ସିମୁଳିଆ ହରିଜନ ସାହିର ପ୍ରତିଘର ଚୁଲିରେ ପଶିଲା ବର୍ଷାପାଣି : ରନ୍ଧାଖାଦ୍ୟ ପାଇଁ ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀର୍ଘ ୩ ଦିନ ଧରି ବର୍ଷା ଲାଗି ରହିଥିବାରୁ ଗରିବ ଲୋକଙ୍କ ନାହିଁନଥିବା ଦୁଃଖ ବଢିଛି । ବର୍ଷାଯୋଗୁଁ ଅନ୍ୟତ୍ର କାର୍ଯ୍ୟ କରିବାକୁ ଯାଇପାରୁନଥିବା ବେଳେ କାନ୍ଥ ଭୁଷୁଡି କିମ୍ବା ଘରେ ପାଣି ପଡି ପରିସ୍ଥିତିକୁ କରିଛି ଜଟିଳ । ଗୃହପାଳିତ ପଶୁ ଓ ମଣିଷ ଏକ ସ୍ଥାନରେ ରହୁଥିବା ବେଳେ ଚୁଲିରେ ଆଣ୍ଠୁଏ ପାଣି । ତେଣୁ ରନ୍ଧାବଢା ଏକପ୍ରକାର ବନ୍ଦ ହୋଇ ଯାଇଛି । ବିଶେଷ କରି ଆଜି ଦିନତମାମ ବର୍ଷା ଲାଗି ରହିଥିବାରୁ ବହୁ ବ୍ୟକ୍ତି ଅଭୁକ୍ତ ଥିବା ଦେଖିବାକୁ ମିଳିଥିଲା । ଜଳେଶ୍ୱର ବ୍ଲକର ଧାନ ସିମୁଳିଆ ଗାଁର ହରିଜନ ସାହିରେ ବାସିନ୍ଦା ଅଂଜୁଲତା ଜେନା, ଲକ୍ଷ୍ମୀପ୍ରିୟା ଜେନା, କମଳାକାନ୍ତ ଜେନା, କାର୍ତ୍ତିକ ଜେନା, ନରୋତ୍ତମ ଜେନା, ଅବନୀ ଜେନା, ଭାକୁ ଜେନା, ନରେନ୍ଦ୍ର ଜେନା, ଖଗେନ୍ଦ୍ର ଜେନ, ଜୟନ୍ତ ଜେନା, ପ୍ରଶାନ୍ତ ଜେନା, ବିଶ୍ୱଜିତ୍ ଜେନା, ବିଶ୍ୱନାଥ ଜେନା, ଭାଗବତ ଜେନା, ଲକ୍ଷ୍ମୀଧର ଜେନା, ରଂଜିତ ଜେନା, ଉମାକାନ୍ତ ଜେନା, ଅର୍ଜୁନ ମାରାଣ୍ଡି, ମଂଗଳ କିସ୍କୁ, ଚୈତନ ପାତ୍ର, ଲକ୍ଷ୍ମଣ ମୁର୍ମୁ, ହେମନ୍ତ ପ୍ରମାଣିକ, କାର୍ତ୍ତକ ପ୍ରମାଣିକ, ଭାଷ୍କର ପ୍ରମାଣିକ, ସମ୍ଭୁନାଥ ଚନ୍ଦ, ଲକ୍ଷ୍ମଣ ହେମ୍ବ୍ରମ, ସୁକୁମାର ହେମ୍ବ୍ରମ, ରବିନ୍ଦ୍ର ମୁର୍ମୁ, ହରମୋହନ ମାରାଣ୍ଡି ପ୍ରମୁଖଙ୍କ ଘରେ ପାଣି ପଶିଥିବା ବେଳେ ଅଗଣାରେ ପାଣିର ଢେଉ ଖେଳୁଛି । ଏପରିକି ଗାଁ କର୍ଦ୍ଦମାକ୍ତ ଗାଁ ରାସ୍ତାରେ ୩/୪ ଫୁଟର ପାଣିର ସୁଅ । ସମସ୍ତଙ୍କ ଘରେ ବର୍ଷାପାଣି ପଡୁଥିବା ବେଳେ କାଁ ଭାଁ ଛାଡିଦେଲେ ବହୁ ବ୍ୟକ୍ତିଙ୍କୁ ମିଳିନି ଆବାସ ଯୋଜନା । ଆଜି ସେମାନେ ସେମାନଙ୍କ ପରିସ୍ଥିତି ସଂପର୍କରେ ସ୍ଥାନୀୟ ପ୍ରଶାସନ, ନେତୃସ୍ଥାନୀୟ ବ୍ୟକ୍ତି ଓ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ରିପୋର୍ଟ : ଭୂପତି ପରିଡା