ଆସନ୍ତାକାଲି ବାହୁଡ଼ା ଯାତ୍ରା ଯୋଗୁଁ ପୁରୀରେ ଆଜିଠୁ ଲାଗୁ ହେବ କର୍ଫ୍ୟୁ…

ପୁରୀ (ସମୃଦ୍ଧ ଓଡ଼ିଶା) ଆସନ୍ତାକାଲି ବାହୁଡ଼ା ଯାତ୍ରା । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରସୋର ପ୍ରସ୍ତୁତି ଲାଗିଛି । ଘୋଷଯାତ୍ରା ଭଳି ଆଜି ରାତି ୮ଟାରୁ ୨୧ତାରିଖ ରାତି ୮ଟା ପର୍ଯ୍ୟନ୍ତ ପୁରୀ ସହରରେ ଜାରି ହେବ କର୍ଫ୍ୟୁ । ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ପାଇଁ ୨୦ଟି ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଛି । ନିୟମ ଖିଲାପ କରି ଅନାଧିକାର ଭାବେ ପୁରୀରେ ପ୍ରବେଶ କଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଏସପି କହିଛନ୍ତି । ରଥଯାତ୍ରା ଭଳି ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ସହ ନିର୍ଦ୍ଧାରିତ ସମୟରେ ରଥଟଣା ଶେଷ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ଏସଜେଟିଏ ପକ୍ଷରୁ ଆଜି ବାହୁଡା ପ୍ରସ୍ତୁତି ନେଇ ଏକ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏଥିରେ ଅଧ୍ୟକ୍ଷତା କରିବେ । ହୋଟେଲ, ଲଜିଂ ଆଉ ଘର ମାଲିକଙ୍କୁ ବଡଦାଣ୍ଡରେ ଓ ଛାତରେ ନ ରହିବା ପାଇଁ ପୋଲିସ ପକ୍ଷରୁ ତାଗିଦ କରାଯାଇଛି ବୋଲି ଜଣାଯାଇଛି ।