ରାଜ୍ୟସ୍ତରୀୟ ସଂସ୍କୃତ ଦିବସ ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବଳଦିଆବନ୍ଧସ୍ଥିତ ଗୌରାଙ୍ଗ ଚରଣ ବିଦ୍ୟାପୀଠ ଠାରେ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ପକ୍ଷରୁ ରାଜ୍ୟ ସ୍ତରୀୟ ସଂସ୍କୃତ ଦିବସ କରୋନା ନିୟମ ଅନୁପାଳନ ପୂର୍ବକ ଡକ୍ଟର ନିରଞ୍ଜନ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ସଂସ୍କୃତ ବିଷୟ ତଥା ସଂସ୍କୃତ ଶିକ୍ଷକମାନଙ୍କ ପ୍ରତି ସରକାରଙ୍କ ହତାଦର ଭାବ ଯୋଗୁଁ ବକ୍ତାମାନେ ଉଦବେଗ ପ୍ରକାଶ କରିଥିଲେ । ହାଇସ୍କୁଲ ସ୍ତରରେ ତୃତୀୟ ଭାଷାର ବିକଳ୍ପରେ ସ୍ଥାନିତ ଆଇ.ଟି.ଅଟୋମେଟିଭ ଇତ୍ୟାଦିକୁ ସ୍ଵତନ୍ତ୍ର ବିଷୟ ଭାବରେ ରଖିବା ଓ ସଂସ୍କୃତ ଶିକ୍ଷକ ମାନଙ୍କୁ କ୍ୟାଡ଼ର ଅନ୍ତର୍ଭୁକ୍ତ କରିବା ପାଇଁ ସରକାରଙ୍କୁ ପୁନଃ ନିବେଦନ କରାଯାଇଛି । ବରିଷ୍ଠ ସଂସ୍କୃତ ବିଦ୍ୱାନ ପଣ୍ଡିତ ବୈକୁଣ୍ଠ ଚରଣ ସାହୁ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସମାରୋହକୁ ଉଦଘାଟନ କରିଥିଲେ । ବେଦମନ୍ତ୍ର ପାଠ କରିଥିଲେ ପଣ୍ଡିତ ଶତ୍ରୁଘ୍ନ ବେହେରା । ସାଧାରଣ ସମ୍ପାଦକ ଟୁଟୁ ମିଶ୍ର ସ୍ୱକୀୟ ସଂପାଦକୀୟ ବିବରଣୀରେ ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ । ମୁଖ୍ୟବକ୍ତା ଭାବେ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘର ସଭାପତି ପଣ୍ଡିତ ପ୍ରଫୁଲ୍ଲ କୁମାର ସାହୁ ତାଙ୍କର ଓଜସ୍ଵିନୀ ଅଭିଭାଷଣରେ ତଥ୍ୟ ପୂର୍ଣ୍ଣ ବିଷୟ ଉପସ୍ଥାପନ କରି ମନ୍ତ୍ର ମୁଗ୍ଧ କରିଦେଇଥିଲେ , ସମ୍ମାନିତ ବକ୍ତା ଭାବେ ପଣ୍ଡିତ ଲକ୍ଷ୍ମୀଧର ରାଉତ, ପଣ୍ଡିତ ସତ୍ୟବାଦୀ ପଣ୍ଡା, ପଣ୍ଡିତ ପ୍ରହଲ୍ଲାଦ ମିଶ୍ର, ପଣ୍ଡିତ ଉଦୟନାଥ ପତି, ପଣ୍ଡିତ ବୁଦ୍ଧଦେବ ସାହୁ ସ୍ୱକୀୟ ମନ୍ତବ୍ୟ ପ୍ରଦାନ ପୂର୍ବକ ସଂଘର ଐକ୍ୟତା ଉପରେ ପ୍ରାଧାନ୍ୟ ଦେଇଥିଲେ । ସମ୍ମିଳନୀରେ ଢେଙ୍କାନାଳ ଜିଲ୍ଲାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ପଣ୍ଡିତ ଉପେନ୍ଦ୍ର ନାଥ ପଣ୍ଡା , ପଣ୍ଡିତ ରବିନାରାୟଣ ଆଚାର୍ଯ୍ୟ , ପଣ୍ଡିତ ରମେଶ ଚନ୍ଦ୍ର ଦାଶ , ପଣ୍ଡିତ ଅକ୍ଷୟ କୁମାର ଦଳବେହେରାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘର କୋଷାଧ୍ୟକ୍ଷା ପଣ୍ଡିତା ସାବିତ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ପଣ୍ତିତ ଟୁଟୁ ମିଶ୍ର, ସାଧାରଣ ସମ୍ପାଦକ, ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ, ଢେ଼ଙ୍କାନାଳ ଶାଖା ଜଣାଇଛନ୍ତି।