ମର୍ଦ୍ଧକୋଟ ବିଦ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କଲେ ଅଭିଭାବକ : ପରିଚାଳନା କମିଟି ଗଠନ ପାଇଁ ଦାବୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମର୍ଦ୍ଧକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଅଭିଭାବକମାନେ ଅଭିଯୁକ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ସହ ବିଦ୍ୟାଳୟ ପରିଚାଳନା କମିଟି ପୁନଃ ଗଠନ ପାଇଁ ଦାବୀ କରି ଗତକାଲି ଆନ୍ଦୋଳନ କରିଥିଲେ । ଏହି ଅବସରରେ ଦୀର୍ଘ ୨ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟାଳୟ ଫାଟକ ବନ୍ଦ କରି ତାଲା ପକାଇ ବିଦ୍ୟାଳୟ ଭିତରକୁ କୌଣସି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଛାଡି ନ ଥିଲେ ଆନ୍ଦୋଳନକାରୀ । ପରେ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି, ବେଗୁନିଆପଡା ଫାଣ୍ଡି ଅଧିକାରୀ ସଂଗ୍ରାମ ଦିହୁରୀ, ବେଗୁନିଆପଡା ବିଇଓ କମଳାକାନ୍ତ ସାହୁ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ତଦନ୍ତ ଚାଲିଛି ବୋଲି ପ୍ରକାଶ କରିବା ପରେ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ ଆନ୍ଦୋଳନକାରୀ । ପ୍ରକାଶ ଥାଉକି, ଗତ ଶୁକ୍ରବାର ଦିନ ବିଦ୍ୟାଳୟରୁ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଗଲା ପରେ ଜୈନିକ ଶିକ୍ଷକ ଜଣେ ଶିକ୍ଷୟତ୍ରୀଙ୍କ ସହିତ ବିଦ୍ୟାଳୟ ଭିତରେ ଅସଂଯତ ଅବସ୍ଥାରେ ଦେଖିଥିବା ଆଉ ଜଣେ ଶିକ୍ଷୟତ୍ରୀଙ୍କୁ ଘଟଣା ପ୍ରଘଟ ନ କରିବା ପାଇଁ ଅଭିଯୁକ୍ତ ଶିକ୍ଷକ ମାରପିଟ ସହ ଧମକ ଦେଇଥିବା ଥାନାରେ ମାମଲା ରୁଜ୍ଜୁ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଚଳାଇଥିବା ବେଳେ ଏପଟେ ଅଭିଯୁକ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ବଦଳି ଓ ପୁନଃ ପରିଚାଳନା କମିଟି ଗଠନ ପାଇଁ ଦାବୀରେ ଗ୍ରାମବାସୀ ଓ ଅଭିଭାବକ ମହଲ ଆନ୍ଦୋଳନକୁ ଓହ୍ଲାଇ ଥିଲେ । 

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା