍ୱୀପ ପ୍ରଜ୍ଜଳନ କରାଯାଇ କାର୍ଯ୍ୟକ୍ରମକୁ ଉଦଘାଟନ କରାଯାଇଥିଲା । କୋଭିଡ କଟକଣା ଯୋଗୁଁ କମ ସଂଖ୍ୟାରେ ଉପସ୍ଥିତ ଯୁବ ପରିଷଦର କାର୍ଯ୍ୟକର୍ତ୍ତା ମାନେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରି ୫ଟି ପ୍ରମୁଖ ଦାବିକୁ ସର୍ବ ସମ୍ମତି କ୍ରମେ ସଭାରେ ଅନୁମୋଦିତ କରା ଯାଇଥିଲା । ପ୍ରମୁଖ ଦାବୀ ଗୁଡିକ ମଧ୍ୟରେ ସଂପୂର୍ଣ୍ଣ ଗନ୍ଧମାର୍ଦ୍ଦନ ପାହାଡକୁ ଇକୋ ସେନସେଟିଭ ଜୋନ ଘୋଷଣା କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେବା,ନୃସିଂହନାଥ ଓ ହରିଶଙ୍କର ପର୍ଯ୍ୟଟନ ସ୍ଥଳିକୁ ଜାତୀୟ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ଦେବା, ଗନ୍ଧମାର୍ଦ୍ଦନ ପର୍ବତରେ ଉପଲବ୍ଧ ୨୨ଶହ ଦୁର୍ଲିଭ ବନୌଷଧିକୁ ଆଧାର କରି ଔଷଧ ନିର୍ମାଣର ପ୍ରକଳ୍ପ ସ୍ଥାପନ କରିବା, ଐତିହାସିକଙ୍କ ମତ ଅନୁଯାୟୀ ଗୌତମ ବୃଦ୍ଧଙ୍କ ପଟ୍ଟଶିଷ୍ୟ ନାଗାର୍ଜୁନଙ୍କ ଦ୍ୱାରା ଗନ୍ଧମାର୍ଦ୍ଦନରେ ପ୍ରତିଷ୍ଠିତ ହୋଇଥିବା “ବୌଦ୍ଧ ବିଶ୍ୱବିଦ୍ୟାଳୟ” ପରିସରକୁ ଚିହ୍ନଟ କରି ତାକୁ ଐତିହାସିକ ପୀଠର ମାନ୍ୟତା ଦେବା, “ପଣ୍ତିଆନି ଘର” ଯେଉଁଠାରୁ ୨ ଶହ ବର୍ଷ ଧରି ନୃସିଂହନାଥ ମନ୍ଦିର ପରି ଚାଳିତ ହେଉଥିଲା ତାହା ଏବେ ଧ୍ୱଂସ ମୁଖରେ,ଏହାର ସୁରକ୍ଷା କରାଯିବା । ଏହି ଦାବି ଗୁଡିକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଠାରେ ଉପସ୍ଥାପନ କରିବା ପାଇଁ ସ୍ଥିର କରାଗଲା । ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପ୍ରତିଷ୍ଠା ଦିବସର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିତରେ ଗନ୍ଧମାର୍ଦ୍ଦନ ଖଣି ପ୍ରକଳ୍ପ ବିରୋଧ ଚାଲିଥିବା ଆନ୍ଦୋଳନ ଓ ଜନମତକୁ ସମ୍ମାନ ଜଣାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ସ୍ୱର୍ଗତ ବିଜୁ ପଟ୍ଟନାୟକ ଗନ୍ଧମାର୍ଦ୍ଦନ ପର୍ବତରେ ଖଣି ପ୍ରକଳ୍ପକୁ ବାତିଲ କରିଥିବାରୁ ଓଡିଶା ବାସୀଙ୍କ ଠାରେ ସେମାନେ ଚିର ସ୍ମରଣୀୟ ବୋଲି ଅଭିମତ ଦେବା ସହ ବତ୍ତର୍ମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଦାନ୍ତ ଜରିଆରେ ଗନ୍ଧମାର୍ଦ୍ଦନରେ ପୁନଃ ଖଣି ଖୋଲିବା ପାଇଁ ଷଡଯନ୍ତ୍ର କରୁଥିବାରୁ ତାର ଦୃଢ ନିନ୍ଦା କରିଥିଲେ । ପ୍ରତିଷ୍ଠା ଦିବସ ଅବସରରେ ଗନ୍ଧମାର୍ଦ୍ଦନ ଆନ୍ଦୋଳନ କାରୀ ରଘୁବୀର ସିଂ ବରିହା, ଦୁର୍ଯ୍ୟୋଧନ ପୁଟା, ଧିରେନ ମହାନ୍ତି, ସୌକିଲାଲ ସାହୁ, ରାଜେନ୍ଦ୍ର ସେଠ, ରାହାସ ବିହାରୀ ସାହୁ, ଡମ୍ବରୁ ଧର ରଣା, ସୁବୋଧ ପଣ୍ତା, ଲୋଚନ ପ୍ରଧାନ, ଗଣେଶ ମହଲା, କୈଲାସ ଦିଶ୍ରୀ, ବଳରାମ ସାହୁ, ରାଜେନ୍ଦ୍ର ବରିହା, ସୁଶାନ୍ତ ପଣ୍ତା, କର୍ତ୍ତନ ଦାଉ, ଦୟାନନ୍ଦ ମାଝୀ ଆଦି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଖପ୍ରାଖୋଳ, ନୁଆଁପଡା, ବଲାଙ୍ଗୀର, ପାଟଣାଗଡ, ପଦ୍ମପୁର ଅଞ୍ଚଳର ଯୁବ ପରିଷଦ ସକ୍ରିୟ ସଦସ୍ୟ ମାନେ ଏହି ପ୍ରତିଷ୍ଠା ଦିବସରେ ସାମିଲ ହୋଇଥିଲେ ।

ରିପୋର୍ଟ – ନିରୋଜ କୁମାର ପାଣୀ