ଅବକାରୀ ଓ ପୋଲିସ୍‌ର ତନାଘନା : ୫୪୦ଗ୍ରାମ ବ୍ରାଉନ୍‌ସୁଗର ସହିତ ୪ ଗିରଫ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉପାନ୍ତ ଜଳେଶ୍ୱର ଅଞ୍ଚଳରେ ଧଳାଜହର କାରବାର ଥମୁନଥିବା ବେଳେ ଗୁରୁବାର ରାତ୍ରି ୯ଟା ସମୟରେ ଅବକାରୀ ଓ ପୋଲିସ୍‌ର ଭିନ୍ନ ଭିନ୍ନ ଚଢାଉରେ ୫୪୦ ଗ୍ରାମ ବ୍ରାଉନ୍‌ସୁଗର ସହିତ ୪ଜଣଙ୍କୁ ଗିରଫ କରାଯାଇଛି । ୧ କୋଟି ଟଙ୍କାର ବ୍ରାଉନ୍‌ସୁଗର ଜଳେଶ୍ୱରକୁ ପ୍ରବେଶ କରୁଥିବା ଗୁଇନ୍ଦା ସୂତ୍ରରୁ ଖବର ପାଇବାପରେ ଅବକାରୀ ଓ ପୋଲିସ୍ ସକ୍ରିୟ ହୋଇ ଉଠିଥିଲା । ଘଟଣାରୁ ପ୍ରକାଶ, ଅବକାରୀ ଉପାୟୁକ୍ତ ଅଶୋକ କୁମାର ଶତପଥି ଓ ଅବକାରୀ ଆରକ୍ଷୀ ଉପାଧ୍ୟକ୍ଷ ସୁଶାନ୍ତ କୁମାର ପାଢୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ସଦର ନିରିକ୍ଷକ ପ୍ରବିଣ କୁମାରଙ୍କ ନେତୃତ୍ୱରେ ୮ଜଣିଆ ଟିମ୍ ପୂର୍ବ ସୂଚନା ଅନୁଯାୟୀ ଜଳେଶ୍ୱରର ବିଭିନ୍ନ ରାସ୍ତାରେ ଛକି ରହିଥିଲେ । ମୟୁରଭଞ୍ଜର କରଞ୍ଜିଆ ଥାନା ଅନ୍ତର୍ଗତ ଗିଧିବାସୀ ଗ୍ରାମର ଅନୀଲ କୁମାର ମହାନ୍ତି (୩୨) ଇତସ୍ତତ ଭାବେ ଝାଡେଶ୍ୱରପୁର ସ୍କୁଲ ସମ୍ମୁଖରେ ବୁଲୁଥିବା ବେଳେ ଅବକାରୀ ଟିମ୍ ତାକୁ ଅଟକ ରଖି ପଚାରାଉଚରା କରାଯାଇଥିଲା । ତା ନିକଟରୁ ଏକ ପଲିଥିନ୍‌ରେ ୨୪୦ ଗ୍ରାମର ବ୍ରାଉନ୍‌ସୁଗର ଜବତ୍ କରିବା ସହିତ ତାକୁ କେସ୍ ନଂ ୯୩/୨୧ ମୂଳେ ଗିରଫ କରାଯାଇ କୋର୍ଟ ଚ।ଲାଣ କରାଯାଇଛି । ଏହି ଚଢାଉରେ ଜୟମାଧବ ଦାସମହାପାତ୍ର, ରାମଚନ୍ଦ୍ର ମହାନ୍ତି, ଶଶିଭୂଷଣ ସ୍ୱାଇଁ, ରାଜୀବ ଦତ୍ତ, କୁମୁଦିନର ସୋ ପ୍ରମୁଖ ସାମିଲ ଥିଲେ । ଅନୁରୂପ ଭାବେ ଏସ୍‌ପିଓ ଅଙ୍କିତା କୁମ୍ଭାର ଓ ଆଇଆଇସି ପ୍ରଜ୍ଞା ମହାନ୍ତିଙ୍କ ନେତୃତ୍ୱରେ ୨୦ ଜଣିଆ ପୋଲିସ୍ ଟିମ୍ ଜଳେଶ୍ୱର ରେଳ ଷ୍ଟେସନର ପୂର୍ବପଟେ ଝାଡେଶ୍ୱରପୁର ଓ ପଥରପୁରା ସୀମାରେ ଅବସ୍ଥାପିତ ସେକ୍ ଜାମିରୁଦ୍ଦିନ ଓରଫ ସନିଆଙ୍କ ଘର ଉପରେ ଚଢାଉ କରାଯାଇଥିଲା । କୌଣଳକ୍ରମେ ସନିଆ ସେଠାରୁ ଖସିଯାଇଥିବା ବେଳେ ତାର ୩ ପୁଅ ସେକ୍ ବେଲାଲ, ସେକ୍ ରିଆଜ୍ ଓ ସେକ୍ ମିନାରଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୩୦୦ ଗ୍ରାମ ବ୍ରାଉନ୍‌ସୁଗର ଜବତ୍ କରିବାରେ ସଫଳ ହୋଇଥିଲେ । ଏହି ୨ ସ୍ଥାନରୁ ଜବତ୍ ହୋଇଥିବା ବ୍ରାଉନ୍ ସୁଗରର ଆନୁମାନିକ ମୂଲ୍ୟ ୫୪ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି । ସୂଚନାଯୋଗ୍ୟ ଏସ୍‌ଟିଏଫ, ଅବକାରୀ ଓ ପୋଲିସ୍ ବିଭାଗ ପକ୍ଷରୁ ଏହି ଅଞ୍ଚଳରୁ ଯେତେ ବ୍ରାଉନ୍‌ସୁଗର ଜବତ୍ କରାଯାଉଥିଲେ ମଧ୍ୟ ତାହା ଥମିବାରେ ନାମ ଧରୁନାହିଁ ।

ରିପୋର୍ଟ : ଭୂପତି ପରିଡା