ଟାଏକୋଣ୍ଡୋ ପ୍ରଶିକ୍ଷଣ ପାଇଁ ସୁବିଧା ଦାବୀ…

ଛତ୍ରପୁର (ସମୃଦ୍ଧ ଓଡିଶା) ଟାଏକୋଣ୍ଡୋ ଭଳି ଏକ ଅଲମ୍ପିକ ମାନ୍ୟତା ପାଇଥିବା ଖେଳରେ ଗଞ୍ଜାମ ଜିଲ୍ଲାର କ୍ରୀଡ଼ାବିତମାନେ କ୍ରମାଗତ ଭାବେ ଉନ୍ନତ ପ୍ରଦର୍ଶନ କରି ଆସୁଛନ୍ତି । ଗତ ଜୁଲାଇ ୨୨ରୁ ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ କୋରିଆରେ ଅନୁଷ୍ଠିତ ବିଶ୍ୱ ଟାଏକୋଣ୍ଡୋ ଓପନ ପୁମସି ପ୍ରତିଯୋଗିତାରେ ଛତ୍ରପୁର ସ୍ଥିତ କେଏମପି କ୍ରୀଡ଼ା ଏକାଡେମୀର ୧୧ ଜଣ କ୍ରୀଡ଼ାବିତ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ସିନିୟର ମହିଳା ବର୍ଗରେ ଶୁଭଶ୍ରୀ ପାଢୀ ଆଫଗାନିସ୍ଥାନ ଓ ଚାଇନାର ଖେଳାଳିଙ୍କୁ ହରାଇ ଅନ୍ତିମ ରାଉଣ୍ଡରେ ପ୍ରବେଶ କରିଥିଲେ ସୁଦ୍ଧା ବିଶ୍ୱ ସ୍ତରରେ ୬ଷ୍ଠ ସ୍ଥାନରେ ପହଞ୍ଚିଥିଲେ । ତେବେ ଏହା ମଧ୍ୟ ରାଜ୍ୟ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ । ଏଣୁ ସେମାନଙ୍କୁ ଉନ୍ନତ ମାନର ତାଲିମ ପ୍ରଦାନ କରିବା ପାଇଁ ଏକ ସ୍ଥାୟୀ ସ୍ଥାନର ବନ୍ଦୋବସ୍ତ କରିବା ପାଇଁ ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି । ରବିବାର ଦିନ ଓଡିଶା ଟାଏକୋଣ୍ଡୋ ସଂଘର ସମ୍ପାଦକ କେ. ମନୋଜ ପ୍ରଧାନଙ୍କ ନେତୃତ୍ୱରେ ଖେଳାଳିମାନେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ଜନ୍ମ ଦିବସର ଶୁଭେଚ୍ଛା ଜ୍ଞାପନ କରିଥିଲେ । ଜାତୀୟ ସ୍ତରରେ ଆଭାଷୀ ଜରିଆରେ ଅନୁଷ୍ଠିତ ପ୍ରତିଯୋଗିତାରେ ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ବିଜେତାଙ୍କୁ ଡାକ ମାଧ୍ୟମରେ ଆସିଥିବା ପଦକକୁ ଜିଲାପାଳ ବିଜୟୀ ପ୍ରତିଯୋଗୀ ଶୁଭଶ୍ରୀ ପାଢୀ, ତେଜସ୍ବୀନି ପାଢୀ, ରୁନ୍ସି ବେହେରା, ସୁଦୀପ୍ତ କୁମାର ସାହୁଙ୍କୁ ପ୍ରଦାନ କରିଥିଲେ । ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘ ସଭାପତି ଶ୍ରୀକାନ୍ତ ମହାନ୍ତି, ଗଞ୍ଜାମ ଟାଏକୋଣ୍ଡୋ ଏକାଡେମୀର କୋଚ ଇ. ଲଳିତ କୁମାର ରୁଦ୍ର ନାରାୟଣ ବେହେରା, ପି. ଅଭିମନ୍ୟୁ ରେଡି ଏହି ଅବସରରେ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା