ଆଜି ଠାରୁ ମିଳିବା ଆରମ୍ଭ ହେଲା କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ଆବେଦନ ପତ୍ର…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଠାରୁ ମିଳିବା ଆରମ୍ଭ ହେଲା କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ଆବେଦନ ପତ୍ର । ଦୀର୍ଘ ବର୍ଷର ବ୍ୟବଧାନ ପରେ ଛତ୍ରପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିଥିବା ବେଳେ ଚଳିତ ମାସ ୨୦ ତାରିଖ ତଥା ଆଜି ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଛତ୍ରପୁର କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଆବେଦନ ପତ୍ର ଅନସ୍ଲୋ ହାଇସ୍କୁଲରୁ ଲୋକେ ଗ୍ରହଣ କରିପାରିବେ ବୋଲି କୁହାଯାଇଛି । ଏଥିପାଇଁ ଆଜି ସକାଳୁ ଅନସ୍ଲୋ ହାଇସ୍କୁଲରେ ଅଭିଭାବକ ମାନେ ଧାଡିରେ ଠିଆ ହୋଇ ପ୍ରଥମ ଦିନ ୨୪୨ ଆବେଦନ ପତ୍ର ସଂଗ୍ରହ କରିଥିବା ଜଣାପଡିଛି । ପ୍ରଥମ ଶ୍ରେଣୀରୁ ୫ମ ଶ୍ରେଣୀ ନିମନ୍ତେ ଆବେଦନ ପତ୍ର ମିଳୁଛି । ପ୍ରତି ସେକ୍ସନରେ ୪୦ ପିଲା ହିସାବରେ ମୋଟ ୨୦୦ ପିଲା ପାଠ ପଢିପାରିବେ ବୋଲି ସୂଚନା ଦେଇଛନ୍ତି ଛତ୍ରପୁର କେନ୍ଦ୍ରୀୟ ବିଦ୍ୟାଳୟର ପ୍ରିନ୍ସପାଲ ରାଜେଶ କୁମାର ଗୁପ୍ତା । ଜନ୍ମ ପ୍ରମାଣ ପତ୍ର ଦେଖାଇ ଆବେଦନ ପତ୍ର ସଂଗ୍ରହ କରିହେବ । ଏହି ଆବେଦନ ପତ୍ର ସଂଗ୍ରହ ସମୟରେ ସୁରକ୍ଷିତ ରହିବା ସହ କୋଭିଡ୍ ନିୟମକୁ ମାନିବା ପାଇଁ ପ୍ରିନ୍ସପାଲ ଶ୍ରୀ ଗୁପ୍ତା ଅନୁରୋଧ କରିଛନ୍ତି । ଡିସେମ୍ବର ମାସର ପ୍ରଥମ ସପ୍ତାହ ଠାରୁ ଶିକ୍ଷାଦାନ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । କୋଭିଡକୁ ଦୃଷ୍ଟିରେ ରଖି ଅନଲାଇନ୍ ଶିକ୍ଷାଦାନ ହେବାର କାର୍ଯ୍ୟ ରହିଛି ବୋଲି ପ୍ରିନ୍ସପାଲ ଶ୍ରୀ ଗୁପ୍ତା ମଧ୍ୟ ସୂଚନା ଦେଇଛନ୍ତି । ଏହାସହ ଅନସ୍ଲୋ ହାଇସ୍କୁଲ ପରିସରରେ ଅସ୍ଥାୟୀ ଭାବେ ପାଠ୍ୟ କାର୍ଯ୍ୟକ୍ରମ ଆରମ୍ଭ ପରବର୍ତ୍ତୀ ସମୟରେ ଚ୍ୟାୟରମ୍ୟାନ ତଥା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ନିଜସ୍ୱ କୋଠାକୁ ସ୍ଥାନାନ୍ତରିତ କରାଯିବ ବୋଲି କୁହାଯାଇଛି । ଦୀର୍ଘ ବର୍ଷ ପରେ ଛତ୍ରପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିଥିବାରୁ ସ୍ଥାନୀୟ ବାସିନ୍ଦାମାନେ ଖୁସି ପ୍ରକାଶ କରିଥିବା ବେଳେ କେତେକ ସଂଗଠନ ପକ୍ଷରୁ ଆଜି ପ୍ରିନ୍ସପାଲ ଶ୍ରୀ ଗୁପ୍ତାଙ୍କୁ ସାକ୍ଷତ କରି ପୁଷ୍ପଗୁଚ୍ଛ ପ୍ରଦାନ ସହ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା