……ଭାଙ୍ଗି ବାନି ତା ଭରସା……

ଉତ୍କଳ ମାତାର ଦାୟାଦ ଆମେ ରେ
ରଖିବା ତାହାରି ନାଆଁ,
ଜୟ ଗାନ ତାର ସଦା ମୁଖେ ଥିବ
ସେ ପରା ଆମରି ମାଆ ।
ମାତୃଭାଷା ମାତୃଭୂମିର ମମତା
ସବୁରି ହୃଦରେ ଭରା,
ତାହାରି ସେବାରେ ନିଜକୁ ସମର୍ପି
ଗଢିବୁ ସୁନ୍ଦର ଧରା ।
ସଦା ବନ୍ଦନୀୟା ସଦା ପୂଜନୀୟା
ମାଆ ସହ ତୁଳନୀୟ,
ପୂରୁବ ଗୌରବ ପୂରୁବ ଗାରିମା
ମନକୁ କରେ ଅଥୟ ।
ଇତିହାସ ପୁଷ୍ଠା ଯେତେ ଲେଉଟିବା
ଅନ୍ତ ତାର ହେବ ନାହିଁ,
ଭାଷା ସଂସ୍କୃତିର ସେ ମହାସାଗର
କଳନା ତାହାର ନାହିଁ ।
ଉତ୍କଳ ମାତାର କେତେ ବୀର ପୁତ୍ର
ଆସିଥିଲେ ଅବତରି,
ଓଡ଼ିଶାର ଧର୍ମ ଈଶ୍ୱର ତା କର୍ମ
କେ ନ ପାରିବ ପାଶୋରି ।
ଶାନ୍ତି ପ୍ରୀତି ପ୍ରେମେ ଗଢା ତ ସଭିଏଁ
ହୁଏ ଆତ୍ମାର ମିଳନ,
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷେ ଆମେ
ଏକ ମାଆର ସନ୍ତାନ ।
ବେଦ ଉପନିଷଦ ସବୁ ଏ ଉତ୍କଳେ
ଧର୍ମର ବାରତା ଗାଏ,
କେତେ ଉପାଧିରେ ମଣ୍ଡିତ ହୁଅନ୍ତି
ଆମ ପାଇଁ ଗର୍ବ ସିଏ ।
ଓଡ଼ିଆ ଭାଷାର ଉନ୍ନତି ପାଇଁକି
ବାନର ସେନା ତ ସାଜ,
ରାମାୟଣ ପୋଥି ଗୁଣ୍ଡୁଚି କାହାଣୀ
ମନରେ ଟିକିଏ ହେଜ ।
ପ୍ରତି ଘରେ ଘରେ ପ୍ରତି ଅନୁଷ୍ଠାନେ
ଭାଷାକୁ ଗୁରୁତ୍ୱ ଦେବା,
ଯେଉଁଠି ବି ଆଖି ଘୂରାଇ ଆଣିବା
ଓଡ଼ିଆ ଭାଷା ପାଇବା ।
ମାଆର ମହତ୍ଵ ଭାଷାର ମହତ୍ଵ
ରଖି ଯଦି ନ ପାରିବା,
ଉତ୍କଳ ସନ୍ତାନ ବୀର ଦର୍ପେ ପୁଣି
ମୁଖେ କହି ନ ପାରିବା ।
ଜୟଗାନ ସଦା କରୁ ଥିବା ତାର
ତ୍ୟାଗ ବଳି ଦାନ ଦେଇ,
ସମୟ ପଡ଼ିଲେ ଜୀବନ ଦେବାକୁ
ପଛ ଘୁଞ୍ଚା ଦେବା ନାହିଁ ।
ଭାରି ମିଠା ଲାଗେ ମୁଖେ ମାଆ ଡାକ
ଭାରି ମିଠା ତାର ଭାଷା,
ମାଆ ପରି ଆମ କରିଛି ପାଳନ
ଭାଙ୍ଗିବା ନି ତା ଭରସା ।

ସରିତା ମହାନ୍ତି (ଶିକ୍ଷୟିତ୍ରୀ)
ବାଲିଆପାଳ, ବାଲେଶ୍ଵର