ମୃତକଙ୍କ ପରିବାରକୁ ମିଳିବ ୧୦ ଲକ୍ଷ, ଗୁରୁତରଙ୍କୁ ୨ ଲକ୍ଷ : ମୂଖ୍ୟମନ୍ତ୍ରୀ ନିଜେ ସ୍ଥିତି ସମୀକ୍ଷା କରୁଛନ୍ତି

ବାଲେଶ୍ୱର(ସମୃଦ୍ଧଓଡିଶା)ଆଜି ସନ୍ଧ୍ୟା ପ୍ରାୟ ୭ଟା ରେବାହାନଗା ନିକଟରେ ଦୁଇ ଏକ୍ସପ୍ରେସ୍ ଭିତରେ ଭୟଙ୍କର ଦୁର୍ଘଟଣା ଘଟିଛି । ଅଲଗା ଟ୍ରାକରେ ଯାଉଥିଲେ ମଧ୍ୟ କରମଣ୍ଡଳ ଏକ୍ସପ୍ରେସ ଓ ଯଶୱନ୍ତପୁର-ହାୱଡ଼ା ଏକ୍ସପ୍ରେସ ପରସ୍ପର ଭିତରେ ଧକ୍କା ହୋଇଥିବା ସୂଚନା ମିଳିଛି। ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ। ଯଶୱନ୍ତପୁର-ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା। ଫଳରେ ୧୭ଟି ବଗି ଲାଇନଚ୍ୟୁତ ହୋଇଛି । ବାଲେଶ୍ୱରର ବାହାନଗା ଷ୍ଟେସନ ନିକଟରେ ଭୟାବହ ଟ୍ରେନ ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ୩୦୦ରୁ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରସ୍ଥିତ ଏସଆରସି ଅଫିସରେ ରାତିସାରା ବସି ସ୍ଥିତିର ସମୀକ୍ଷା କରିବା ପରେ ଆସନ୍ତାକାଲି ଦୁର୍ଘଟଣାସ୍ଥଳକୁ ଯିବେ ବୋଲି କହିଛନ୍ତି। ସେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଇଛନ୍ତି।ସେପଟେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୋଆରୁ ଦୁର୍ଘଟଣାସ୍ଥଳକୁ ଆସୁଥିବା ଜଣାପଡ଼ିଛି । କେନ୍ଦ୍ର ରେଳମନ୍ତ୍ରୀ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୧୦ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଥିବାବେଳେ ଗୁରୁତରଙ୍କୁ ୨ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କୁ ୫୦ହଜାର ଟଙ୍କା ସହାୟତା ମିଳିବ ବୋଲି ଘୋଷଣା କରିଛନ୍ତି । ଦୁର୍ଘଟଣାସ୍ଥଳରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଉଦ୍ଧାର ଓ ଚିକିତ୍ସା ସେବା କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି । ୩ଏନଡିଆରଏଫ ଓ ୪ଓଡ୍ରାଫ ଟିମ୍ ଓ ୧୫ଟି ଅଗ୍ନିଶମ ବାହିନୀ ଟିମ୍ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଲେଭଲକ୍ରସିଂ ପାଖରେ ଅଟକି ରହିଥିବା ଗୋଟିଏ ବୋଲୋରୋ ଓ ଅନ୍ୟ କିଛି ଗାଡ଼ି ମଧ୍ୟ ଏହି ବଗି ତଳେ ଚାପି ହୋଇଯାଇଛି । ଏହି ଦୁର୍ଘଟଣା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରମୁଖ ଦୁଃଖ ବ୍ୟକ୍ତ କରିଛନ୍ତି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବିଳମ୍ବେ ଉଦ୍ଧାର କାର୍ଯ୍ୟ ଜାରି ରଖି ନିଜେ ସ୍ଥିତି ସମୀକ୍ଷା କରୁଛନ୍ତି ଓ ଆସନ୍ତା କାଲି ଘଟଣା ସ୍ଥଳକୁ ଗସ୍ତ କରିବେ ବୋଲି ଘୋଷଣା କରିଛନ୍ତି ।ଏହି ଉଦ୍ଧାର କାର୍ଯ୍ୟରେ ପ୍ରମୁଖ ଭୂମିକା ନେଇଛନ୍ତି ୫ ଟି ସଚିବ ଭି କେ ପଣ୍ଡିୟାନ।