ଚୋରମରା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ  ବସ୍ତା ଗୋଷ୍ଠି ଶିକ୍ଷାଅଧିକାରୀ ଅଧିନସ୍ଥ ଚୋରମରା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଶରରେ ବାର୍ଷିକ ଉତ୍ସଵ-୨୦୨୦ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିଖକ ପ୍ରହ୍ଲାଦ ବାରିକ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବାରେ ବସ୍ତାର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧନଞ୍ଜୟ ବେହେରା, ମୁଖ୍ୟବକ୍ତା ଭାବେ ସିଦ୍ଧେଶ୍ଵର କଲେଜ ଅମର୍ଦ୍ଦାର ପ୍ରଧ୍ୟାପକ ଡ.ଅକ୍ଷୟ କୁମାର ପରିଡା, ସମାନିତ ଅତିଥି ଭାବେ ବସ୍ତାର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ କୁମାର ଜେନା, ରବିନାରାୟଣ ପଣ୍ଡା, ଚୋରମରା ଗ୍ରା.ପ.ପଞ୍ଚାୟତର ସରପଞ୍ଚ ପରୀତୋଷ କାମିଳା, ସମିତି ସଦସ୍ୟା ରାଧାମଣି ରାଉଳ, ସିଆରସିସି ସେକ ମୁସଲିମ, ଭେଲୋରା ସିଆରସିସି, ଅସିତ କୁମାର ଦାସ, ପାଉଁଶକୋଲି ସିଆରସିସି, ବିଜୟ କୁମାର ଜେନା, ଅଵସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରମାନାଥ ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ଜଗବନ୍ଧୁ ସାହୁ, ସାମ୍ବାଦିକ ଭୂପତି ପରିଡା, ସ୍କୁଲ ପରିଚାଳନା କମିଟିର ସଭାପତି ମନୋରଞ୍ଜନ ରାଉଳ ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉଦ୍ୟେଶରେ ପାଠପଢି ଭଲ ମଣିଷ ହେବାକୁ ବକ୍ତବ୍ୟରେ କହିଥିଲେ । ବିଦ୍ୟାଳୟ ହେଉଛି ଏକ ମଣିଷ ତିଆରି କାରଖାନା, ପ୍ରତ୍ୟେକ ଶିକ୍ଷକ ଶିକ୍ଷୟତ୍ରି ଜଣେ ଜଣେ ଦକ୍ଷ କୁଶଳୀ କାରିଗର । ଶିକ୍ଷକ ଶିକ୍ଷୟତ୍ରିଙ୍କ ସ୍ନେହ, ଶ୍ରଦ୍ଧା, ଭଲପାଇବା, ଶାସନ, ଅନୁଶାସନ ହିଁ ଛାତ୍ରଛାତ୍ରୀମାନଙ୍କୁ ଦକ୍ଷ ଓ ବିକଶିତ କରିବାରେ ନିଶ୍ଚିତ ସହାୟକ ହେବ ବୋଲି କହିଥିଲେ । ଏକ ଆଦର୍ଶ  ବିଦ୍ୟାଳୟ ଗଠନ ସହିତ, ଉତ୍ତମ ଗୁଣବତ୍ତା ଶିକ୍ଷାଦାନ ପାଇଁ ଅବିଭାବକ, ପରିଚାଳନା କମିଟି, ସ୍କୁଲ କର୍ତ୍ତୃପକ୍ଷ, ପ୍ରଶାସନ ଓ ସ୍ଥାନୀୟ ନେତୃ ମଣ୍ଡଳୀ ସମାନ ଭାବେ ଦାୟୀ । ତେଣୁ ସମସ୍ତଙ୍କ ମିଳିତ ସହଯୋଗ ରହିଲେ ଏହା ନିଶ୍ଚିତ ସମ୍ଭବ ହେବ ବୋଲି ମଞ୍ଚାସିନ ବକ୍ତା ପ୍ରାଧ୍ୟାପକ ଡ.ପରିଡ଼ା ତାଙ୍କ ବକ୍ତବ୍ୟରେ କହିଥିଲେ । ସରପଞ୍ଚ ପରିତୋଷ କାମିଳା ସରକାରଙ୍କ ଅର୍ଥରେ ବିଦ୍ୟାଳୟରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରିଥିବାରୁ ପ୍ରଧାନ ଶିକ୍ଷକ ଶ୍ରୀ ବାରିକ ସଭାରେ ପ୍ରଶଂସା କରିଥିଲେ ! ଏହି ଅବସରରେ ଭାରତୀୟ ଡାକ ବିଭାଗ ବୋର୍ଡର ବରିଷ୍ଠ ସଦସ୍ୟ ସନ୍ତୋଷ କୁମାର କାମିଳାଙ୍କ ପ୍ରଚେଷ୍ଟା ରେ ତାଙ୍କର ପିତା ସ୍ୱର୍ଗତ ନରେନ୍ଦ୍ର ନାଥ କାମିଳା, ଜେଜେବାପା ଫକୀର ଚରଣ କାମିଳା, ଶାଶୁମା ଶାନ୍ତି ଲତା ସାହୁ ,ଜେଜେବାପା ଗଦାଧର କାମିଳାଙ୍କ ସ୍ମୃତି ଉଦ୍ଦେଶ୍ୟରେ କୃତି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ ପୁଷ୍ପ ଗୋଛ, ମାନପତ୍ର ସହିତ ଦଶମ ଶ୍ରେଣୀରେ ପ୍ରଥମ ଓ ଦ୍ୱିତୀୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ନଗଦ ୨ ହଜାର ଟଙ୍କା ଏବଂ ତୃତୀୟ ଓ ପଞ୍ଚମ ଶ୍ରେଣୀରେ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ନଗଦ ୧ ହଜାର ଲେଖାଏଁ ପୁରସ୍କାର ମୁଖ୍ୟବକ୍ତାଙ୍କ ହାତରେ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିଭଳି ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂକୃତିକ କାର୍ଯ୍ୟକ୍ରମ କରାଯାଇ ୫୪ ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହିତ ପୁରସ୍କାର ବିତରଣ କରଯାଇଥିଲା । ଶିକ୍ଷକ ଶିବଶଙ୍କର ଜେନା ମଞ୍ଚ ଆହ୍ୱାନ କରିଥିବା ବେଳେ ଶିକ୍ଷକ ସଞ୍ଜୟ କୁମାର ପରିଡ଼ା ବିବରଣୀ ପାଠ ଓ ଶିକ୍ଷୟତ୍ରୀ ପୁଷ୍ପିତା ସାହୁ, ସୁଭଦ୍ରା ପରିଡ଼ା, ସବିତା ସାହୁ ମଞ୍ଚ ପରିଚାଳନା କରିଥିଲେ ଏବଂ ସମସ୍ତ ମଞ୍ଚାସିନ ଅତିଥିଙ୍କୁ ପୁଷ୍ପଗୋଛ ଦେଇ ସମ୍ମାନିତ କରାଯାଇଥିଲା । ଶେଷରେ ଶିକ୍ଷକ ପରମାନନ୍ଦ ନାୟକ ଧନ୍ୟବାଦ ଦେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା