୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ !

କେନ୍ଦୁଝର(ସମୃଦ୍ଧ ଓଡିଶା)ସରକାର ଗଞ୍ଜାଇ ବେପାରକୁ ବେଆଇନି କରିଥିଲେ ସୁଦ୍ଧା ଏହା ଏକ ଲାଭଜନକ ବେପାର ହୋଇଥିବାରୁ ରାଜ୍ୟର ବିଭିନ୍ନ ଆଦିବାସୀ ଅଧୁସିତ ଅଞ୍ଚଳରେ ଏହାର ପ୍ରଜନନ ବହୁଳ ଭାବରେ ହେଉଥିବା ଅଭିଯୋଗ ହେଉଛି। ତେଣୁ ପ୍ରତ୍ୟେକ ଦିନ ଗଞ୍ଜେଇ ବେପାରରେ କୋଉଠି ନା କୋଉଠି ପୋଲିସ ଅଭିଯୁକ୍ତକୁ ଗିରଫ କରିବାର ଖବର ଆସି ପହଞ୍ଚୁଛି। ଆଜି ପୋଲିସ ବ୍ରହ୍ମଗିରିରେ ଏକ ବଡ ଧରଣର ରାକେଟ ଠାବ କରିଥିବା ବେଳେ କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ଜଗମୋହନପୁର ଛକରେ ଗଞ୍ଜେଇ ଭର୍ତ୍ତି ପିକଅପ ଭ୍ୟାନକୁ ତେଲକୋଇ ପୋଲିସର ସହାୟତାରେ ନାର୍କୋଟେକ ବିଭାଗ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ଆକଳନ ହୋଇଛି। କୌଣସି ପ୍ରକାରେ ଖବର ପାଇ ପିକଅପ ଭ୍ୟାନରେ ଗଞ୍ଜେଇ ଚାଲାଣ ହେଉଥିବା ଜାଣି ନାର୍କୋଟେକ ବିଭାଗର କର୍ମଚାରୀମାନେ ଏହି ଗାଡିକୁ ବହୁ ପୂର୍ବରୁ ଫଲୋ କରି ଜଗମୋହନପୁର ଛକ ଠାରେ କାବୁ କରିଥିଲେ । ସୂଚନା ଅନୁଯାଇ ରବିବାର ଦିନ ୧୧ ଟା ସମୟରେ ପାଲ୍ଲଲହଡା ପଟୁ ଏକ ଗଞ୍ଜେଇ ବୋଝେଇ ପିକଅପ ଭ୍ୟାନ ଦୃତ ଗତିରେ ଆସୁଥିବା ବେଳେ ୪୯ନଂ ଜାତୀୟରାଜପଥ ଜଗମୋହନପୁର ଛକ ଠାରେ ନାର୍କୋଟେକ ବିଭାଗର କର୍ମଚାରୀମାନେ ଗାଡ଼ିଟିକୁ ଅଟକାଇଥିଲେ। ତେବେ ଗଞ୍ଜେଇ ଭର୍ତ୍ତି ପିକଅପ ଭ୍ୟାନକୁ ବିଭାଗ ଅଟକାଇବା ବେଳେ ସ୍ଥାନୀୟ ଲୋକେ ଏଥିରେ ସନ୍ଦେହ କରି ଏସମ୍ପର୍କରେ ତେଲକୋଇ ପୋଲିସକୁ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଞ୍ଜେଇ ଭର୍ତ୍ତି ପିକଅପକୁ ଜବତ କରିବା ସହ ନାର୍କୋଟେକ ବିଭାଗର କର୍ମଚାରୀ ଥିବା ଗାଡିକୁ ଜଗମୋହନପୁର ଫାଣ୍ଡିକୁ ନେଇଥିଲା । ଗଞ୍ଜେଇ ବୋଝେଇ ପିକଅପରେ ଥିବା ଦୁଇଜଣ ସନ୍ଦିଗ୍ଧଙ୍କ ମଧ୍ଯରୁ ଜଣେ ଦୌଡି ପଳାଇ ଯାଇଥିବା ବେଳେ ଅନ୍ୟ ଜଣକୁ ସ୍ଥାନୀୟ ଲୋକେ କାବୁ କରି ତେଲକୋଇ ପୋଲିସର ଜିମା ଦେଇଥିଲେ। ତେବେ ଗଞ୍ଜେଇ ବୋଝେଇ ପିକଅପ ଭ୍ୟାନକୁ ଜବତ କରିଥିବା ସମସ୍ତ ବ୍ୟକ୍ତି ନାର୍କୋଟେକ ବିଭାଗର କର୍ମଚାରୀ ବୋଲି ତେଲକୋଇ ପୋଲିସ କହିଥିବା ଜଣାପଡିଛି ।