ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଆସ୍ଥା ରହୁ : ଚୁକ୍ତିଭିତ୍ତିକ ମହାସଂଘ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଜି ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ବଞ୍ଚାଇ ରଖିବା ପାଇଁ ଅନୁରୋଧ କରୁଥିବା ବେଳେ ଓଡ଼ିଶାର ଯୁବକ ଯୁବତୀ ଚୁକ୍ତିଭିତ୍ତିକ ନିୟମ ଦ୍ଵାରା ପ୍ରତାରିତ ହେଉଛନ୍ତି । ଯୁବ କର୍ମଚାରୀମାନଙ୍କୁ ସପ୍ତମ ବେତନ ଲାଗୁ ନ କରି ଦିନ ମଜୁରିଆଙ୍କ ଠାରୁ କମ ଦରମା ଦେଇ ନିଜ ଅଧିନସ୍ଥ କର୍ମଚାରୀମାନଙ୍କୁ ନ୍ୟାୟ ନ ଦେଇ ଗଣତନ୍ତ୍ରଙ୍କୁ ହତ୍ୟା କରିଛନ୍ତି ରାଜ୍ୟ ସରକାର । କୁତ୍ସିତ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ତଥା ସମାନ କାମକୁ ସମାନ ଦରମା ପ୍ରତିବାଦରେ ଦୀର୍ଘ ୩ ବର୍ଷ ଦିନ ଧରି ରାଜ୍ୟ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ପକ୍ଷରୁ ସରକାରଙ୍କୁ ଦାବୀ ଜଣେଇ ଆସୁଛି । ଏହି ଦାବୀକୁ ଅନେକ ବୁଦ୍ଧିଜୀବୀ, ରାଜ୍ୟନୈତିକ ଦଳ ଦୃଢ଼ ସମର୍ଥନ ମିଳିଥିଲେ ହେଁ ସରକାର ନିଦା ବିଷ୍ଣୁ ପାଲଟି ଯାଇଛନ୍ତି । ବିଶ୍ଵ ମହାମାରୀ କରୋନାର ନିୟନ୍ତ୍ରଣ ନିମନ୍ତେ ପ୍ରକୃତ ବିନ୍ଧାଣି ସାଜିଥିବା କରୋନା ଯୋଦ୍ଧାଙ୍କୁ ସରକାର କେଉଁ ପ୍ରକାର ସମ୍ମାନିତ କରୁଛନ୍ତି, ତାହା ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମାରୁ ଜଣାପଡୁଛି । ୨୦୧୩ ମସିହାରେ ଲାଗୁ ହେଇଥିବା ଏଇ ଚୁକ୍ତିଭିତ୍ତିକ ନିୟମ ଓ ୨୦୧୭ ସଂଶୋଧିତ ନିୟମାବଳୀ, ସରକାରଙ୍କ ଗଣତାନ୍ତ୍ରିକ ବ୍ୟବସ୍ଥାର ପରିଚୟ ପ୍ରଦାନ କରୁଛି । ସରକାର କରୋନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ଯଉଁମାନେ (ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ପୋଲିସ କନେଷ୍ଟବଳ, ସବ ଇନ୍ସପେକ୍ଟର ଓ ଶିକ୍ଷକ) କୋରନାଙ୍କୁ ସଫଳତାର ସହ ମୁକାବିଲା କରୁଛନ୍ତି ସେମାନଙ୍କୁ ନା ସମ୍ମାନ ମିଳୁଛି ନା ଭଲରେ ବଞ୍ଚିବାକୁ ଦେଉଛନ୍ତି ରାଜ୍ୟ ସରକାର, ଏହି କରୋନା ଯୋଦ୍ଧାଙ୍କୁ ମିଳୁଛି ମାତ୍ର ଚାରିଅଙ୍କ ବିଶିଷ୍ଟ ଦରମା ୮୮୮୦. ସେ ପଇସାରେ ନା ନିଜେ ବଞ୍ଚି ହେବ, ନା ବୃଦ୍ଧ ବାପା ମାଙ୍କ ଭୋରଣ ପୋଷଣ କରିହେବ । ନିୟମିତ ସରକାରୀ ଅନୁଦାନ ପଦବୀରେ ନିୟମିତ ପରୀକ୍ଷା ମାଧ୍ୟମରେ ନିଯୁକ୍ତି ପ୍ରାପ୍ତ ଯୁବ କର୍ମଚାରୀଙ୍କୁ ଏକ ତୃତୀୟାଂଶ ଦରମାରେ ନିୟୋଜିତ କରିବା କଣ ଗଣତାନ୍ତ୍ରିକ ବ୍ୟବସ୍ଥା । ଏହା ବିରୋଧରେ ୨୦୧୭ ଏବଂ ୨୦୧୮ ମସିହାରେ ଠିକା କର୍ମଚାରୀମାନେ ଅନେକ ଥର ରାଜ ରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିଛନ୍ତି । ଯେଉଁ ଆନ୍ଦୋଳନରେ କି ପୂର୍ବତନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏବଂ ଅର୍ଥସଚିବ ତୁହିନ କାନ୍ତ ପାଣ୍ଡେ ଗୋଟିଏ ମାସ ପରେ ଆମ କଥାକୁ ବିଚାର କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସରକାରଙ୍କ କଥା ପାଣିର ଗାର ପାଲଟି ଯାଇଥିଲା । ଚୁକ୍ତିଭିତ୍ତିକ ନିୟମ ବିରୁଦ୍ଧରେ ଓଡ଼ିଶାର ପଚାଶ ହଜାର ଠିକା କାର୍ମଚାରୀ ୨୦୧୯ ଇ-ଅଭିଯୋଗ ମାଧ୍ୟମରେ ତାଙ୍କର ଅଭିଯୋଗ ଜଣାଇ ଥିଲେ, ଏହାର ପ୍ରତି ଉତ୍ତରରେ ଗୋଟିଏ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ କଯ୍ୟାଳୟ ଲିଖିତ ଭାବେ ଜଣେଇଲେ କି ଏବେ ଚୁକ୍ତିଭିତ୍ତିକ ନିୟମରେ ପରିବର୍ତ୍ତନ କରିବାର କୌଣସି ଯୋଜନା ନାହିଁ । ଏହା କଣ ବାସ୍ତବ କ୍ଷେତ୍ରରେ କୋରନା ଯୋଦ୍ଧାଙ୍କୁ ସମ୍ମାନ ଓ ସରକାରଙ୍କ ପ୍ରଚଳିତ ଗଣତାନ୍ତ୍ରିକ ବ୍ୟବସ୍ଥା । ଆଜି ରାଜ୍ୟର ଏଭଳି ସଙ୍ଗୀନ ପରିସ୍ଥିତିରେ ମୁଖ୍ୟ ସେନା ସାଜିଥିବା କରୋନା ଯୋଦ୍ଧାଙ୍କ ଉପରେ ନ୍ୟସ୍ତ ଏହି ଗଣତାନ୍ତ୍ରିକ ବିରୋଧି କୁତ୍ସିତ ଚୁକ୍ତିଭିତ୍ତିକ ପ୍ରଥା କେତେଦୂର ଗ୍ରହଣୀୟ ? ବାରମ୍ବାର ସରକାରଙ୍କୁ ଅନେକ ଅନୁରୋଧ କରିବା ସତ୍ତ୍ୱେ ଚୁକ୍ତିଭିତ୍ତିକ ପ୍ରଥାର ପ୍ରତ୍ୟାହାର ତଥା କର୍ମଚାରୀଙ୍କୁ ସମାନ କାମକୁ ସମାନ ଦରମା ନ ଦେଇ କର୍ମଚାରୀ ମାନଙ୍କୁ ନାଲି ଆଖି ଦେଖେଇ ସରକାର ଗଣତାନ୍ତ୍ରିକ ବ୍ୟବସ୍ଥାର କଣ୍ଠରୋଧ କରୁଛନ୍ତି । ଯଦି ସରକାର ବିଧାନସଭା ଅଧିବେଶନ ପୂର୍ବରୁ ଦାବି ପୂରଣ ନ କରନ୍ତି, ଦରକାର ପଡ଼ିଲେ ଆଗାମୀ ବିଧାନସଭା ଅଧିବେଶନ ବେଳେ ବିଧାନସଭା ଘେରାଉ କରାଯିବ ବୋଲି ରାଜ୍ୟ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ସଭାପତି ବିଜୟ ମଲ୍ଲ, ସଂଘର ଉପଦେଷ୍ଟା ପ୍ରଭାତ ମହାନ୍ତି, ମଧୁ ମଲ୍ଲିକ, ଜ୍ୟୋତିପ୍ରକାଶ ମହାପାତ୍ର, କିଷାନ ବରାଇ ଏବଂ ସଞ୍ଜୟ ପଟ୍ଟନାୟକ, ସମ୍ପାଦକ କ୍ଷିତିଶ ପଣ୍ଡା, ଶୁଭ୍ରଜିତ୍ ପ୍ରତିହାରୀ, ନିରୋଦ ରଥ, ବିଶ୍ବଜିତ୍ ବିଶ୍ବାଳ, ଉପସଭାପତି ପ୍ରଭାସ ଭୋଇ, ଦେବଦତ ସ୍ୱାଇଁ, ଜୀବନ ମହାନ୍ତି, ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ରାଉତରାୟ, ଶ୍ରୀନିବାସ ମହାନ୍ତି, ପ୍ରଶାନ୍ତ କର, ସ୍ୱାଗତ ନନ୍ଦ,ସୁରେଶ ମହାନ୍ତି, ଦେବାଶିଷ ନାୟକ, ରାଜେନ୍ଦ୍ର ମଲ୍ଲିକ, ସନ୍ତୋଷ ଗୌଡ଼, ଅମୂଲ୍ୟ କୁମାର ଭାରିମଲ୍ଲ, ଅନିତା ବେହେରା, ଲୋଜାଳିନ ପଣ୍ଡା, ଅଳକା ମହାନ୍ତି, ରଶ୍ମି ଦାଶ ପ୍ରମୁଖ ପ୍ରେସ ବ୍ରିବୃତିରେ କହିଛନ୍ତି ବୋଲି ସଂଘର ସଭାପତି ବିଜୟ ମଲ୍ଲ ଜଣାଇଛନ୍ତି ।

ରିପୋର୍ଟ : ବିଜୟ ମଲ୍ଲ