ଚଳିତ ଖରିଫ ଧାନ କିଣାରେ ଉପୁଜୁଥିବା ସମସ୍ୟା ସମ୍ପର୍କରେ ବୈଠକ…

ରାୟଗଡ଼ା(ସମୃଦ୍ଧ ଓଡିଶା)ଚଳିତ ଖରିଫ ଧାନକିଣାରେ ଉପୁଜୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ଦିଗରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ବୈଠକ ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ବିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଦୀର୍ଘଦିନ ଧରି ମଣ୍ଡିରେ ପଡ଼ି ରହିଥିବା ଧାନ କିପରି କ୍ରିୟ ହୋଇପାରିବ, ଟୋକନ୍ ପାଇ ନ ଥିବା କିମ୍ବା ଟୋକନ୍ ଲାପସ୍ ହୋଇଯାଇଥିବା ଚାଷୀମାନେ କିପରି ନିଜ ଧାନକୁ ମଣ୍ଡିରେ ବିକ୍ରି କରିପାରିବେ ଓ ମିଲର୍ସଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ସେହିପରି କିଛି ଚାଷୀ ପଞ୍ଜିକରଣରୁ ବଞ୍ଚିତ ହୋଇଥିବାରୁ ସେ ବାଧ୍ୟହୋଇ ନିଜ ଧାନ ଦଲାଲ ଓ ମିଲର୍ସଙ୍କୁ ସିଧାସଳଖ କମ ଦରରେ ବିକ୍ରି କରିବାକୁ ବାଧ୍ଯ ହେଉଛନ୍ତି ବୋଲି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଚଳିତ ଥର ଏହି ରାୟଗଡା ଜିଲ୍ଲାରେ ସର୍ବମୋଟ ୧୧,୯୬,୯୨୬.୮୭ କୁଇଁଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୧,୧୫,୪୨୧.୫୦ କୁଇଁଣ୍ଟାଲ ଧାନ ସଂଗ୍ରହ କରାଯାଇଥିବା ସୂଚନା ଦିଆଯାଇଛି । ଏହି ବୈଠକରେ ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲି, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକ, ଜିଲ୍ଲାର ବିଭିନ୍ନ ଲେମ୍ପସର ପରିଚାଳକ, ଧାନ କିଣାରେ ଅଂଶଗ୍ରହଣ କରୁଥିବା ଜିଲ୍ଲାର ବିଭିନ୍ନ ମିଲର୍ସ ଓ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତରୁ ଆସିଥିବା ଚାଷୀ ମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ