ସୁବର୍ଣ୍ଣରେଖାର ବହୁ ଗ୍ରାମନିକଟ ତଟ ବିପଦପୂର୍ଣ୍ଣ : ମରାମତି ଲାଗି ବିଭାଗକୁ ବ୍ଳକ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବର୍ଷାଋତୁ ପୂର୍ବରୁ ସୁବର୍ଣ୍ଣରେଖା ନଦୀର ବିଭିନ୍ନ ତଟସ୍ଥିତ ଗ୍ରାମଗୁଡିକ ବିପଦପୂର୍ଣ୍ଣ ଅବସ୍ଥାରେ ଥିବାରୁ ଜଳେଶ୍ୱର ବ୍ଳକ ଅଧ୍ୟକ୍ଷ ସେଗୁଡିକ ପରିଦର୍ଶନ କରିଛନ୍ତି । ବନ୍ୟା ଆସିବା ପୂର୍ବରୁ ଜରୁରୀ କାଳିନ ପରିସ୍ଥିତିରେ ଏହାର ମୁକାବିଲା ନିମନ୍ତେ ବିଭାଗୀୟ ଯନ୍ତ୍ରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ନଦୀକୂଳିଆ ଗାଁ ଗୁଡିକ ନିକଟରେ ଥିବା ଦୁର୍ବଳ ସ୍ଥାନକୁ ବର୍ଷାଋତୁର ବହୁ ପୂର୍ବରୁ ମରାମତି କରାଯାଏ । କିନ୍ତୁ ମୌସୁମୀ ଜୁନ୍ ୧୫ ସୁଦ୍ଧା ସାଧାରରେ ପ୍ରବେଶ କରୁଥିବାରୁ ଜଳେଶ୍ୱର ବ୍ଳକର ସୁବର୍ଣ୍ଣରେଖା ନଦୀକୂଳ ବିପଦପୂର୍ଣ୍ଣ ସ୍ଥାନ ଗୁଡିକ ଯେପରି ମରାମତି କରାଯିବା ସେଭଳି ହୋଇନଥିବା ଜଣାଯାଇଛି । ନଦୀକୂଳ ପଂଚାୟତ ଗୁଡିକର ନବନିର୍ବାଚିତ ସରପଂଚ, ସଦସ୍ୟ ଓ ଜିଲାପରିଷଦଙ୍କ ଠାରୁ ଜାଣି ଜଳେଶ୍ୱର ବ୍ଳକ ଅଧ୍ୟକ୍ଷ ମାନସ କୁମାର ଜେନା ୨ ଦିନ ଧରି ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି । ମାକିଡିଆରୁ ଶିଖରପୁର ଯାଏ ନଦୀକୂଳ ଗାଁ ଗୁଡିକ ନିକଟରେ ଚୋରା ବାଲି ଖାଦାନ ରାସ୍ତା ଗୁଡିକ ରହିଥିବାରୁ ସେ ସବୁ ସ୍ଥାନ ବିପଦପୂର୍ଣ୍ଣ ରହିଛି । ଶ୍ରୀ ଜେନା, ଜଳସେଚନ ବିକାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରିୟବ୍ରତ ସିଂ ଓ ସହକାରୀ ଯନ୍ତ୍ରୀ ଧିରେନ୍ଦ୍ର ଦାସଙ୍କୁ ନେଇ କୁଅଁରପୁର, ମାକିଡିଆ, ଦକ୍ଷିଣ ପ୍ରହରାଜପୁର, ଗୋବରଘଟା, ଗୁରୁଦାସପୁର, ପ୍ରହରାଜପୁର, ଗୁଆଗଡିଆ, ଭାନୁପୁର ଇତ୍ୟାଦି ସ୍ଥାନରେ ସମତଳ ଅଂଚଳରୁ ନଦୀକୁ ପାଣି ଗଡିବା ଫଳରେ ସେଠାରୁ ଅତଡା ଖସିଛି ଓ ନଦୀକୂଳ ଦୁର୍ବଳ ହୋଇଛି । ଅଧ୍ୟକ୍ଷଙ୍କ ସହିତ ସରପଂଚ ନିମାଇଁ ଘୋଷ, ସମୀର ଘଡାଇ, ସଂଜିବ ଘୋଷ, କ୍ଷୀତିଶ ଦେ ପ୍ରମୁଖ ବିଭିନ୍ନ ସ୍ଥାନ ଦେଖିଥିଲେ । ସେହିପରି ଇଂ ଗୌରଗୋପାଳ ସେନ୍‌, ବିଷ୍ଣୁଚରଣ ପାତ୍ର, ରବି ରାୟ, ହରି ମହାଳିକ ପ୍ରମୁଖ ନେତୃବୃନ୍ଦ ବାଇଗଣବାଡିଆଠାରୁ ପଶ୍ଚିମବାର୍ଡ ନଦୀକୂଳ ଗାଁର ବିପଦପୂର୍ଣ୍ଣ ସ୍ଥାନ ଗୁଡିକୁ ବୁଲି ଦେଖାଇଥିଲେ । ଚଡ ନମକନା, ପଶ୍ଚିମବାର୍ଡ, କଣ୍ଟାପାଳ, ଚୋରମରା ଇତ୍ୟାଦି ବୁଲି ଦେଖିଥିଲେ । ଏହା ବ୍ୟତିତ ଗଡସାହି ବାଲିଆପାଳ, ଜମାଳପୁର, କୋଟସାହି, ଗୋବର୍ଦ୍ଦନପୁର ଇତ୍ୟାଦି ସ୍ଥାନରେ ମଧ୍ୟ ନଦୀବନ୍ଧର କେତେକ ସ୍ଥାନ ଦୁର୍ବଳ ଥିବା ଦେଖିବାକୁ ମିଳିଛି । ଜମାଳପୁର ହାଇସ୍କୁଲ ନିକଟରେ ବନ୍ୟାସମୟରେ ନଦୀର ସ୍ରେତରେ ଲାଗି ରହିଥିବା ପ୍ରଧାନମନ୍ତ୍ର ସଡକଟି ଭୁଷୁଡି ପଡିବାର ସମ୍ଭାବନା ରହିଥିବା ସଂପର୍କରେ କୁହାଯାଇଛି । ଏ ସବୁ ସ୍ଥାନ ଜରୁରୀ ମରାମତି କରାଯିବାକୁ ଅଧ୍ୟକ୍ଷ ଶ୍ରୀ ଜେନା ବିଭାଗୀୟ କର୍ମକର୍ତ୍ତାଙ୍କୁ ଚିଠି ଲେଖିଛନ୍ତି । ଏଥିଲାଗି ହଜାର ହଜାର ଖାଲିବସ୍ତା ଓ ବାଲି ବିଭିନ୍ନ ସ୍ଥାନରେ ଠୁଳ କରାଯାଇଥିବା ଜଳସେଚନ ବିଭାଗ ପକ୍ଷରୁ କୁହାଯାଇଛି । ଆଶ୍ୱର୍ଯ୍ୟର କଥା ଜଳେଶ୍ୱର ସହରକୁ ରକ୍ଷା କରିବାଲାଗି ରିଂ ବନ୍ଧ ନେଇ ବହୁକଥା ଶୁଣିବାକୁ ମିଳୁଛି । ଗତବର୍ଷ ଗୁରୁଦାସ ପୋଲ ନିକଟରେ ନଦୀ ଅତଡାରେ ଧ୍ୱଂସ ପାଇଥିବା ଅଂଚଳକୁ ସେତେବେଳେ ବାଲି ବସ୍ତା ପକାଯାଇଥିବା ବେଳେ ଅଦ୍ୟାବଧି ମରାମତି କାର୍ଯ୍ୟ ହୋଇନଥିବାରୁ ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି । 

ରିପୋର୍ଟ : ଭୂପତି ପରିଡା