ମା’ ତାରାତାରିଣୀ ମନ୍ଦିରର ଟ୍ରଷ୍ଟ ବୋର୍ଡ ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲାର ଆରାଧ୍ୟା ଦେବୀ ମା’ ତାରାତାରିଣୀ ମନ୍ଦିରର ଟ୍ରଷ୍ଟ ବୋର୍ଡର ଏକ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମନ୍ଦିରର ନିର୍ମାଣ ଓ ମରାମତି କାର୍ଯ୍ୟ, ମନ୍ଦିର ପରିଚାଳନା, ମନ୍ଦିରରେ ଅନୁଷ୍ଠିତ ହେଉଥିବା ପର୍ବପର୍ବାଣୀ ନିମନ୍ତେ ଆବଶ୍ୟକୀୟ ଅର୍ଥ, ମନ୍ଦିରର ମାସିକ ଖର୍ଚ୍ଚ ଏବଂ ମନ୍ଦିରର ରିତିକାନ୍ତି ଓ ପାରମ୍ପରିକ ଉତ୍ସବ ପାଳନ ଆଦି ବିଷୟ ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ବୈଠକ ପ୍ରାରମ୍ଭରେ ଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇ ଆରାଧ୍ୟା ଦେବୀ ମା’ ତାରାତାରିଣୀଙ୍କ ମନ୍ଦିରର ଉନ୍ନତ ମୂଳକ କାର୍ଯ୍ୟଶୈଳୀକୁ ପ୍ରଂଶସା କରିିବା ସହ ଏଥି ନିମନ୍ତେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବର୍ତ୍ତମାନ ମନ୍ଦିରର ବିକାଶ କାର୍ଯ୍ୟ ଦିନରାତି ଅହରହ ଚାଲୁ ରହିଥିବାରୁ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡାଇବା ପାଇଁ ଭକ୍ତ ମାନଙ୍କ ଦର୍ଶନ ବନ୍ଦ ରଖାଯାଇଛି । ମନ୍ଦିରର ରୋଷଘର ଠାରୁ ମଝି ମନ୍ଦିରର ଗୁମୁଟ ପର୍ଯ୍ୟନ୍ତ ଛାତ କାର୍ଯ୍ୟ କରିବା ସହ ମନ୍ଦିରର ବେଢା ଭିତରେ ଦଶ ମହାବିଦ୍ୟା ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସେବାୟତ ମାନେ ମନ୍ଦିର ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ତଥା ଜିଲ୍ଲାପାଳଙ୍କୁ ଜଣାଇବା ସହ ମନ୍ଦିରର ପ୍ରସାଦ ମଣ୍ଡପ ଓ ପାଦ ଦେଶରେ ମନ୍ଦିରର ଏକ କାର୍ଯ୍ୟାଳୟ ନିର୍ମାଣର କାର୍ଯ୍ୟ ସମାପ୍ତ ହୋଇ ଆସିଥିବାର ସୂଚନା ଦେଇଥିଲେ । ଏହାପରେ ଆସନ୍ତା ନଭେମ୍ବର ସୁଦ୍ଧା ମନ୍ଦିରର ସମସ୍ତ କାର୍ଯ୍ୟକୁ ଶେଷ କରିବା ନିମନ୍ତେ ଜିଲ୍ଲାପାଳ ପରାମର୍ଶ ଦେବା ସଙ୍ଗେ ସଙ୍ଗେ ପାଦ ଦେଶରୁ ମନ୍ଦିର ପର୍ଯ୍ୟନ୍ତ ସୋଲାର ଲାଇଟ୍ ଲଗାଯିବା ସହ ମନ୍ଦିରକୁ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିବା ପାଇଁ ଭୂତଳ ଲାଇନ୍ ତାର ବିଛାଇ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା କରିବା ନିମନ୍ତ ସାଉଥ୍ କୋକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ମନ୍ଦିରରେ ବିଶୁଦ୍ଧ ପାନୀୟ ଜଳ, ଶୌଚାଳୟ ଓ ପରିମଳ ବ୍ୟବସ୍ଥା ତୁରନ୍ତ ଶେଷ କରିବା ପାଇଁ ଜିଲ୍ଲାପାଳ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ପୁରୁଷୋତ୍ତମପୁର ତହସିଲଦାର ନିତେଶ କୁମାର ତ୍ରିପାଠୀ, ପୁରୁଷୋତ୍ତମପୁର ବିଡିଓ ବିଜୟ କୁମାର ବେହେରା, ଆସିଷ୍ଟାଣ୍ଟ କଲେକ୍ଟର ବିକ୍ରମ କୁମାର ଦୋରା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରମେଶ ଚନ୍ଦ୍ର ସେଠୀ, ମା ତାରାତାରିଣୀ ମନ୍ଦିରର ସେବାୟତ ମାନଙ୍କ ସଭାପତି ତପନ କୁମାର ରଣା, ସେବାୟତ ଧୃବ ଚରଣ ରଣା, ବିଷ୍ଣୁ ପ୍ରସାଦ ରଣା, ସନତ୍ କୁମାର ରଣା ପ୍ରମୁଖ ଯୋଗ ଦେଇଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା