ସର୍ବ ଭାରତୀୟ ଅଭିଭାବକ ସଂଘ ଜୋନାଲସ୍ତରୀୟ କର୍ମଶାଳା : ପ୍ରତି ବିଦ୍ୟାଳୟରେ ଜଣେ ମନସ୍ତତ୍ଵବିତ ନିଯୁକ୍ତି ଆବଶ୍ୟକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପ୍ରତି ବିଦ୍ୟାଳୟରେ ଜଣେ ମନସ୍ତତ୍ଵବିତ ନିଯୁକ୍ତି ସହ ପ୍ରତି ବେସରକାରୀ ଶିକ୍ଷାନୁଷ୍ଠାନ ଶିକ୍ଷା ଅଧିକାର ଆଇନରେ ଅନ୍ତର୍ଭୁକ୍ତକରଣ ହେବା, ଅଭିଭାବକମାନଙ୍କର ଅଭିଯୋଗ ସବୁକୁ ଶୁଣିବା ପାଇଁ ଗୁରୁତ୍ଵ ଦେବା, ପ୍ରତି ବେସରକାରୀ ସ୍କୁଲର ଆର୍ଥିକ ବ୍ୟବସ୍ଥାର ତଦାରଖ, ଅଭିଭାବକ ତଥା ପରିଚାଳନା ବୋର୍ଡର ସଦସ୍ୟମାନଙ୍କ ଭିତରେ ଭାବର ଆଦାନ ପ୍ରଦାନ ଇତ୍ୟାଦି ସଂଖ୍ୟାଧିକ ସୁପାରିଶକୁ ଆଜି ବ୍ରହ୍ମପୁରଠାରେ ଆୟୋଜିତ ସର୍ବଭାରତୀୟ ଅଭିଭାବକ ସଂଘ ଜୋନାଲସ୍ତରୀୟ କର୍ମଶାଳାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଆଇ.ଏସ.ଆର.ଡି. ଚାଇଲ୍ଡ ଲାଇନ ନିର୍ଦେଶକ ସୁଧୀର ସାବତଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କର୍ମଶାଳାରେ ସର୍ବଭାରତୀୟ ଅଭିଭାବକ ସଂଘର ରାଜ୍ୟ ସଭାପତି ତଥା ବିଶିଷ୍ଟ ମାନବ ଅଧିକାର କର୍ମୀ ପ୍ରଦୀପ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ଵର, ସମ୍ବଲପୁର ଓ ରାଉରକେଲାରେ ଅନୁଷ୍ଠିତ ଜୋନସ୍ତରୀୟ କର୍ମଶାଳା ଗୁଡିକରୁ ଆସିଥିବା ବିଭିନ୍ନ ପ୍ରସ୍ତାବିତ ନିୟାମକ ସମ୍ପର୍କରେ ଆଲୋକପାତ କରିଥିଲେ । ନିଜର ଦୀର୍ଘ ଅଭିଭାଷଣରେ ଚବିଶିଟି ବିଷୟବସ୍ତୁ ଉପରେ ଆଲୋଚନା କରି ସ୍କୁଲମାନଙ୍କରେ ବିଦ୍ୟାଳୟ ପରିଚାଳନା ବିକାଶ କମିଟି ଗଠନକୁ ପ୍ରାଥମିକତା ଦେବା, ଅଭିଯୋଗ ଶୁଣାଣି ଓ ଅଭିଯୋଗ ସମାଧାନ ପ୍ରକ୍ରିୟାକୁ ଦୃଢ ନିଶ୍ଚିତ କରିବା, ଅଭିଭାବକ ସଂଘର ସମସ୍ତ ଦାବି ଯେପରି ପୂରଣହେବ ଏବଂ କୋଠାରି କମିଶନଙ୍କ ସୁପାରିସକୁ କାର୍ଯ୍ୟକାରି କରାଇବା ତଥା ଶିକ୍ଷା ପାଇଁ ବଜେଟରେ ରଖାଯାଊଥିବା ସମସ୍ତ ଅର୍ଥର ସଦୁପଯୋଗ ଇତ୍ୟାଦି ସମ୍ପର୍କରେ ଗୁରୁତ୍ଵଆରୋପ କରିଥିଲେ । ସର୍ବଭାରତୀୟ ଅଭିଭାବକ ସଂଘର ଗଞ୍ଜାମ ଜିଲ୍ଲା ସମ୍ପାଦକ ଲୋକନାଥ ନାୟକ ଏବଂ ବରିଷ୍ଠ ସାମ୍ବାଦିକ ବିଘ୍ଣେଶ୍ଵର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଜୋନ ସ୍ତରୀୟ ଆଗତ ପ୍ରସ୍ତାବିତ ଡ୍ରାଫ୍ଟକୁ ସମର୍ଥନ କରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବେସରକାରୀ ସ୍କୁଲ ମାନଙ୍କରେ ଭିନ୍ନ ଭିନ୍ନ ଧରଣର ଶୋଷଣ ପ୍ରକ୍ରିୟ ଚାଲୁରହିଥିବା ଏବଂ ନାମକରା ବେସରକାରୀ ବିଦ୍ୟାଳୟ ମାନଙ୍କରେ ଚାଲିଥିବା ଶୋଷଣପ୍ରକ୍ରିୟା ଏବଂ ଅଭିଭାବକ ମାନଙ୍କୁ ସେଠାରେ ଗୁରୁତ୍ଵ ଦିଆ ଯାଉନଥିବାର ପରି  ଅନେକ ଘଟଣାର ଅବତାରଣା କରାଇଥିଲେ । ଉପସ୍ଥିତ ଅବିଭାବକମାନଙ୍କ ମଧ୍ୟରୁ ଆଇନଜୀବୀ ପ୍ରଣବ କୁମାର ପଣ୍ଡା, ମନୋଜ ପାଣିଗ୍ରାହି, ବାସୁଦେବ ସାହୁକାର, ମନସ୍ତତ୍ଵବିତ କେ.ଏନ. ରାଣୀ, ଶ୍ରୀମତୀ ଆରୁଣୀ ନାୟକ, ସମାଜସେବୀ ମହେଶ୍ଵର ବରାଡ, ସନ୍ତୋଷ ପାଣିଗ୍ରାହୀ, ସବିତା ସାହୁକାର, ରାଜନୈତିକ କର୍ମୀ ଯୁଧିଷ୍ଟିର ମହାପାତ୍ର ପ୍ରମୁଖ ବିଭିନ୍ନ ଅଭିଯୋଗ ଓ  ପ୍ରସ୍ତାବ ବାଢିଥିଲେ । ଶ୍ରୀମତୀ ସ୍ନେହାମୟୀ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ଆଇ.ଏସ.ଆର.ଡି. ଚାଇଲ୍ଡ ଲାଇନ ନିର୍ଦେଶକ ସୁଧୀର ସାବତ ଜଣାଇଛନ୍ତି । 

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା