ଗଞ୍ଜାମ ଜିଲ୍ଲା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ଲଘୁଚାପ ଜନିତ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତି ପୂରଣ ଦାବି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ସଭାପତି ପୀତବାସ ପଣ୍ଡାଙ୍କ ନେତୃତ୍ବରେ ଲଘୁଚାପ ଜନିତ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତି ପୂରଣ ଦାବିରେ ଆଜି ବ୍ରହ୍ମପୁରରେ ଜିଲ୍ଲା କୃଷି ଉପ ନିର୍ଦ୍ଧେଶକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଷ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଲଘୁଚାପ ଯୋଗୁ ଲଗାତାର ଭାବେ ଚାରିରୁ ପାଞ୍ଚ ଦିନ ଧରି ଲଗାଣ ବର୍ଷା ହୋଇଥିଲା, ଯାହା ଫଳରେ ଜିଲ୍ଲାରେ ଧାନ ଓ ପରିବା ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ, ତେଣୁ ଚାଷୀର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଛି । କଟା ହୋଇଥିବା ଧାନ, ବର୍ଷା ପାଣି ଦ୍ଵାରା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବଳକା ଧାନ ଗଛରେ ବର୍ଷା ପାଣି ମାଡିଯିବା ଫଳରେ ଧାନଗୁଡ଼ିକ ଅଗାଡି ହୋଇଯିବ । ଗଞ୍ଜାମ ଜିଲ୍ଲାର ନବେ ଭାଗ ଲୋକ ଚାଷ ଉପରେ ନିର୍ଭର କରି ଚଳନ୍ତି । ଗୋଟିଏ ବର୍ଷର ଚାଷ ଉଜୁଡିଗଲେ ଚାଷୀଙ୍କ ପରିବାର ଯେଉଁ ଆର୍ଥିକ କ୍ଷତିଗ୍ରସ୍ତ ହେବେ, ତା’ଫଳରେ ଜିଲ୍ଲାରେ ଅନାହାର ଓ ଦାଦନ ସଂଖ୍ୟା ବୃଦ୍ଧି ପାଇବ । ଆଜି ୬ ଦଫା ଦାବି ଗୁଡିକ ମଧ୍ୟରେ ଉଜୁଡି ଯାଇଥିବା ଧାନ ଫସଲର ଏକର ପିଛା ଦଶ ହଜାର ଟଙ୍କା ଓ ପରିଵା ଫସଲର ଏକର ପିଛା ପନ୍ଦର ହଜାର ଟଙ୍କା କ୍ଷତିପୂରଣ, ପ୍ରତି ପଞ୍ଚାୟତକୁ ଗୋଟିଏ ୟୁନିଟ ଭାବେ ଗ୍ରହଣ କରି କ୍ଷୟକ୍ଷତିର ଆକଳନ କରିବା, ଧାନର ଏଫ୍ ଏକ୍ୟୁ ମାନକୁ କୋହଳ କରି ବଞ୍ଚି ଯାଇଥିବା ଧାନକୁ କ୍ରୟ କରିବା, ଚାଷୀଙ୍କ ଖରିଫ ଋଣ ଛାଡ଼ କରିବା ସହ ଆଗାମୀ ରବି ଫସଲ ପାଇଁ ବୀହନ ପ୍ରଦାନ କରିବା ଏବଂ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଚାଷୀଙ୍କୁ ପାଞ୍ଚ ମାସ ପାଇଁ ଅଧିକ ୧୦ କେଜି ରାସନ ଯୋଗାଇ ଦିଆଯିବା ସହ ଏଥି ନିମନ୍ତେ ଚାଷିଙ୍କୁ ରୁଣ ପ୍ରଦାନ କରାଯାଉ ବୋଲି ଏକ ଦାବୀ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା । ଦାବି ପୂରଣ ନ ହେଲେ ଆନ୍ଦଳନକୁ ଜୋର୍ ଦାର୍ କରାଯିବ ବୋଲି ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସାଧାରଣ ସମ୍ପାଦକ ଭୋକାଲି ସେଠି କହିଛନ୍ତି । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା ପ୍ରମୋଦ ଜେନା, ସୁବାସ ରାଉତ, ସାଇପ୍ରସାଦ ପାତ୍ର, ଉଦୟ ପାଣିଗ୍ରାହୀ, ରବି ଅଧିକାରୀ, ସୁଧୀର ମହାରଣା, ପ୍ରଶାନ୍ତ ସାହୁ, କୃଷ୍ଣ ମହାପାତ୍ର, ସନ୍ତୋଷ ପୋଲେଇ, ମୁନା ଦୋରା, ସୁନିତା ସାହୁ, ସୁଚିତ୍ରା ଦାଶ, ସୌଭାଗ୍ୟ ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା