କରୋନା ଯୋଗୁଁ ଘରେ ଘରେ ପାଳିତ ହେଲା ହୋଲି ପର୍ବ…

କନ୍ଧମାଳ (ସମୃଦ୍ଧ ଓଡିଶା) ଆଜି ରଙ୍ଗର ପର୍ବ ହୋଲି । ଛୋଟରୁ ବଡ ସଭିଏଁ ରଙ୍ଗ ଅବିରରେ ରଙ୍ଗେଇ ହୋଇଛନ୍ତି । ଘରେ ଘରେ ଜମିଛି ହୋଲିର ଆସର । ଏ ବର୍ଷ କରୋନା କଟକଣା ହୋଲିକୁ ଟିକେ ଫିକା କରିଛି ସତ ହେଲେ ଘରେ ଘରେ ହୋଲି ମନାଇଛନ୍ତି ସଭିଏଁ । ଗାଁଠୁ ସହର ସବୁଠି ହୋଲିର ମାହୋଲ । ଛୋଟ ପିଲାମାନେ ଭଳିକି ଭଳି ଫଗୁ ସହ ପିଚକାରୀ, ଟୋପି, ମାସ୍କ ଲଗାଇ ହୋଲି ଖେଳିଛନ୍ତି । ନିଜର ପ୍ରିୟଜନ ଓ ସାଙ୍ଗସାଥୀଙ୍କ ସହ ସମସ୍ତେ ଏହି ରଙ୍ଗର ପର୍ବ ପାଳନ କରିଛନ୍ତି । ବର୍ଷକରେ ଥରେ ଆସିଛି ହୋଲି, ନେଇ ଆସିଛି ଅସୁମାରି ଖୁସି । କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନାକୁ ନେଇ ହୋଲି ଖେଳିବା ପାଇଁ କଟକଣା ଜାରି କରାଯାଇଥିଲା । ସେଥିପାଇଁ ନିରାଡମ୍ବରରେ ପାଳନ ହୋଇଛି ରଙ୍ଗର ଉତ୍ସବ । ସବୁଠି କଟକଣା ଯୁକ୍ତ ହୋଲି ପାଳନ ହୋଇଛି । ସମଗ୍ର ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳର ରାସ୍ତା ଘାଟ ଶୂନଶାନ ଥିବା ସହ ଦୋକାନ ବଜ଼ାର ଓ ଯାନବାହନ ଚଳାଚଳ ବନ୍ଦ ରହିଥିଲା l କନ୍ଧମାଳ ଜିଲ୍ଲାର ଫୁଲବାଣୀ ସମେତ ବାଲିଗୁଡା ଓ ଆଖପାଖ ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ରଙ୍ଗର ପର୍ବ ହୋଲି । ପରସ୍ପର ପରସ୍ପରକୁ ଅବିର ବୋଳି ନିଜ ଭାଇଚରାକୁ ପ୍ରଦର୍ଶିତ କରିଛନ୍ତି ଲୋକେ l ହେଲେ ଏଥର କରୋନା କଟକଣା ପାଇଁ ମୋଟା ମୋଟି ଭାବେ ହୋଲି ଫିକା ପଡିଥିବା ଦେଖିବାକୁ ମିଳିଛି ।