ମୁଁ ପୁସ୍ତକ କହୁଛି

ଦେଖ,
ଏତେ ଅଣଦେଖା କାଇଁ ଯେ,
ଥାକରେ ତ’ ସଜେଇ ଦେଲ
ଏମିତି ଶୋପିସ୍ ପରି..
ସତରେ, ଭାରି ଅଣନିଃଶ୍ବାସୀ ଲାଗେ ।

ଭାବେ, ଖୋଲା ପବନରେ ଟିକେ ବୁଲନ୍ତି..
ପାଠକର ହାତ ସ୍ପର୍ଶରେ
ଟିକିଏ ଶ୍ରଦ୍ଧାର ବାସ୍ନାରେ
ବିମୋହିତ ହୁଅନ୍ତି ।

ହଁ, ଅଛନ୍ତି କିଛି
ଏମିତି ମୋର ପ୍ରିୟ ପାଠକ
ସେମାନଙ୍କ ପାଇଁ ଯାହା ଟିକେ
ମନକୁ ବୁଝେଇ ଅଳ୍ପ ହସି ଦିଏ ଖୁସିରେ ।

ମୋ ଦୁଃଖ କେତେ ଜଣ ବୁଝନ୍ତି ଯେ ??..

ମତେ ନା, ନାହିଁ ନ ଥିବା
ଦୁଃଖ ମଧ୍ଯ ଲାଗେ ଭାବି ଭାବି ।
କେମିତି ନ ଲାଗିବ କୁହ ତ’

ମୋ ଆଖି ସାମ୍ନାରେ
ଅନେକ ସାଙ୍ଗକୁ ମୋର
ଉଇ ଆଉ କେତେ କେତେ
କୀଟ ଚରି ଯାଇଚନ୍ତି ।

କେତେ କେତେ ସାଙ୍ଗ ସାଥୀ
କାହିଁ କୁଆଡେ କେବେଠୁ ହଜି ଗଲେଣି ….
ଠିକଣା ନ’ ଥିବା
କେଉଁ ଅଜଣା ସ୍ଥାନରେ କେଜାଣି ।

ଅନେକ ସାଙ୍ଗଙ୍କୁ ମୋର
ମୁଢି, ଚନାଚୁରବାଲାଙ୍କ ହାତରେ
ଟେକି ଦିଆ ହେଇଚି ନିର୍ଦ୍ଦୟ ଭାବରେ ।

ମୁଁ ଅନୁଭବ କରେ
ମୁଢି,ଚଣାଚୁର ସହିତ
ମୋ ହାଡ ଗୋଡକୁ ମଧ୍ଯ
ସେମାନେ ଯେମିତି
ମଡମାଡ କରି ଖାଇ ଯାଉଚନ୍ତି ।

ଏମିତି ଅନେକ କଥା..ହୃଦୟ ବ୍ଯଥା ।

ମୁଁ ସବୁ ଦେଖେ….କିଛି କୁହେ ମଧ୍ଯ
ହେଲେ, କେହି ବୁଝି ପାରନ୍ତିନି ମତେ।

ପୁଣି ଭାବେ
ନା ନା ବୁଝି ପାରନ୍ତି ବୋଧେ
ନ’ ହେଲେ କେମିତି କୁହନ୍ତେ….

” ବହିଟି ମୋର ସାଥୀ….
ଏହି ବହିରୁ କେତେ ଯେ, କଥା
ଶିଖଇ ନିତି ନିତି ।”

ଛାଡ,ସବୁ ଅଳ୍ପ ଦିନିଆ ।

ଲେଖିକା : ଶ୍ରୀମତୀ ବିରଜା ମୋହିନୀ ତ୍ରିପାଠୀ , ସମ୍ବଲପୁର