ଓଏଏସ ସ୍ତରରେ ବଡ଼ଧରଣର ଅଦଳ ବଦଳ: ୬ଜଣଙ୍କ ଚାକିରୀ ଗୋଲ,୪ଙ୍କ ପେନସନ ବନ୍ଦ..

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସରକାର ଏବେ ଖୁବ ଏକସନ ମୋଡ଼ରେ କାର୍ଯ୍ୟ କରୁଛନ୍ତି । ଟିକିଏ ବି ଦୁର୍ନୀତି ଦେଖିଲେ ସଙ୍ଗେ ସଙ୍ଗେ ଏକସନ। ପ୍ରଶାସନରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସସ୍ତରରେ ଅଦଳବଦଳ କରିଛନ୍ତି । ୬ଜଣଙ୍କ ଚାକିରୀ ଖାଇଛନ୍ତି ଓ ୪ଜଣଙ୍କ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନସନ ବନ୍ଦ କରିଛନ୍ତି । ଆହୁରି ଅନେକ କର୍ମଚାରୀ ଆଠ ବର୍ଷ ଦଶ ବର୍ଷ ଗୋଟିଏ ଯାଗାରେ ରହି ବ୍ୟବସାୟ ଚଳାଇଥିବା ସରକାରୀ ଅଧିକାରୀଙ୍କ ଉପରେ ନଜର ବି ରଖିଛନ୍ତି । ରାଜ୍ୟରେ ଏମିତି ବି କିଛି ଅଧିକାରୀ ଅଛନ୍ତି ଥାର୍ଡ଼ ଫ୍ଲୋର ନାଁ ଧରି ଦୁଇ ପଇସା ରୋଜଗାର ମଧ୍ୟ କରୁଛନ୍ତି । ସେମାନଙ୍କ ଉପରେ ମଧ୍ୟ ତୀକ୍ଷଣ ନଜର ରଖିବାକୁ ଏସିବି ଙ୍କୁ ଲଗାଇ ଦିଆ ଯାଇଛି । ରାଜ୍ୟରେ କିଛି ଜିଲ୍ଲା ଶିକ୍ଷାଧିକାରୀ ଏଥିରେ ଅନ୍ତର୍ଭୁକ୍ତ ରହି ସିଧାସଳଖ ଥାର୍ଡ଼ ଫ୍ଲୋରର ପି ସହ ସମ୍ପର୍କ ରଖିଛନ୍ତି ବୋଲି ସୂର୍ଯ୍ୟ ଚନ୍ଦ୍ର ମାନୁ ନ ଥିବା ଅଭିଯୋଗ ହେଉଛି ।ସେ ଯାହାହେଉ କିଛି ଦିନତଳେ ଆଇଏଏସ ସ୍ତରରେ ଅଦଳବଦଳ କରାଯାଇଥିଲା । ଆଜି ବରିଷ୍ଠ ଓଏଏସ ସ୍ତରରେ ୧୭ ଜଣ ଓ କନିଷ୍ଠ ଓଏଏସ ସ୍ତରରେ ୩୮ଜଣ ଅଫିସରଙ୍କ ବଦଳି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଓଏଏସ୍ ପ୍ରଦୀପ୍ତ କୁମାର ସାହାଣୀଙ୍କୁ ଓଡ଼ିଶା ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବାବେଳେ ବିଶ୍ୱଜିତ୍ ବିଶ୍ୱାଳଙ୍କୁ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ, ବିଶ୍ୱନାଥ ସାହୁଙ୍କୁ ବୁର୍ଲା ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଶାସନିକ ଅଧିକାରୀ, ବିଶ୍ୱଜିତ୍ କେଶନ ସାହୁଙ୍କୁ ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ, ପ୍ରତାପ କୁମାର ମିଶ୍ରଙ୍କୁ ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି।ସେହିପରି ଓଏଏସ୍ ଅଜୟ କୁମାର ଜେନାଙ୍କୁ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରଶାସନିକ ଅଫିସର(ଉନ୍ନୟନ) ଓ ଜିତେନ୍ଦ୍ର କୁମାର ସାହୁଙ୍କୁ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରଶାସନିକ ଅଫିସର(ନୀତି) ଭାବେ ବଦଳି କରାଯାଇଛି। ଯୁଗଳେଶ୍ୱରୀ ଦାସଙ୍କୁ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ, ବିନୟ କୁମାର ଦାସଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଥିବାବେଳେ ତାଙ୍କୁ ପୁରୀ ଅତିରିକ୍ତ ଜିଲ୍ଲାପାଳ(ଆରଆଣ୍ଡଆର) ଭାବେ ଡେପୁଟେସନରେ ପଠାଯାଇଛି। ସେହିପରି ବିଧାନ ଚନ୍ଦ୍ର ରାୟଙ୍କୁ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ, ସୁଭାଶୀଷ ମାନସିଂହଙ୍କୁ କଟକସ୍ଥିତ ସର୍ଭେ ଆଣ୍ଡ ମ୍ୟାପ ପବ୍ଲିକେସନର ଯୁଗ୍ମ ନିର୍ଦ୍ଦେଶକ, ସନ୍ତୋଷ କୁମାର ଦାସଙ୍କୁ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ, ସୁଧାକର ଶବରଙ୍କୁ ଓଡ଼ିଶା ଯୋଗାଣ ନିଗମର ଜେନେରାଲ ମ୍ୟାନେଜର, ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ବୀରମହାରାଜପୁର ଉପଜିଲ୍ଲାପାଳ, କୁସାଲ ଚନ୍ଦ୍ର ନାଏକଙ୍କୁ କେନ୍ଦୁଝରସ୍ଥିତ କାନପୁର ଜଳସେଚନ ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ(ଆରଆଣ୍ଡଆର), ସନ୍ତୋଷ କୁମାର ସିଂଙ୍କୁ ଭବାନୀପାଟଣା ଉପଜିଲ୍ଲାପାଳ ଓ କ୍ଷୀରାବ୍ଦୀ ବେହେରାଙ୍କୁ ମାଲକାନଗିରି ଆଇଟିଡିଏର ପିଏ ଭାବେ ବଦଳି କରାଯାଇଛି।ଏମାନଙ୍କ ବ୍ୟତୀତ ଆଜି ୩୮ଜଣ କନିଷ୍ଠ ପାହ୍ୟାର ଓଏଏସ୍ ଅଧିକାରୀଙ୍କୁ ବିଭିନ୍ନ ସ୍ଥାନରେ ଅତିରିକ୍ତ ତହସିଲଦାର ଓ ଆସିଷ୍ଟାଣ୍ଟ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଏହି କନିଷ୍ଠ ପାହ୍ୟାର ଅଫିସରମାନଙ୍କ ବଦଳି ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହୋଇଛି। ଅନ୍ୟପକ୍ଷରେ ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ୬ଜଣ ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାର ଚାକିରିରୁ ବରଖାସ୍ତ କରିଛନ୍ତି। ଏହାସହିତ ୪ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍ ବନ୍ଦ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ଅଧିନସ୍ଥ କୁଆରମୁଣ୍ଡା ତହସିଲର କନିଷ୍ଠ କିରାଣୀ ସଞ୍ଜିତ କୁମାର ରାୟ,କୋରାପୁଟ ଜିଲ୍ଲା ଜୟପୁର ଆଇଟିଡିଏର ସହକାରୀ ଯନ୍ତୀ ବୈକୁଣ୍ଠ ବିହାରୀ ପ୍ରଧାନ, ସମ୍ବଲପୁର ନାକଟିଦେଉଳରେ କାର୍ଯ୍ୟରତ ଭେଟେରିନାରୀ ଡାକ୍ତର ଭାଗିରଥୀ ବିଶ୍ୱାଳ, କାମାକ୍ଷାନଗରରେ କାର୍ଯ୍ୟରତ ଜୁନିୟର ଇଞ୍ଜିନିୟର ବସନ୍ତ କୁମାର ପାତ୍ର, ସୁନ୍ଦରଗଡ଼ର କୁତ୍ରା ବ୍ଲକର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତ୍ରିଲୋଚନ ସେଠ୍ ଓ ବଣାଇଗଡ଼ ବ୍ଲକର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଷ୍ଟମ ଚନ୍ଦ୍ର ପଟେଲ। ସେହିପରି ଯେଉଁ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ବନ୍ଦ ହୋଇଛି ସେମାନେ ହେଲେ ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ ଏକଜ୍ୟୁକିଟିଭ ଇଞ୍ଜିନିୟର ଗୌତମ ଚନ୍ଦ୍ର ପୃଷ୍ଟି, ଓସିସିର ପୂର୍ବତନ ଜେନେରାଲ ମ୍ୟାନେଜର ବିକ୍ରମ କେଶରୀ ପଟ୍ଟନାୟକ, ଏଷ୍ଟାବ୍ଲିସମେଣ୍ଟ ଅଫିସର ରବିନ୍ଦ୍ର କୁମାର ଜେନା ଓ ବାରିପଦା ଆଇଟିଡିଏର ପୂର୍ବତନ ଜୁନିୟର ଇଞ୍ଜିନିୟର ରବି ନାରାୟଣ ମହାନ୍ତି। ସୂଚନାଯୋଗ୍ୟ, ଗତ ୧୭ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ଜଣ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରିଥିବାବେଳେ ୨ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍ ବନ୍ଦ କରିଥିଲେ।

ରିପୋର୍ଟ : ପ୍ରସନ ପଟ୍ଟନାୟକ