ଖାଲିନା ପଞ୍ଚାୟତରେ ଏନ୍‌ଆର୍‌ଇଜିଏସ୍ କାର୍ଯ୍ୟରେ ଅନିୟମିତତା ନେଇ ଗଣ ବିକ୍ଷୋଭ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନା ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ଲୋକମାନଙ୍କୁ ରୋଜଗାରକ୍ଷମ କରାଇବା ପାଇଁ ଏନ୍‌ଆର୍‌ଇଜିଏସ୍ ମାଧ୍ୟମରେ କାମଧନ୍ଦା ଯୋଗାଇବାର ଲକ୍ଷ୍ୟ ନେଇ କୋଟି କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ କରୁଥିବା ବେଳେ ଏହାର ବ୍ୟତିକ୍ରମ ଦେଖା ଦେଇଛି ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅଧିନସ୍ଥ ଖାଲିନା ପଞ୍ଚାୟତରେ । ପଞ୍ଚାୟତର ବହୁ ଜବ୍‌କାର୍ଡ ଧାରୀ ସେମାନଙ୍କ ପ୍ରାପ୍ୟ ପାଇନଥିବା ବେଳେ ବହୁ ବ୍ୟକ୍ତି କାର୍ଯ୍ୟନକରି ସେମାନଙ୍କ ଏକାଉଣ୍ଟକୁ ଟଙ୍କା ଆସିବା ନେଇ ଆଜି ସୋମବାର ପୂର୍ବାହ୍ନରେ ବହୁ ଜବ୍‌କାର୍ଡ ଧାରୀ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ କରିଥିଲେ । ସାମ୍ପ୍ରତିକ ସମୟରେ ବହୁୂ ପ୍ରବାସୀ ଅନ୍ୟ ରାଜ୍ୟରେ କାମଧନ୍ଦା ଛାଡି ନିଜ ଅଞ୍ଚଳକୁ ଆସି ବେକାର ବସିଥିବା ବେଳେ ସେମାନଙ୍କୁ କାମଧନ୍ଦା ଯୋଗାଇବା ଉଦ୍ଦେଶ୍ୟରେ ଏବେ ବିଭିନ୍ନ ପଞ୍ଚାୟତକୁ ଏନ୍‌ଆର୍‌ଇଜିଏସ୍ ମାଧ୍ୟମରେ କାର୍ଯ୍ୟ ପାଇଁ ଲକ୍ଷ ଲକ୍ଷ ଟଙ୍କା ପଠାଯାଉଥିବା ଜଣାଯାଇଛି । ଖାଲିନା ପଞ୍ଚାୟତର ଗତ ମେ ମାସ ୨୭ ତାରିଖରୁ ଏନ୍‌ଆର୍‌ଇଜିଏସ୍ କାର୍ଯ୍ୟ ଆରମ୍ଭ ହୋଇଥିବା ଆଜି ବିକ୍ଷୋଭକାରୀମାନେ ପ୍ରକାଶ କରିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା କାମ କରିଥିବା ବହୁ ଜବ୍‌କାର୍ଡଧାରୀଙ୍କ ପାସ୍‌ବୁକ୍ ଏକାଉଣ୍ଟକୁ ଅର୍ଥ ଯାଇନଥିବା ବେଳେ ଅନ୍ୟ କେତେକ ବ୍ୟକ୍ତି କାର୍ଯ୍ୟ କରୁନଥିଲେ ମଧ୍ୟ ସେମାନଙ୍କ ଏକାଉଣ୍ଟସ୍‌କୁ ଅର୍ଥ ଯାଇଥିବାରୁ ଜନ ଅଶାନ୍ତି ଦେଖା ଦେଇଛି । ସୂଚନାରୁ ପ୍ରକାଶ ଖାଲିନା ଗାଁର ହାକାଣ୍ଡ ପୋଖରୀ ଖନନ ଲାଗି ୧୦ଲକ୍ଷ ଟଙ୍କା ମିଳିଥିବା ବେଳେ ଅଦ୍ୟାବଧି ୨୧୯୬୨୭ଟଙ୍କା, ନବ କୁମାର ଭଞ୍ଜଙ୍କ ଘରଠାରୁ ଆମ୍ବଡିହା ଗାଁ ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ଲାଗି ୪ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ୯୯୩୬୦ଟଙ୍କା ପ୍ରଦାନ କରାଯାଇଛି । କୁଣ୍ଡ ପୋଖରୀ ପଂକ ଉଦ୍ଧାର ଲାଗି ୫ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ୭୦୩୮୦ଟଙ୍କା ଏବଂ ପ୍ରକଳ୍ପ ମଧ୍ୟରେ ନଥିବା ବଡପୋଖରୀ ଓ ନହୁରୁଣୀଆ ପୋଖରୀ ମଧ୍ୟ କାର୍ଯ୍ୟ ହୋଇନଥିବା ଗ୍ରାମବାସୀମାନେ କହିଛନ୍ତି । ସକାଳଠାରୁ ଏପରି ବିକ୍ଷୋଭ ଓ ଆନ୍ଦୋଳନ ଚାଲିଥିବା ବେଳେ ଦିନ ୧୨ଟାରେ ବ୍ଲକ ପକ୍ଷରୁ ଜେଇ ଅତୁଲ ପ୍ରଧାନ ସେଠାରେ ପହଞ୍ଚିଥିଲେ । ଏ ସବୁର ସମାଧାନ ଆସନ୍ତା ୨ଦିନ ମଧ୍ୟରେ ହେବାର ପ୍ରତିଶୃତି ମିଳିବାପରେ ବିକ୍ଷୋଭକାରୀମାନେ ଆନ୍ଦୋଳନରୁ ହଟିଥିଲେ । କିନ୍ତୁ ଆସନ୍ତା ଦିନରେ ଏ ସବୁର ସମାଧାନ ନ ହେଲେ ନାଏବସ ସରପଞ୍ଚ ଘନଶ୍ୟାମ ପାତ୍ର, ସୁମିତ୍ରା ଜେନା, କୀରଣବାଳା ଦାସ, ସୁଭଦ୍ରା ମହାପାତ୍ର, ଶିଶିର ଜେନା, ସବିତା ସିଟ, ସନ୍ତୋଷ ଦେ, ଦିଲ୍ଲିପ କୁମାର ଦେ, ଶୁଭଲକ୍ଷ୍ମୀ ଦେ, ହରିଶ ଦେ, କାଂଚନବାଳା ଦେ, କମଳେଶ ନାୟକ, ସତ୍ୟବ୍ରତ ମହାପାତ୍ର, ହରେନ୍ଦ୍ର ନାୟକ, ଝାଡେଶ୍ୱର ଜେନା, ଦେବରଂଜନ ଦାସ, ବ୍ରଜଦ୍ୟୋତି ମହାପାତ୍ର, ରାଜେଶ ଦେ ପ୍ରମୁଖଙ୍କ ନେତୃତ୍ୟରେ ଜବ୍‌କାର୍ଡଧାରୀମାନେ ସେମାନଙ୍କ ନ୍ୟାର୍ଯ୍ୟ ଅର୍ଥ ପାଇବା ପାଇଁ ଏପରି ଆନ୍ଦୋଳନରେ ବସିଥିଲେ । ଆଗାମୀ ଦିନରେ ଏପରି କାର୍ଯ୍ୟର ଦୃଢ ବିରୋଧ କରାଯିବ ବୋଲି ଚେତାବନୀ ଦେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା