ଜିଲ୍ଲାରେ ଚିକିତ୍ସା କ୍ଷେତ୍ରରେ କୌଣସି ଅବହେଳା ହେବ ନାହିଁ : ଜିଲ୍ଲାପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) କରୋନା ସଂକ୍ରମଣରୁ ଲୋକଙ୍କୁ ବଞ୍ଚାଇବା ଦିଗରେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ଡାକ୍ତରୀ ଦଳ ଅହରହ ପ୍ରୟାସ ଜାରି ରଖିଛନ୍ତି । ତଥାପି କେତେକ ଅମାନିଆ ବ୍ୟକ୍ତି କରୋନାର ଭୟାବହତା ପ୍ରତି ଖାତିର ନ କରି ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ନୀତି ନିୟମର ଅନୁପାଳନ କରୁ ନାହାନ୍ତି । ବିନା ମାସ୍କରେ ବାହାରେ ବୁଲୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯେଉଁ ବ୍ୟବସାୟୀଗଣ ପଞ୍ଚସୂତ୍ରୀ ନିୟମ ପାଳନ କରୁନାହାନ୍ତି ସେମାନଙ୍କ ଦୋକାନ ୧୯ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯିବ । ଯେଉଁ ମାନେ ବାହାଘର ସକାଶେ ଅନୁମତି ଗ୍ରହଣ କରୁଛନ୍ତି, ଏଣିକି ବାହାଘରରେ ଯୋଗ ଦେବାକୁ ଥିବା ବ୍ୟକ୍ତିଙ୍କ ତାଲିକା ପ୍ରଦାନ କରିବେ ଏବଂ ବାହାଘର କେଉଁଭଳି କରିବେ ସେ ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିବେ । ବାହାଘର ପରିବାର ବର୍ଗଙ୍କର ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ସଂକ୍ରମିତ ହୋଇଥିବା ଜଣାପଡ଼ିଲେ ସେହି ବାହାଘରକୁ ଅନୁମତି ଦିଆଯିବ ନାହିଁ ବୋଲି ଆଜି ଅନୁଷ୍ଠିତ ଭି.ସି. କୋଭିଡ଼୍ ପରିଚାଳନା ବୈଠକରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ଭିଡିଓ କନଫରେନସିଂ ବୈଠକରେ ଜିଲ୍ଲାପାଳ ଜଣାଇଛନ୍ତି ଯେ, ଗତ ଦୁଇ ତିନି ଦିନ ମଧ୍ୟରେ ସବୁ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହ କରାଯାଇଛି । ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ, ଚିକିତ୍ସକ କିମ୍ବା କର୍ମଚାରୀ କୌଣସି ଫୋନ୍ କଲ୍‌କୁ ଅବହେଳ କରନ୍ତୁ ନାହିଁ । ଫୋନ୍ କଲଟି ଗୁରୁତ୍ୱପୂର୍ଣ୍ଣ ଥିବ । ଏଣୁ ସମସ୍ତ ଫୋନକଲର ଉତ୍ତର ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯେମିତି ବି ହେଉ ଲୋକଙ୍କ ଜୀବନ ବଞ୍ଚାଇବାର ଅଛି । ଲୋକଙ୍କ ଜୀବନ ବଞ୍ଚାଇବା ଲକ୍ଷ୍ୟ ନେଇ ସମସ୍ତ କାର୍ଯ୍ୟ କରିବା ଦିଗରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ଚିକିତ୍ସା ସଂପର୍କିତ ତଥ୍ୟ ପରିବାର ବର୍ଗ ଜାଣିବା ଆବଶ୍ୟକ । ତେବେ ଯାଇ ପରିବାର ବର୍ଗ ଓ ଚିକିତ୍ସିତ ବ୍ୟକ୍ତିଙ୍କ ମନୋବଳ ସୁଦୃଢ଼ ରହିବ । ଘରେ ସଂଘରୋଧରେ ରହି ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ସହ ସୁସମ୍ପର୍କ ରଖି ତାଙ୍କ ସହ ଜୁମ ଭିଡ଼ିଓ କଲ୍ କରି ତାଙ୍କ ବିଷୟରେ ଅଧିକାରୀମାନେ ପଚାରି ବୁଝନ୍ତୁ । ତେବେଯାଇ ତାଙ୍କ ମନୋବଳ ବଢିବା ଓ ସେ ସୁସ୍ଥ ହୋଇପାରିବେ । ଅତି ଜରୁରୀ ହେଲେ ତାଙ୍କୁ ସ୍ଥାନାନ୍ତର କରି ଉଚ୍ଚ ଚିକିତ୍ସା ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ ।ବ୍ରହ୍ମପୁର ସହର ଓ ଛତ୍ରପୁର ସହରରେ ଆଉ ଅତିରକ୍ତ ଶହେ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଆର୍‌ଆର୍‌ଟି କାର୍ଯ୍ୟ, ଆମ୍ବୁଲାନସ, ଟେଷ୍ଟ, ଅକ୍ସିଜେନ୍ ପରିଚାଳନା କିପରି ଚାଳିବ ଏବଂ କିପରି ତ୍ୱରାନ୍ୱିତ ହେବ ସେ ବିଷୟରେ ସୁବିସ୍ତୃତ ଆଲୋଚନା ହୋଇଥିଲା । କରୋନା ଚିକିତ୍ସା ଦିଗରେ ବ୍ୟବହୃତ ସାମଗ୍ରୀର କଳାବଜାରୀ ହେଉଛି । ଏ ଦିଗରେ ଚଢ଼ାଉ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଡ଼ାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ସେବନ କରନ୍ତୁ ନାହିଁ । ଏହା ଜୀବନ ପ୍ରତି ବିପଦ । ଚିକିତ୍ସିତ ହେଉଥିବା ସଂକ୍ରମିତ ବ୍ୟକ୍ତିଙ୍କ ସଂପର୍କିୟ ଗଣ ବାରମ୍ବାର ଫୋନ୍ କରି ଚିକିତ୍ସକ ବ୍ୟକ୍ତିଙ୍କ ସଂପର୍କରେ ପଚାରି ବୁଝୁଛନ୍ତି ଏହିଭଳି କରିବା ଦ୍ୱାରା ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ଦିଗରେ ବ୍ୟାଘାତ ସୃଷ୍ଟି ହେଉଛି । ଏଣୁ ସୀମିତ କଲ୍ ଏବଂ ସମୟକୁ ଦେଖି ଫୋନ୍ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ବ୍ଲକ୍ ଅଂଚଳର ସାମ୍ବାଦିକମାନଙ୍କୁ ଅନୁରୋଧ ସେମାନେ ସମ୍ବାଦ ସଂଗ୍ରହ ସମୟରେ ନିଜ ପ୍ରତି ସତର୍କତା ଅବଲମ୍ବନ କରିବା ପାଇଁ ଜିଲ୍ଲାପାଳ କହିଥିଲେ । ବୈଠକରେ ଜିଲ୍ଲାପାଳଙ୍କ ସହ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଅମୀୟ କୁମାର ସାହୁ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ସଚ୍ଚିବ ସମ୍ବିତ ରାଉତ, ଏମକେସିଜିର ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ, ଜାତୀୟ ସ୍ୱାସ୍ଥ୍ୟ ମିଶନ ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।