କରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇଁ ଲକ ଡାଉନ ପୂର୍ଣ୍ଣ ସଫଳ….

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗତକାଲି ଠାରୁ ସାରା ଦେଶରେ ଲକ ଡାଉନ ଆରମ୍ଭ ହୋଇଯାଇଛି । ଫଳରେ ରାସ୍ତା ଘାଟ ସହର ବଜାର ସବୁ ଆଡେ ଶୂନଶାନ ଦେଖାଯାଉଛି । କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ରବିବାର ଅର୍ଥାତ ୨୨ ତାରିଖ ଦିନ ଜନତା କର୍ଫ୍ୟୁ ଜାରି କରିଥିଲେ । ସାରା ଦେଶରେ ଆବାଳ ବୃଦ୍ଧ ବନିତା ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମର୍ଥନ କରି ସକାଳ ୭ରୁ ରାତି ୯ ଯାଏଁ ଜନତା କର୍ଫ୍ୟୁ ପାଳନ ପୂର୍ବକ କେହି ଘରୁ ବାହାରି ନଥିଲେ । ପୁରା ଦେଶ ଶୂନଶାନ ହୋଇଯାଇଥିଲା । ତାପର ଦିନ ଠାରୁ ୩୧ ଯାଏଁ ଦେଶରେ ଲକ ଡାଉନ ଜାରି କରାଯାଇଛି । ଅର୍ଥାତ କୌଣସି ଅତ୍ୟାବଶ୍ୟକ କାମ ନ ଥିଲେ କେହି ହେଲେ ଘରୁ ବାହାରକୁ ବାହାରିବେ ନାହିଁ । ବର୍ତ୍ତମାନ ଏହି ନିର୍ଦ୍ଦେଶନାମା ଜାରି ରହିଥିବା ବେଳେ କିଛି ଲୋକ ଅବମାନନା କରୁଥିବାରୁ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ଦେଖାଯାଉଛି । ତେଲେଙ୍ଗାନା ଆନ୍ଧ୍ର ଓ ଓଡିଶା ରାଜ୍ୟରେ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ଓଡ଼ିଶାରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ସ୍ୱାର୍ଥ ପାଇଁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରି ପ୍ରଧାନ ମନ୍ତ୍ରୀଙ୍କ ଠାରୁ ପ୍ରଶଂସା ପାଇଛନ୍ତି । ଓଡ଼ିଶାରେ ୩୦ଟି ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କରାଯାଇଛି ।ଏହା ୨୯ ମାର୍ଚ୍ଚ ରାତି ୧୨ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଘୋଷଣା କରାଯାଇଥିବା ବେଳେ ସରକାର SC/ST ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନଙ୍କୁ ଘରକୁ ଛାଡ଼ିବା ବ୍ୟବସ୍ଥା କରିବେ ବୋଲି କହିଛନ୍ତି । ଗୁରୁତ୍ୱ ବହନ କରୁଥିବା ବିଭାଗ ତଥା ଡାକ୍ତରଖାନା, କ୍ଲିନିକ୍, ଡାକ୍ତରୀ ପରୀକ୍ଷା କେନ୍ଦ୍ର ବା ପାଥୋଲ୍ୟାବ୍, ଔଷଧ ଦୋକାନ, ପୋଲିସ୍ ସେବା, ଡାକ୍ତରୀ ସେବା, ଅଗ୍ନିଶମ, ବିଦ୍ୟୁତ, ପାଣି, ପୌର ସଂସ୍ଥା ଏବଂ କରୋନା ଭାଇରସ୍ ମୁକାବିଲା କରିବା ପାଇଁ କାର୍ଯ୍ୟ କରୁଥିବା ସଂସ୍ଥାଗୁଡ଼ିକ ଏହି ଲକ ଡାଉନ ସମୟରେ ଖୋଲା ରହିବ ବୋଲି ଘୋଷଣା କରାଯାଇଛି । ପୁଣି ବ୍ୟାଙ୍କ, ATM, ପେଟ୍ରୋଲ ପମ୍ପ ଖୋଲା ରହିବା ସହ ବ୍ୟାଙ୍କରେ ୧୦% କର୍ମଚାରୀ କାମ କରିବେ ଓ ATMରେ ପର୍ଯ୍ୟାପ୍ତ ଟଙ୍କା ରଖିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଫଳ, କ୍ଷୀର, ପାଉଁରୁଟି, ମାଛ-ମାଂସ-ଅଣ୍ଡା ଦୋକାନ ଖୋଲା ରହିବ । କ୍ଷୀର ବୁଥ୍ ଖୋଲା ରହିବ କିନ୍ତୁ ସେଠାରେ ଚା’ କଫି’ ବ୍ୟବସ୍ଥାକୁ ଅନୁମତି ଦିଆଯିବ ନାହିଁ ବୋଲି ଘୋଷଣା କରାଯାଇଛି । ଆଜି ମଧ୍ୟରାତିରୁ ମାର୍ଚ୍ଚ ୨୯ ଯାଏ ସମସ୍ତ ଜିଲ୍ଲାରେ ଏହି ଲକ୍‌ ଡାଉନ୍‌ କାର୍ଯ୍ୟ କରିବ ବୋଲି ନିର୍ଦେଶ ଥିବା ବେଳେ ଆନ୍ଧ୍ର ଓ ତେଲେଙ୍ଗାନାରେ ମାର୍ଚ୍ଚ ୩୧ ଯାଏଁ ବଳବତ୍ତର ରହିବ ବୋଲି ଘୋଷଣା ହୋଇଛି । କରୋନା କଟକଣା ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କଡ଼ା ଚେତାବନୀ ଦେଇ କହିଛନ୍ତି, “କରୋନା କଟକଣା ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କୌଣସି ବାହାନା କରି ଘରୁ ଗାଡ଼ି କାଢ଼ିଲେ ସ୍ୱତନ୍ତ୍ର ଆଇନ ବଳରେ ଆବଶ୍ୟକ ହେଲେ ଗାଡି ସିଜ୍ କରାଯିବ । ସଚେତନ ଦ୍ୱାରା ହିଁ କରନା ରୋକ ଯାଇପାରିବ ବୋଲି ମନ୍ତ୍ରୀ ଘୋଷଣା କରିଥିବା ବେଳେ ସାରା ଦେଶରେ ଆଜି ଲକ ଡାଉନ ସଫଳତା ଦେଖିବାକୁ ମିଳିଛି । କାଁଭାଁ କିଛି ଲୋକ ଅବମାନନା କରୁଥିବା ବେଳେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାର ଦେଖାଯାଉଛି । ସେହିଭଳି ତେଲେଙ୍ଗାନାରେ ହାଇଦ୍ରାବାଦ ସିକନ୍ଦରାବାଦ, ଆନ୍ଧ୍ରରେ ବିଜୟୱାଡା, ରାଜମହେନ୍ଦ୍ରୀ, ବିଶାଖାପାଟଣା ଆଦି ସହରଗୁଡିକ ସମ୍ପୂର୍ଣ୍ଣ ଶୂନଶାନ ଦେଖାଦେଇଛି । ଗତକାଲି ଠାରୁ କରୋନା ଭାଇରସ ପାଇଁ ପ୍ରତିଷେଧକ ଔଷଧ ଘରେ ଘରେ ବଣ୍ଟନ କରାଯାଉଛି । ଅବମାନନା କରି ଯେଉଁମାନେ ବାହାରକୁ ଆସି ବୁଲୁଛନ୍ତି ସେମାନଙ୍କୁ ପୋଲିସ ତାଗିତ କରି ଘଉଡାଇବା ଦେଖିବାକୁ ମିଳୁଛି । ବିଭିନ୍ନ ସ୍ଥାନରେ କିଛି ସ୍ଵେଛା ସେବୀ ଲୋକଙ୍କୁ ସଚେତନ କରାଇବା ସହ ପ୍ରତିଷେଧକ ହୋମିଓ ଔଷଧ ବାଣ୍ଟୁଥିବା ଦେଖିବାକୁ ମିଳିଛି । ମୋଟାମୋଟି ଭାବରେ ସାରାଦେଶରେ ଆଜି ଲକ ଡାଉନ ପରିସ୍ଥିତି ସଫଳ ହୋଇଛି । ତେଲେଙ୍ଗାନା ଆନ୍ଧ୍ର ପ୍ରଦେଶ ଓ ଓଡିଶାରେ ଲକ ଡାଉନ ପୂର୍ଣ୍ଣ ସଫଳତା ସହ ଚାଲିଛି । ଅନ୍ୟପକ୍ଷରେ ଯୋଗାଯୋଗର ବିଚ୍ଛିନ୍ନତା ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ପନିପରିବା ଓ ରେସନ ସାମଗ୍ରୀର ଦର ବୃଦ୍ଧି ପାଉଥିବା ବିଭିନ୍ନ ରେସନ ଦୋକାନରେ ଦେଖିବାକୁ ମିଳିଛି । ଫଳରେ ସାଧାରଣ ଲୋକଙ୍କ ଉପରେ ଦରବୃଦ୍ଧିର ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି । ଏହା ଉପରେ ଜିଲ୍ଲା କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଆବଶ୍ୟକତା ରହିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା (ବ୍ୟୁରୋ ନ୍ୟୁଜ)