ଇଫକୋ କମ୍ପାନୀ ପକ୍ଷରୁ ମୂର୍ତ୍ତିକା ପରୀକ୍ଷା ଶିବିର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଚାଷୀମାନଙ୍କ ଉନ୍ନତି ଲାଗି ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ମାଟିର ମାନ ଅପରିବର୍ତ୍ତତ ରଖିବା ଲାଗି ବୈଜ୍ଞାନୀକ ମାନେ ଚେଷ୍ଟା ଚଳାଇଛନ୍ତି । ଚାଷୀ ଅଧିକ ଫସଲ ଉପୁଜାଇବା ଲାଗି ବିଭିନ୍ନ ରାସାୟନୀକ ସାର ବ୍ୟବହାର କରୁଥିବାରୁ ମାଟିରେ ରହୁଥିବା ଜିଆ ଭଳି କେତେକ କୃଷକ ଉପକାରୀ ପୋକ ମରି ଯାଉଛି । ତେଣୁ ମାଟିର ଉର୍ବର ଶକ୍ତି କ୍ରମଶ କମିକମି ଯାଉଛି । ମାଟିର ଉର୍ବରତା ବଢାଉଥିବା ଉପାଦାନ କମିବା ଫଳରେ ଫସଲ ଉତ୍ପନ୍ନ କମିବାରେ ଲାଗିଛି । ଫଳରେ ଚାଷୀ ଅଧିକ ସାର, ଔଷଧ ବ୍ୟବହାର କରି କ୍ଷତିର ସମ୍ମୁଖୀନ ହେଉଛନ୍ତି । ମାଟିର ଅମ୍ଳ ବଢୁଥିବାରୁ ଏହାକୁ ରୋକିବାଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି । ଧାନଚାଷରେ ୟୁରିଆ ସାରର ଆବଶ୍ୟକତା ଥିବା ବେଳେ ଏହାର ବହୁଳ ବ୍ୟବହାର ମୂର୍ତ୍ତିକାର ମାନ ନଷ୍ଟ କରୁଥିବାରୁ ଏବେ ନାନୋ ୟୁରିଆ ବ୍ୟବହାର ସଂପର୍କରେ କେନ୍ଦ୍ର ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ସରକାର ବିଦେଶରୁ ୟୁରିଆ ସାର ଆମଦାନୀ କରୁଥିବାରୁ ଏହାର ପରିବହନ ଖର୍ଚ୍ଚ ଅଧିକ ହୋଇଥାଏ । ଚାଷୀ ମଧ୍ୟ କ୍ଷେତକୁ ସାର ନେଇ ବ୍ୟବହାର କରିବା କଷ୍ଟକର ଓ ବ୍ୟୟସାପେକ୍ଷ ହୋଇଥାଏ । ଏବେ ନାନୋ ୟୁରିଆ (ତରଳ ୟୁରିଆ) ସ୍ପ୍ରେ ମାଧ୍ୟମରେ କ୍ଷେତରେ ବ୍ୟବହାର କରିଯାଇ ପାରିବ । ଫଳରେ ମାଟିରେ ଅମ୍ଳ ବୃଦ୍ଧି ହେବାର ସମ୍ଭାବନା ରହିବ ନାହିଁ । ନାନୋ ୟୁରିଆ ବ୍ୟବହାର ଫଳରେ ଖର୍ଚ୍ଚର ପରିମାଣ କମିବା ସହିତ ଚାଷୀ ଅଧିକ ଲାଭବାନ ହୋଇପାରିବ । ୟୁରିଆ ସାର ଯୋଗାଣକାରୀ କମ୍ପାନୀ ଇଫ୍‌କୋ ପକ୍ଷରୁ ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଳକ ଅଧିନ ଆମ୍ବଳିଅଠା ଗ୍ରାମରେ ମାଟି ପରୀକ୍ଷା ଶିବିର ଓ ନାନୋ ୟୁରିଆ ସାର ବ୍ୟବହାର ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଅନୁକୂଳ ସାର ଭଣ୍ଡାର ପକ୍ଷରୁ ଏପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଇଫ୍‌କୋର ଜିଲା ଅଧିକାରୀ ସହେସ୍ ଦତ୍ତ ବିଭିନ୍ନ ଯନ୍ତ୍ରପାତି ମାଧ୍ୟମରେ ପ୍ରାୟ ୫୦ଜଣ ଚାଷୀଙ୍କ ମାଟି ମାନ ପରୀକ୍ଷା କରାଇଥିଲେ । ଏହି କାର୍ଯ୍ୟକ୍ରମରେ ପଂଚାୟତର ୧୦୦ରୁ ଉର୍ଦ୍ଧ୍ୱ ଚାଷୀ ଭାଗ ନେଇଥିବା ବେଳେ ରତିକାନ୍ତ ଜେନା ସହାୟତା କରିଥିଲେ ।

ରିପୋର୍ଟ : ଭୂପତି ପରିଡା