ଆଜି ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା NEET…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ଆଜି ସାରା ଦେଶରେ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା NEET । ପରୀକ୍ଷା ଦେବେ ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ । ରାଜ୍ୟରେ ୩୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଯାଉଛନ୍ତି । ଏଥିପାଇଁ ୭ଟି ସହରରେ ହୋଇଛି ୮୩ଟି ପରୀକ୍ଷା କେନ୍ଦ୍ର । ଜେଇଇ ମେନ୍ ଭଳି NEET ଲାଗି ସବୁ ପରୀକ୍ଷା କେନ୍ଦ୍ରରେ କୋଭିଡ୍ ସତର୍କତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । National Testing Agency ପରୀକ୍ଷାର୍ଥୀଙ୍କୁ ମାସ୍କ ଓ ସାନିଟାଇଜର ଯୋଗାଇ ଦେଇଛି । କେନ୍ଦ୍ର ବାହାରେ ଭିତରେ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି । ପ୍ରତି ରୁମ୍‌ରେ କେବଳ ୧୨ ଜଣ ପରୀକ୍ଷାର୍ଥୀ ବସିବାକୁ ବ୍ୟବସ୍ଥା କରାଯାଇଛି । PPE କିଟ୍ ପିନ୍ଧି ପରୀକ୍ଷା ପରିଚାଳନା କରିବେ ଇନଭିଜିଲେଟର । ଛାତ୍ରଛାତ୍ରୀଙ୍କ ରହଣୀ ସ୍ଥାନରେ ମେଡିକାଲ ଟିମ୍‌ ମହଜୁଦ ରଖାଯାଇଛି । ଭୁବନେଶ୍ୱରରେ ସର୍ବାଧିକ ୩୧ଟି ପରୀକ୍ଷା କେନ୍ଦ୍ର ହୋଇଥିବାରୁ ଦୂର ଦୂରାନ୍ତରୁ ଆସୁଥିବା ପରୀକ୍ଷାର୍ଥୀଙ୍କୁ ମାଗଣା ଟ୍ରେନ୍ ସେବା ଦିଆଯାଇଥିବା ଜଣାଯାଇଛି । ସେହିଭଳି ସହରରେ ୬ଟି ରହଣୀ କେନ୍ଦ୍ରରେ ରହିବା, ଖାଇବା ସହ ଯେପରି କରୋନା ସଂକ୍ରମଣ ନ ବ୍ୟାପେ ସେଥିପାଇଁ ସବୁ ପ୍ରକାର ସତର୍କତା ଅବଲମ୍ବନ କରାଯାଇଛି । ଆଜି ଅପରାହ୍ନ ୨ଟାରୁ ଅପରାହ୍ନ ୫ଟା ଯାଏ NEET ପରୀକ୍ଷା ହେବ । ଏହାର ଅଢେଇ ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ରକୁ ପ୍ରବେଶ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।