ଓଲିଉଡକୁ ଦୋହଲାଇ ଦେବାକୁ ଯାଉଛି ଅକ୍ଷୟ ପରିଜାଙ୍କ ‘ଦୃଷ୍ଟିକୋଣ’…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବଢ଼ୁଛି ମହିଳାଙ୍କ ଉପରେ ଅତ୍ୟାଚାର । ଧର୍ଷଣ ଅଭିଯୋଗର ଲମ୍ବା ତାଲିକା ସମାଜକୁ ଅଣନିଶ୍ୱାସୀ କରୁଛି । କିନ୍ତୁ ଆଇନର ଖସିଯିବାର ରାସ୍ତାରେ ଅନେକ ଅପରାଧୀ ଖସି ଚାଲି ଯାଉଛନ୍ତି । ପୀଡିତା ନ୍ୟାୟ ପାଇବା ବଦଳରେ ପାଉଛି ମୃତ୍ୟୁ ଦଣ୍ଡ । ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀ ସ୍ୱାଧିନତାକୁ ଦଳି ମକଚି ଦିଆଯାଉଛି । ସଣ୍ଠଣା ବା ଡେକୋରମ ନାଁରେ ମହିଳାଙ୍କ ଅଧିକାରକୁ ହତ୍ୟା କରାଯାଉଛି । ମିଡିଆରୁ ନେଇ ସୋସିଆଲ ମିଡିଆ ସବୁଠି ନାରୀ ସ୍ୱାଧିନତାକୁ ନେଇ ହୋ-ହାଲ୍ଲା ଚାଲେ କିନ୍ତୁ ଫଳ ଶୂନ । ତେବେ ନାରୀର ବକ୍ଷ ବା ଛାତି ପାଇଁ ଯେ ତାକୁ ଦୁଷ୍କର୍ମର ଶୀକାର ହେବାକୁ ପଡୁଛି ଏହା ଭାବିଲା ବେଳକୁ ବି ଲାଜରେ ମୁଣ୍ଡ ନଇଁ ଯାଉଛି । ନାରୀର ସୌନ୍ଦର୍ଯ୍ୟ ଓ ତାର ସୁଢ଼ଳ ବକ୍ଷସ୍ଥଳ ତାର ବିନାଶର କାରଣ ସାଜିଛି । କାମୁକ ପୁରୁଷ ନାରୀର ଛାତିକୁ ଚାହିଁ ଆକର୍ଷିତ ହେବା ଓ ଦୁଷ୍କର୍ମ କରିବା ଏବଂ ଏହି ବାହାନା ଦେଖାଇ ଆଇନ ଆଖିରେ ନିର୍ଦ୍ଦୋଶ ହେବା ପାଇଁ ଚେଷ୍ଟା କରିବାକୁ ନେଇ ଏକ ବଳିଷ୍ଠ ସିନେମା ନିର୍ମାଣ କରିଛନ୍ତି ପ୍ରଖ୍ୟାତ ସିନେ ନିର୍ମାତା ଅକ୍ଷୟ ପରିଜା । ସିନେମାର ନାଁ ରଖାଯାଇଛି ‘ଦୃଷ୍ଟିକୋଣ’ । ସମାଜରେ ନାରୀ ଦୁଷ୍କର୍ମର ଦୃଶ୍ୟପଟ୍ଟକୁ ‘ଦୃଷ୍ଟିକୋଣ’ ମାଧ୍ୟମରେ ଦେଖାଇବାକୁ ଚେଷ୍ଟା କରିଛନ୍ତି ଅକ୍ଷୟ ପରିଜା । ସୁଶାନ୍ତ ମଣି ଏଥିରେ ନିର୍ଦ୍ଦେଶନା ଦେଇଥିବା ବେଳେ ସିନେମାର ଟ୍ରେଲର ଓଲିଉଡରେ ହଲଚଲ ଆରମ୍ଭ କରିଛି । କାହାଣୀଟି ଏକ ଦୁଷ୍କର୍ମ ମାମଲାକୁ ନେଇ ରଚନା କରାଯାଇଥିବା ଟ୍ରେଲରରୁ ବୁଝାପଡୁଛି ତେବେ ପୁରା କାହାଣୀ ବାହାରକୁ ଆସିନାହିଁ । ଟ୍ରେଲରରେ ଏଲିନା ସାମନ୍ତରାୟଙ୍କୁ ବଳିଷ୍ଠ ପୋଲିସ ଚରିତ୍ରରେ ଦେଖିବାକୁ ମିଳିଛି । ସେହିଭଳି ହର ରଥଙ୍କୁ ଜଣେ ଓକିଲ ଭାବେ ଦେଖିବାକୁ ମିଳିଥିବା ବେଳେ ପ୍ରସିଦ୍ଧ କଥାକାର ହରପ୍ରସାଦ ଦାସଙ୍କୁ ଜଜ୍ ଭୂମିକାରେ ଦେଖିବାକୁ ମିଳିଛି । କୁହୁ ମହାନ୍ତି ନାମକ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ବେଳେ ଏହି ମାମଲାର ବିଚାର ଅଦାଲତରେ ଚାଲିଥିବା ଟ୍ରେଲରରେ ଦେଖାଯାଇଛି । ତେବେ କୁହୁଙ୍କ ସୁନ୍ଦର ଚେହେରା ଓ ଢ଼ଳ ଢ଼ଳ ବକ୍ଷସ୍ଥଳ ହିଁ ଦୁଷ୍କର୍ମର କାରଣ ବୋଲି ଅଦାଲତରେ କ୍ରିମିନାଲ ଲୟର ପକ୍ଷ ରଖୁଥିବା ବେଳେ କାହାଣୀକୁ ଆଗକୁ ସସପେନ୍ସ ରଖାଯାଇଛି । ନବାଗତା ଶୁଭଶ୍ରୀ ନାୟକ (ଲିଜା ) ପୀଡିତା କୁହୁ ମହାନ୍ତି ଚରିତ୍ରରେ ମର୍ମସ୍ପର୍ଶୀ ଅଭିନୟ କରିଥିବା ଦେଖିବାକୁ ମିଳିଛି । ଅକ୍ଷୟ ପରିଜାଙ୍କ ସିନେମା ଅଧିକାଂଶ ସମୟରେ ଦେଶ ବିଦେଶରେ ଅନେକ ଆୱାର୍ଡ ଜିତୁଥିବା ବେଳେ ‘ଦୃଷ୍ଟିକୋଣ’ ମଧ୍ୟ ଓଡିଆ ସିନେମା ଇଣ୍ଡଷ୍ଟ୍ରି ପାଇଁ ଏକ ମାଇଲଖୁଣ୍ଟ ହେବ ବୋଲି ଆଶା କରାଯାଉଛି ।

ରିପୋର୍ଟ : ଅମୃତ ନନ୍ଦ