ରେଡକ୍ରସ ଦିବସରେ ‘ଡାଏବେଟିସ୍ ଓ କୋଭିଡ୍‌’ ଆଲୋଚନାଚକ୍ର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କୋର୍ଟପେଟା ଛକ ସ୍ଥିତ ଆର.କେ ଡାଏବେଟିକସ୍ ଓ ଏଣ୍ଡୋକ୍ରାଇନୋଲୋଜି ସେଣ୍ଟର ପକ୍ଷରୁ ବ୍ରହ୍ମପୁର ଟାଉନ ହଲ ପରିସରରେ ରବିବାର ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ଆର.କେ ଡାଏବଟେିକସ୍ ସେଣ୍ଟରର ମୁଖ୍ୟ ତଥା ସହରର ବିଶିଷ୍ଟ ମଧୁମେହ ବିଶେଷଜ୍ଞ ଆସୋସିଏଟ ପ୍ରଫେସର ଡା. ପି. ରବି କୁମାରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏମକେସିଜି ମେଡିକାଲ କଲେଜ ଓ ହସପିଟାଲ ଅଧ୍ୟକ୍ଷ ତଥା ଡିନ ପ୍ରଫେସର ଡା. ଅବନୀକାନ୍ତ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ରେଡକ୍ରସ ବିଶ୍ୱର ଏକ ବଡ ସଂସ୍ଥା ​ବୋଲି କହିବା ସହ ଯେତେବେଳେ ମହାମାରୀ ଆସେ ରେଡକ୍ରସ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ପ୍ରକାର ​ସେବା ‌ବିଷୟରେ କହିଥିଲେ । କାର୍ଯ୍ୟକ୍ରମରେ ଏମକେସିଜିର ଉପାଧ୍ୟକ୍ଷ ପ୍ରଫେସର ଡା. ଦୁର୍ଗଚରଣ ଶତପଥି ସମ୍ମାନୀତ ଅତିଥିଭାବେ ଯୋଗଦେଇ ରେଡକ୍ରସ ଦିବସ ପାଳନ ଓ ଟୀକାକରଣ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଡା. ରବି କୁମାର ନିଜ ବକ୍ତବ୍ୟରେ ମଧୁମେହ ରୋଗ ବିଷୟରେ ଆର.କେ ଡାଏବେଟିକସ୍ ସେଣ୍ଟର ପକ୍ଷରୁ ଜନସାଧାରଣଙ୍କୁ କିଭଳି ସଚେତନ କରାଯାଉଛି ତାହା ଜଣାଇବା ସହ ‘ମଧୁମେହ ଓ କୋଭିଡ’ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ମଧୁମେହ ରୋଗୀଙ୍କୁ ସହଜରେ କରୋନା ହୁଏ ନାହିଁ, ଆଉ ଯଦି ହୁଏ ତେବେ ତାହା ଅତି ମାରାତ୍ମକ ହୋଇଯାଏ ବୋଲି ଡା. ରବିକୁମାର କହିଥିଲେ । ସେହିପରି ସନ୍ତୁଳିତ ଖାଦ୍ୟପେୟ, ନିୟମିତ ବ୍ୟାୟାମ, ମାନସିକ ଚାପରୁ ଦୂରରେ ରହିଲେମଧୁମେହକୁ ରୋକା ଯାଇ ପାରିବ । ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ବରିଷ୍ଠ କର୍ମଚାରୀ ଡ. ଶଙ୍କର ମାଝି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମହାମାୟୀ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଡ. ସ୍ୱର୍ଣ୍ଣଲତା ପଟ୍ଟାନୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଲୋକସେବ ମଣ୍ଡଳର ଆଜୀବନ ସଦସ୍ୟ ରାଜେନ୍ଦ୍ର କୁମାର ଜେନା, ଅବସରପ୍ରାପ୍ତ ସେନା ଅଧିକାରୀ ଅଶୋକ ସାମନ୍ତ, କଳିଙ୍ଗ ବିଦ୍ୟାମନ୍ଦିର ସମ୍ପାଦକ ହରିକୃଷ୍ଣ କୋଠିଆ, ଅଧ୍ୟାପକ ଡ. ରମେଶ ପ୍ରଧାନଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଜିଲା ଇକୋ କ୍ଳବ ସଂଯୋଜକ ଡ. ଶଙ୍କର ନାରାୟଣ ବେଜ ଧନ୍ୟବାଦ ଦେଇଥିଲେ । ଆର.କେ ଡାଏବେଟିକସ୍ ପକ୍ଷରୁ ଟାଉନହଲରେ ଉପସ୍ଥିତ ୨୦୦ରୁ ଉର୍ଦ୍ଧ୍ୱେ ବ୍ୟକ୍ତିଙ୍କ ମଧୁମେହ ଓ ଥାଇରଏଡ ପରୀକ୍ଷା କରାଯାଇ ରିପୋର୍ଟ ପ୍ରଦାନ କରାଯାଇଥିଲା । ସେହିପରି ଉପସ୍ଥିତ ବ୍ୟକ୍ତିମାନେ ମଧୁମେହକୁ ନେଇ ନିଜ ମନରେ ଥିବା ବିଭିନ୍ନ ପ୍ରଶ୍ନ ଡା. ରବିକୁମାରଙ୍କୁ ପଚାରି ଦ୍ବନ୍ଦ ଦୂର କରିଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ସେଣ୍ଟରର ସମସ୍ତ କର୍ମଚାରୀ ଓ ବିଭିନ୍ନ ଔଷଧ କମ୍ପାନୀର ପ୍ରତିନିଧି ସହଯୋଗ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା