ଅର୍ଥନୀତିରେ ପିଏଚଡି ଲାଭ କଲେ ମନୋଜ…

ସମ୍ବଲପୁର (ସମୃଦ୍ଧ ଓଡିଶା) ସମ୍ବଲପୁର ବିଶ୍ୱ ବିଦ୍ୟାଳୟରୁ ଅର୍ଥନୀତିରେ ମନୋଜ କୁମାର ସାହୁ ସମ୍ମାନଜନକ ପିଏଚଡି ଡିଗ୍ରୀ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ସମ୍ବଲପୁରର ଅର୍ଥନୀତି ବିଭାଗର ସହାୟକ ପ୍ରାଧ୍ୟାପକ ଡ଼ଃ. ମୁରଲୀଧର ମାଝୀଙ୍କ ତତ୍ତ୍ୱାବଧାନରେ ”Problems and Management of Non-Performing Assets in Commercial Banks – A Study of Selected Commercial Banks in India” ସନ୍ଦର୍ଭରେ ଗବେଷଣା କରି ଡକ୍ଟରେଟ ଉପାଧି ଲାଭ କରିଛନ୍ତି । ଏହି ସନ୍ଦର୍ଭଟି ୟୁନିଭରସିଟି ଲକ୍ଷ୍ନୌ, ଉତ୍ତରପ୍ରଦେଶର ପ୍ରଫେସର ଡକ୍ଟର ମନୋଜ କୁମାର ଅଗ୍ରୱାଲ ଏବଂ ଗୁରୁ ନାନକ ଦେବ ବିଶ୍ୱ ବିଦ୍ୟାଳୟ, ଅମୃତସର, ପଞ୍ଜାବର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ପରମଜିତ କର ଧିଣ୍ଡସାଙ୍କ ଦ୍ୱାରା ପରୀକ୍ଷିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି । ଶ୍ରୀଯୁକ୍ତ ସାହୁ ଜଗତସିଂହପୁର ଜିଲ୍ଲା ପଏଦା ପଞ୍ଚାୟତ, ପଏଦା ଗ୍ରାମ ନିବାସୀ ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସକ ନିରଞ୍ଜନ ସାହୁ ଓ ଶ୍ରୀମତୀ ନିର୍ମଳା ସାହୁଙ୍କର ଜ୍ୟେଷ୍ଠ ପୁତ୍ର ଏବଂ କଟକ, ନୂଆ ବଜାର ନିବାସୀ ସରୋଜ କୁମାର ସାହୁ ଓ ଶ୍ରୀମତୀ କବିତା ସାହୁଙ୍କର ଜାମାତା ଅଟନ୍ତି । ତାଙ୍କର ଏହି ସଫଳତା ପାଇଁ ଈଶ୍ୱର, ତତ୍ତ୍ୱାବଧାରକ, ପିତାମାତା, ପତ୍ନୀ ସୋମାଲୀନା ସାହୁ, ଗୁରୁଜନ, ସହକର୍ମୀ, ବନ୍ଧୁବାନ୍ଧବ ଓ ପରିବାରର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।