ଗଞ୍ଜାମ ଜିଲ୍ଲାବାସୀଙ୍କୁ ନିବେଦନ କଲେ ଜିଲ୍ଲାପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାକୁ କରୋନା ଦାଉରୁ ମୁକ୍ତ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାବାସୀଙ୍କୁ ନିବେଦନ କରି ଜଣାଇଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ କରୋନାର ପ୍ରକୋପରୁ ନିଜକୁ ବଞ୍ଚାଇବାକୁ ହେଲେ ସମସ୍ତେ ଘରେ ରୁହନ୍ତୁ । ନିହାତି ଏବଂ ଅତି ଜରୁରି ନହେଲେ ଘରୁ ବାହାରକୁ ଯାଆନ୍ତୁ ନାହିଁ । ଯଦି ଅତି ଜରୁରି କାମରେ ବାହାରକୁ ଯାଉଛନ୍ତି ତେବେ ମାସ୍କ ନିଶ୍ଚିତ ଓ ଠିକ୍ ରୂପେ ପିନ୍ଧନ୍ତୁ । ମାସ୍କ ହିଁ ଆପଣଙ୍କ ଅମୂଲ୍ୟ ଜୀବନକୁ ରକ୍ଷା କରିବା କବଚ । ବ୍ୟବସାୟୀ ମାନଙ୍କୁ ଅନୁରୋଧ ସେମାନେ ଦୋକାନ ଖୋଲିବା ବେଳେ ପଞ୍ଚସୂତ୍ରୀ ନିୟମର କଡା ପାଳନ କରନ୍ତୁ । ପଞ୍ଚସୂତ୍ରୀ ନିୟମ ପାଳନ କରିବା ଦ୍ୱାରା ଆପଣ ସଂକ୍ରମଣକୁ ରୋକିପାରିବେ । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ଟିକାଦାନ କାର୍ଯ୍ୟକ୍ରମ ଚାଲିଛି । ଟିକା ନେବାକୁ ଅନ୍ ଲାଇନ୍ ରେ ରେଜିଷ୍ଟ୍ରେସନ୍ କରନ୍ତୁ । ଯେଉଁ ସ୍ଲଟ୍ ଆସୁଛି ସେହିଦିନ ଏବଂ ସେହି ସମୟରେ ଆସି ଟିକା ନିଅନ୍ତୁ । ଆପଣଙ୍କ ସୁବିଧା ସକାଶେ ମହାନଗର ନିଗମ ଅଞ୍ଚଳରେ ସମସ୍ତ ବ୍ୟବସ୍ଥା କରାଯାଇଛି । ସେଠାରେ ଅଯଥାରେ ଯାଇ ଗହଳି କରନ୍ତୁ ନାହିଁ । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଆସନ୍ତା କାଲି ଠାରୁ ମୋବାଇଲ୍ ଭେହିକିଲ୍ ଦ୍ବାରା ଲୋକଙ୍କ ଚାହିଦା ଅନୁସାରେ ଆପଣଙ୍କ ଅଞ୍ଚଳକୁ ମୋବାଇନ୍ ଗାଡି ଯାଇ କୋଭିଡ୍ ଟେଷ୍ଟ କରିବ । ତାହାର ସୁଯୋଗ ନେବା ପାଇଁ ବ୍ରହ୍ମପୁର ବାସୀଙ୍କୁ ଅନୁରୋଧ । ଗ୍ରାମାଞ୍ଚଳର ସମସ୍ତ ପି.ଏଚ୍.ସି./ ସି.ଏଚ୍.ସି. ଏବଂ ଏସ୍. ଡି.ଏଚ୍.ରେ ଆଇସୋଲେସନ୍ ସୁବିଧା ଥାଇ ସମସ୍ତ ବେଡ୍ ରେ ଅକ୍ସିଜେନ ବ୍ୟବସ୍ଥା କରାଯାଇଛି । ଏଣୁ ଗ୍ରାମାଞ୍ଚଳ ଲୋକଙ୍କୁ ଅନୁରୋଧ ସେମାନେ ସିଧା ସଳଖ ବ୍ରହ୍ମପୁର ଏମ୍.କେ.ସି.ଜି.କୁ ଆସନ୍ତୁ ନାହିଁ । ଆପଣଙ୍କ ନିକଟରେ ଥିବା ପି.ଏଚ୍.ସି./ସି.ଏଚ୍.ସି. ଏବଂ ଏସ୍. ଡି.ଏଚ୍.କୁ ଯାଇ ଚିକିତ୍ସିତ ହୁଅନ୍ତୁ । ସେଠାରେ ଡାକ୍ତରଗଣ ଆପଣଙ୍କର ଚିକିତ୍ସା କରିବେ । ସେଠାରେ ଗୁରୁତର ଅବସ୍ଥାରେ ଥିବା ବ୍ୟକ୍ତିଙ୍କୁ ଡାକ୍ତର ରେଫର୍ କଲେ ଆପଣଙ୍କୁ ବ୍ରହ୍ମପୁର ଏମ୍.କେ.ସି.ଜି.କୁ ଆମ୍ବୁଲାନ୍ସ ଯୋଗେ  ସ୍ଥାନାନ୍ତର କରାଯିବ । ଏଣୁ ଅନୁରୋଧ ପ୍ରଥମେ ଆପଣ ଗାଁ ନିକଟରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାର ସୁବିଧା ନିଅନ୍ତୁ ବୋଲି କହିଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।