ହିଞ୍ଜିଳିକାଟୁ ପୌରାଞ୍ଚଳ ଅଧ୍ୟକ୍ଷ ପଦ ଅଣସଂରକ୍ଷଣ ଘୋଷଣା ପରେ ବଢିଲା ଉତ୍କଣ୍ଠା : ଆସାୟୀଙ୍କ ପ୍ରବଳ ଭିଡ…

କାହା ଭାଗ୍ୟରେ ହିଞ୍ଜିଳିକାଟୁ ପୌର ପରିଷଦ ଅଧ୍ୟକ୍ଷ ପଦ ?

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ହିଞ୍ଜିଳିକାଟୁ ପୌର ପରିଷଦର ଅଧ୍ୟକ୍ଷ କିଏ ହେବ ଓ କାହା ମୁଣ୍ଡରେ ହାତି ସୁନା କଳସରେ ପାଣି ଢାଳିବ? ଏହି କଥା ସମସ୍ତଙ୍କ ମନରେ ଚାଲିଥିବା ବେଳେ ଏଥର ପୌରାଧ୍ୟକ୍ଷ ପଦବୀରେ ପ୍ରତ୍ୟକ୍ଷ ନିର୍ବାଚନ ହେବ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ୨୧ଗୋଟି ୱାର୍ଡକୁ ନେଇ ଗଠିତ ହିଞ୍ଜିଳିକାଟୁରେ ରାଜନୀତି ସରଗରମ ହେବାରେ ଲାଗିଛି । ସବୁଠାରୁ ବଡ଼ କଥା ହେଲା ଅଧ୍ୟକ୍ଷ ପଦ ହାସଲ କରିବାକୁ ଏବେଠାରୁ ତୁଙ୍ଗ ନେତାମାନେ ବିଭିନ୍ନ ସ୍ତରରେ ଲଢେଇ ଆରମ୍ଭ କରିଦେଇଛନ୍ତି । ଆସାୟୀ ନେତା ମାନେ ହେଉଛନ୍ତି ପୁର୍ବତନ ନଗରପାଳ ହୃଦୟାନନ୍ଦ ମହାପାତ୍ର, ପୁର୍ବତନ ନଗରପାଳ ଶିବରାମ ଗଉଡ଼, ପୁର୍ବତନ ଉପନଗରପାଳ ଓ ଗଞ୍ଜାମ ଜିଲ୍ଲା ବିଜେଡ଼ି ସମ୍ପାଦକ ପବିତ୍ର ମୋହନ ପାଣିଗ୍ରାହୀ, ଆସିକା ସାଂସଦଙ୍କ ପ୍ରତିନିଧି ନିଳମଣି ପଟ୍ଟନାୟକ, ପୌର ପରିଷଦ ବିଜେଡ଼ି ସଭାପତି ଭିମ ବେହେରା, ପୁର୍ବତନ ୱାର୍ଡ ମେମ୍ବର କିରଣ ପଟ୍ଟନାୟକ ପୁର୍ବତନ ବିଧାୟକ ହରିହର ସାହୁ ଙ୍କ ସମେତ ବହୁ ଆସାୟୀଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି । କିନ୍ତୁ ସବୁ ନିଷ୍ପତ୍ତି ହାଇକମାଣ୍ଡଙ୍କ ହାତରେ । ଗଞ୍ଜାମ ଜିଲ୍ଲାର ଦ୍ବିତୀୟ ବୃହତ୍ତମ ସହର ଭାବେ ୨୦୧୭ମସିହା ନଭେମ୍ବର ୮ତାରିଖରେ ହିଞ୍ଜିଳିକାଟୁକୁ ପୌର ପରିଷଦର ମାନ୍ୟତା ଦିଆଯାଇଥିଲା । ତେବେ ୨୦୧୮ମସିହାରେ ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ସରିଥିବା ବେଳେ ୨୦୧୩ ପୌର ନିର୍ବାଚନରେ ୨୧ଟି ୱାର୍ଡରୁ ୧୬ଟି ୱାର୍ଡରେ ବିଜେଡ଼ି, ୪ଗୋଟି ୱାର୍ଡରେ ସ୍ବାଧୀନ ପ୍ରାର୍ଥୀ ଓ ୧ଗୋଟି ୱାର୍ଡରେ କଂଗ୍ରେସ ବିଜୟୀ ହୋଇଥିଲେ ସୁଦ୍ଧା ବିଜେପି କିନ୍ତୁ ଖାତା ଖୋଲିବାକୁ ଅକ୍ଷମ ହୋଇଥିଲା । ପୂର୍ବରୁ ବିଜେଡିର ଶ୍ରୀମତୀ ଗଉରୀ ପାଣିଗ୍ରାହୀ ଅଧ୍ୟକ୍ଷ ପଦ ହାସଲ କରିଥିବା ବେଳେ ଏଥର କିନ୍ତୁ ପୌରାଧ୍ୟକ୍ଷ ନିର୍ବାଚନ ଦୀର୍ଘ ୩୦ବର୍ଷ ପରେ ସହରବାସୀ ସିଧାସଳଖ ଭୋଟ ଦେଇ ସେମାନଙ୍କ ମନପସନ୍ଦର ପ୍ରାର୍ଥୀଙ୍କୁ ଅଧ୍ୟକ୍ଷ ପଦରେ ବସାଇବେ । ୧୯୯୨ମସିହାରେ କଂଗ୍ରେସ ପ୍ରାର୍ଥୀ ହୃଦୟାନନ୍ଦ ମହାପାତ୍ର ଅଧ୍ୟକ୍ଷ ପଦବୀରେ ଅବସ୍ଥାପିତ ହୋଇଥିଲେ । ସେତେବେଳେ ହିଞ୍ଜିଳିକାଟୁ କଂଗ୍ରେସର ଗଡ ଭାବରେ ପରିଚିତ ଥିଲା । କିନ୍ତୁ ୨୦୦୦ମସିହା ଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରୁ ପ୍ରତିନିଧିତ୍ବ କରିବାପରେ ଏଠାରେ ରାଜନୈତିକ ସମୀକରଣ ବଦଳିସାରିଛି । ବିଜେଡ଼ି ୨୧ବର୍ଷ ହେଲା ଏଠାରେ ନିଜର ସ୍ଥିତି ଜାହିର କରିଆସୁଥୀବା ବେଳେ କଂଗ୍ରେସ ଓ ବିଜେପି ପୁର୍ବ ସ୍ଥିତି ଫେରିପାଇବା କୁ ସଂଘର୍ଷ କରୁଛନ୍ତି । ହିଞ୍ଜିଳିକାଟୁ ପୌର ପରିଷଦର ନାର୍ବାଚନ ରାଜ୍ୟ ରାଜନୀତିରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ବହନ କରୁଥିବାରୁ ବିଜେଡ଼ି, କଂଗ୍ରେସ, ବିଜେପି ସଂଗଠନକୁ ସୁଦୃଢ଼ କରିବାକୁ ଏବେଠାରୁ ରଣକୌଶଳ ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି ।ସେହିପରି ଗତ ସାଧାରଣ ନିର୍ବାଚନରେ ଦ୍ଵିତୀୟ ସ୍ଥାନରେ ରହିଥିବା ବିଜେପି ପୌର ପରିଷଦ ନିର୍ବାଚନ ପାଇଁ ରଣନୀତି ତିଆରି କରିବା ସହ ମଣ୍ଡଳ ସ୍ଥରରେ ବୈଠକ ଆୟୋଜନ କରୁଛି । ସେହିପରି କଂଗ୍ରେସ ଜିଲ୍ଲା ସଭାପତି ଭାବେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ଦାଇତ୍ୱ ଗ୍ରହଣ ପରେ ସହରବାସୀ ତଥା ଦଳର ଯୁବ ଓ ଛାତ୍ର ସଂଗଠନ ଶିବିରରେ ନୁଆ ଉତ୍ସାହ ଭରିଦେଇଛି । ଅନ୍ୟ ପଟେ ବିଦ୍ରୋହୀ ବିଜେଡ଼ି ଅଣ୍ଟା ଭିଡୁଛି ୨୧ଗୋଟି ୱାର୍ଡ ସହିତ ଅଧ୍ୟକ୍ଷ ପଦ ପାଇଁ ଏକ ସଂଗଠନ ପ୍ରସ୍ତୁତି ଚଳାଇଛନ୍ତି ଏହାର ମଙ୍ଗ ଧରିଛନ୍ତି ଜଣେ ସମାଜସେବୀ ।

ରିପୋର୍ଟ : ରଜତ ପଟ୍ଟନାୟକ