ଆରମ୍ଭ ହେଲା ବୁଷ୍ଟର ଡୋଜ ଟିକାକରଣ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜିଠାରୁ ସାରା ରାଜ୍ୟରେ ବୁଷ୍ଟର ଡୋଜ୍ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକମାନଙ୍କୁ ଟିକାକରଣ କରାଯିବା ପାଇଁ ନିର୍ଦ୍ଦେଶ ରହିଛି । ମୁଖ୍ୟତଃ ଯେଉଁମାନେ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଏହି ଟିକା ପ୍ରଦାନ କରାଯିବ । ପର୍ଯ୍ୟାୟ କ୍ରମେ ସମସ୍ତ ବର୍ଗର ବ୍ୟକ୍ତି ବିଶେଷ ମାନଙ୍କୁ ଏହି ଟିକା ପ୍ରଦାନ କରାଯିବ । ଯେଉଁ ବ୍ୟକ୍ତି ଯେଉଁ ଟିକା ନେଇଥିବା ସେହି ଟିକାର ହିଁ ବୁଷ୍ଟର ଡୋଜ ନେଇପାରିବେ । ଏହି ପରିପ୍ରେକ୍ଷୀରେ ସୋମବାର ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ ଓ ବୟସ୍କ ବ୍ୟକ୍ତି ବିଶେଷ ମାନଙ୍କୁ ଏହି ବୁଷ୍ଟର ଡୋଜ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନରେ ମୋଟ ୧୮୭ ଜଣ ଏହି ବୁଷ୍ଟର ଡୋଜ ଟିକା ନେଇଥିବା ବେଳେ ସେଥି ମଧ୍ୟରୁ ୭୫ ଜଣ ସ୍ୱାସ୍ଥ୍ୟ କର୍ମଚାରୀ, ୧୧ ଜଣ ସମ୍ମୁଖ ଯୋଦ୍ଧା ଓ ୧୦୧ ଜଣ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତି ବିଶେଷ ମାନଙ୍କୁ ଟିକା ପ୍ରଦାନ କରାଯାଇଥିବା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ମ୍ୟାନେଜର ସନ୍ତୋଷ ପଣ୍ଡା ସୂଚନା ଦେଇଛନ୍ତି । ସେହିପରି ଛତ୍ରପୁର ବ୍ଲକ କାର୍ଯ୍ୟାଳୟ୍ର ପରିସରରେ ମଧ୍ୟ ଏହି ବୁଷ୍ଟର ଡୋଜ ଟିକା ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା