ଅସହାୟ ବୃଦ୍ଧାର ଶବ ସତ୍କାର କଲେ ସମାଜସେବୀ ଓ ସାମାଜିକ ସଂଗଠନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ମ୍ୟୁନିସିପାଲଟି ଅଧିନ ୧୧ ୱାର୍ଡର ପରିତ୍ୟକ୍ତ ପୁରୁଣା ଟାଉନ୍‌ହଲ ମଧ୍ୟରେ ବହୁ ନିରାଶ୍ରୟ ଲୋକେ ମୁଣ୍ଡ ଗୁଞ୍ଜିଛନ୍ତି । ବିଶେଷ କରି ସେମାନେ ଭିକ୍ଷ୍ୟାବୃତ୍ତି କିମ୍ବା ସ୍ଥାନୀୟ ଲୋକଙ୍କ ବାସିପାଇଟି କରି ଚଳନ୍ତି । ସେମାନଙ୍କ ମଧ୍ୟରୁ ଭିନ୍ନକ୍ଷମ ବୃଦ୍ଧା ପାନ ବିନ୍ଧାଣି(୬୯) ନିଜ ସ୍ୱାମୀ ମନସୁର ଓ ଜଣେ ରୋଗିଣା ପୁଅ ସହିତ ଦିନ କାଟୁଥିବା ବେଳେ ଗତ କାଲି ସଂଧ୍ୟାରେ ତାର ମୃତ୍ୟୁ ଘଟିଛି । ଶବ ସତ୍କାର ଲାଗି ସେମାନଙ୍କ ନିକଟରେ କୌଣସି ଆର୍ଥିକ ସମ୍ବଳ ନ ଥିବାରୁ ଶବଟି ପ୍ରାୟ ୧୫ ଘଣ୍ଟା ଧରି ଏହି ପରିତ୍ୟକ୍ତ ଘରେ ପଡି ରହିଥିଲା । ଏ ସମ୍ପର୍କରେ ସ୍ଥାନୀୟ ଯୁବ ନେତା ଆନନ୍ଦ କର ଖବର ପାଇ ସେଠାରେ ପହଞ୍ଚି ବିଭିନ୍ନ ସାମାଜିକ ସଂଗଠନ ମାନଙ୍କ ସହିତ ଯୋଗାଯୋଗ କରିଥିଲେ । ଆଜି ସକାଳେ ସାମାଜିକ ସଂଗଠନ ଭୋଲାଭଣ୍ଡାରୀର ହରେକୃଷ୍ଣ ପଣ୍ଡା, ମେ ଆଇ ହେଲ୍ପ ୟୁର ଜଗନ୍ନାଥ ପରିଡା ଓ ହେଲ୍ପ ଫର ୟୁର ମାନସ ଧଳ ଓ ତାଙ୍କ ସହଯୋଗୀମାନେ ପହଞ୍ଚି ଶବସତ୍କାରର ବ୍ୟବସ୍ଥା କରିଥିଲେ । ଖବର ପାଇ ବିଜେଡି ରାଜ୍ୟପରିଷଦ ସଭ୍ୟ ପ୍ରତୀପ ପ୍ରଧାନ ପହଞ୍ଚି ପୌରଅଧ୍ୟକ୍ଷ ଅଜୟ ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ତତ୍‌କ୍ଷଣାତ ପହଞ୍ଚି ହରିଶ୍ଚନ୍ଦ୍ର ଯୋଜନାରେ ୩ହଜାର ଟଙ୍କା ପ୍ରଦାନ କରିଥିଲେ । ଯୁବ ସମାଜସେବୀ ଓ ସାମାଜିକ ସଂଗଠନର ସଭ୍ୟମାନେ ମୃତ ପାନ ବିନ୍ଧାଣୀର ଶବକୁ ନେଇ ଶ୍ମାଶାନରେ ଦାହ କରିଥିବାରୁ ଜଳେଶ୍ୱର ଅଂଚଳବାସୀ ସାଧୁବାଦ ଜଣାଇଛନ୍ତି ।

ରିପୋର୍ଟ : ଭୂପତି ପରିଡା