ଜୟଶ୍ରୀ କେମିକାଲସ ୱାକର୍ସ ୟୁନିୟନର ବିଜୟ ଉତ୍ସବରେ ନେତା ରାମ ଚନ୍ଦ୍ର ପଣ୍ଡା …

ବ୍ରହ୍ମପୁର(ସମୃଦ୍ଧଓଡିଶା)ଗଞ୍ଜାମସହରରେ ଗଢ଼ିଉଠିଥିବା ବହୁ ପୁରାତନ ଜୟଶ୍ରୀ କେମିକାଲସ କମ୍ପାନୀର ଶ୍ରମିକ ସଂଗଠନର କର୍ମକର୍ତ୍ତା ନିର୍ବାଚନ ପାଇଁ ଭୋଟଗ୍ରହଣ ପୂର୍ବରୁ ସରିଥିଲେ ମଧ୍ୟ ହାଇକୋର୍ଟ ସ୍ଥଗିତାଦେଶ ରଖି ଥିଲେ । ପୁଣି ତାହାକୁ କାର୍ଯ୍ୟକାରୀ କରିବା ପାଇଁ ବୁଧବାର ବ୍ୟାପକ ପ୍ରସ୍ତୁତି ଏବଂ କଡ଼ା ନିରାପତ୍ତା ମଧ୍ୟରେ ପୂର୍ବରୁ ହୋଇଥିବା ଭୋଟଗ୍ରହଣ ଭୋଟ ବାକ୍ସ ଖୋଲି ଗଣତି କରାଯାଇଥିଲା । ଶେଷରେ ଫଳାଫଳ ପ୍ରକାଶ କରାଯାଇଛି । ବ୍ରହ୍ମପୁରର ଯୁଗ୍ମ ଶ୍ରମ ସଚିବ ମଦନମୋହନ ପାଇକ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିବାବେଳେ ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ବି.ହୃଷିକେଶ ରାଓ ଏବଂ ଅନ୍ୟ ସହକାରୀ ଶ୍ରମ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବରେ ସହଯୋଗ କରିଥିଲେ । ଏଥିରେ ତିନୋଟି ସଂଗଠନ ପକ୍ଷରୁ ନାମାଙ୍କନ ହୋଇ ଭୋଟଗ୍ରହଣ ହୋଇଥିଲା । ତନ୍ମଧ୍ୟରୁ ଜୟଶ୍ରୀ କେମିକାଲସ ୱାକର୍ସ ୟୁନିୟନ କୁ ୫୨ଖଣ୍ଡ ଭୋଟ ମିଳିଥିବାବେଳେ ଜୟଶ୍ରୀ କେମିକାଲସ ଏମ୍ପ୍ଲଏସ ୟୁନିୟନ କୁ ୧୩ଖଣ୍ଡ, ଜୟଶ୍ରୀ କେମିକାଲସ ଶ୍ରମିକ ସଂଘ କୁ ମାତ୍ର ୩ଖଣ୍ଡ ଭୋଟ ମିଳିଛି । ଏଥିରେ ଜୟଶ୍ରୀ କେମିକାଲସ ୱାକର୍ସ ୟୁନିୟନ ବିପୁଳ ଭୋଟରେ ବିଜୟ ଲାଭ କରିଛି । ଏହି ସଂଗଠନ ବିଜୁ ଶ୍ରମିକ ସାମୁଖ୍ୟ ସଂଗଠନ ଯାହା ଶାସକ ଦଳ ସମର୍ଥିତଅଟେ। ଏହି ସଂଗଠନର ନେତ୍ତୃବର୍ଗ ତରଫରୁ ପୂର୍ବତନ ଓଡ଼ିଶା ବିଧାନସଭାର ଉପ-ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ବିଜୁ ଶ୍ରମିକ ସାମୁଖ୍ୟର ସଭାପତି ଶଙ୍କର ଦାଶ୍, ଜି.ସନ୍ତୋଷ ରେଡ୍ଡୀ, ଲକ୍ଷ୍ମୀଚରଣ ପାଢ଼ୀ ପ୍ରମୁଖ ବହୁ ଶ୍ରମିକ ନେତା ଶ୍ରମିକ ଓ କର୍ମୀମାନେ ବିପୁଳ ସମାବେଶରେ ଯୋଗଦେଇ ନେତ୍ତୃବର୍ଗଙ୍କୁ ଉତ୍ସାହିତ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା