ନାମ୍ପୋରେ ସ୍ଥାୟୀ ଡାକ୍ତର ନିଯୁକ୍ତିରେ ଅନଶନ ୩ୟ ଦିନରେ : ଡେପୁଟେସନରେ ଡାକ୍ତର ନିଯୁକ୍ତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ନାମ୍ପୋ ଏକ ପ୍ରମୁଖ ସ୍ଥାନ ହୋଇଥିଲେ ମଧ୍ୟ ଏବଂ ନିକଟସ୍ଥ ୬ଟି ପଂଚାୟତ ନାମ୍ପୋ ଗୋଷ୍ଠୀସ୍ୱାସ୍ଥ୍‌୍ୟକେନ୍ଦ୍ର ଉପରେ ନିର୍ଭର କରୁଥିଲେ ମଧ୍ୟ ଦୀର୍ଘ ୧୫ବର୍ଷ ଧରି ସେଠାରେ ସ୍ଥାୟୀ ଡାକ୍ତର ନ ଥିବାରୁ ୩ଦିନ ଧରି ଆମରଣ ଅନଶନ ଚାଲିଛି । ପୂର୍ବରୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପକ୍ଷରୁ ପ୍ରତିନିଧି ପଠାଯାଇ ସପ୍ତାହକୁ ୨ଦିନ ଡେପୁଟେସନରେ ଡାକ୍ତର ଯୋଗାଇବା ଓ ମାସକପରେ ସ୍ଥାୟୀ ଡାକ୍ତର ନିଯୁକ୍ତି ସମ୍ପର୍କରେ ଅନସନଧାରୀଙ୍କୁ କୁହାଯାଇଥିଲେ ମଧ୍ୟ ବାରମ୍ବାର ବହୁ ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇନଥିବାରୁ ଆଜି ସେମାନେ ରାଜି ହୋଇନଥିଲେ । ଆଜି ତୃତୀୟ ଦିନରେ ଜଗନ୍ନାଥ ପ୍ରଧାନ, ସୁଧିର କୁମାର ଭୂୟାଁ, ପ୍ରଣବ ବାରିକ ଓ ବିଜୟ ପାତ୍ର ଅନଶନରେ ବସିଥିଲେ ମଧ୍ୟ ସ୍ଥାୟୀ ଡାକ୍ତର ପରିବର୍ତ୍ତେ ଆଜି ନିର୍ଦ୍ଦିଷ୍ଟ ସମୟରେ ଜିକେଭଟ୍ଟର ହସ୍‌ପିଟାଲରୁ ଡ. ମହିମ ରଂଜନ ଦେ ଡେପୁଟେସନରେ ସେଠାକୁ ଆସି କାର୍ଯ୍ୟ ଆରମ୍ଭ କରିଛନ୍ତି । କିନ୍ତୁ ସ୍ଥାୟୀ ଡାକ୍ତର ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ଅନଶନ ଧାରି ସେମାନଙ୍କ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି । ଏଥିରେ ସାଂସଦ ଓ ବିଧାୟକଙ୍କ ପ୍ରତିନିଧିମାନେ ଆସି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି ପରିଡା