ଜଳେଶ୍ୱର ବ୍ଲକ ଅଫିସ ସାମ୍ନାରେ କଂଗ୍ରେସର ବିକ୍ଷୋଭ : ବିଡ଼ିଓଙ୍କୁ ଘେରାଓ କଲେ ଆନ୍ଦୋଳନକାରୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ତ୍ରୁଟିପୂର୍ଣ୍ଣ ଆବାସ ପ୍ଲାସ ତାଲିକାକୁ ନେଇ ଜଳେଶ୍ୱର କଂଗ୍ରେସ ଆଜି ଶକ୍ତି ପ୍ରଦର୍ଶନ କରିଛି ଜଳେଶ୍ବର ବ୍ଲକ ଅଫିସ ସାମ୍ନାରେ l ଏହି ତାଲିକାରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ସହିତ ଭୂମିହୀନମାନଙ୍କୁ ପଟ୍ଟା ସହିତ ଆବାସ ଯୋଜନାରେ ଘର ଯୋଗାଇ ଦେବା, କାଳିଆ ଯୋଜନାରେ ସମସ୍ତ ଚାଷୀଙ୍କୁ ସାମିଲ କରିବା ଓ ସମସ୍ତ ପରିବାରଙ୍କୁ ପାଇଖାନା ଦେବା ଇତ୍ୟାଦି ଦାବି ନେଇ ଆଜି ଶତାଧିକ କଂଗ୍ରେସ କର୍ମୀ ବ୍ଲକ ଅଫିସକୁ ଦିନ ୧୦ଟାରୁ ୨ଟା ପର୍ଯ୍ୟନ୍ତ ଘେରାଓ କରିଥିଲେ l ଏପରିକି ବିଡ଼ିଓଙ୍କୁ ମଧ୍ୟ ଏକ ଘଣ୍ଟା ଧରି ଆନ୍ଦୋଳନକାରୀମାନେ ଅଟକ ରଖିଥିଲେ ଏବଂ ଉପରୋକ୍ତ ଦାବି ଗୁଡିକୁ ସମାଧାନ ଦିଗରେ ଆସନ୍ତା ବୁଧବାର ଦିନ କଂଗ୍ରେସର ଏକ ପ୍ରତିନିଧି ଦଳ ସହିତ ଆଲୋଚନା କରି ସମାଧାନ କରିବେ ବୋଲି ପ୍ରତିଶ୍ରୁତି ପାଇଲା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା l ଜଳେଶ୍ୱରର କଂଗ୍ରେସ ନେତା ତଥା ରାଜ୍ୟ ମୁଖପାତ୍ର ସୁଦର୍ଶନ ଦାସଙ୍କ ନେତୃତ୍ୱରେ ଆହୁତ ତଥା ବ୍ଲକ ସଭାପତି ରାଜୀବ ପରିଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ସଞ୍ଜିବ ଗିରି ଯୋଗ ଦେଇ ରାଜ୍ୟ ସରକାର ଉପରେ ବର୍ଷିଥିଲେ l ଏକନମ୍ବର ମୁଖ୍ୟମନ୍ତ୍ରୀଙ୍କ ରାଜତ୍ବରେ ଗରିବ ଭୂମିହୀନ ଲୋକଟେ ଘର ବା ପଟ୍ଟା ଖଣ୍ଡେ ବିଗତ ୨୨ ବର୍ଷ ଭିତରେ ପାଇ ପାରିଲା ନାହିଁ l ବିଡ଼ିଓ ସରକାରୀ ଦଳର ହାତବାରିସୀ ସାଜି ଲୋକଙ୍କ ହକ ଦେଉନାହାନ୍ତି l କଂଗ୍ରେସ ଦଳ ଏହାକୁ ଆଉ ବରଦାସ୍ତ କରିବ ନାହିଁ ଏବଂ ଆନ୍ଦୋଳନକୁ ତୀବ୍ରତର କରିବା ବୋଲି ସେ ଚେତାବନୀ ଦେଇଥିଲେ l ଅନ୍ୟମାନଙ୍କ ଭିତରେ ବାରିଷ୍ଟ କଂଗ୍ରେସ ନେତା ସତ୍ୟ ସୁନ୍ଦର ଦାସ, ଟାଉନ ସଭାପତି ଗିରିଜା ଶଙ୍କର ଦାସ, କିଷାନ ସଭାପତି ସୁଦାମ ପାତ୍ର, ସରପଞ୍ଚ ପଦ୍ମଲୋଚନ ବେହେରା, ପୂର୍ବତନ କାଉନସିଲର ଜଗଦୀଶ ନନ୍ଦି, ଯୁବ କଂଗ୍ରେସ ନେତା ସବ୍ୟସାଚୀ ଦାସ, ଗୋପାଳ କୃଷ୍ଣ ଜେନା, ରବୀନ୍ଦ୍ର ଦାସ, ଶ୍ରୀକାନ୍ତ ସିଂ, ମିହିର ଭୂୟାଁ, ସୁରେଶ ମହାନ୍ତ, ଦୀପକ ପତ୍ର, ନବୀନ ଦାସ, ଉମା ମହାପାତ୍ର, ସୁଶାନ୍ତ ଜେନା, ଅଜିତ ସେଠି, ମଦନ ପାତ୍ର, ମଞ୍ଜୁବାଳl ପଣ୍ଡା, ଅଞ୍ଜନା ପଟ୍ଟୟତ, ବୁଲା ଗିରି, ସପନ ଜେନା, ଜଗଦୀଶ ଜେନା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ଦେବା ସହିତ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଥିଲେ l ନୂଆ ଅବାସ ତାଲିକାର ସର୍ଭେ କାର୍ଯ୍ୟ ଆସନ୍ତା ବୁଧବାର ପର୍ଯ୍ୟନ୍ତ ସ୍ଥଗିତ ରହିବ ବୋଲି ବିଡ଼ିଓ ପ୍ରତିଶୃତି ଦେବା ପରେ ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଇଥିଲା l

ରିପୋର୍ଟ : ଭୂପତି ପରିଡା