

ଛତ୍ରପୁର (ସମୃଦ୍ଧ ଓଡିଶା) କବିସୂର୍ଯ୍ୟ ବଳଦେବ ଚାଷୀ ଓ କୃଷକ ସଂଘ ପକ୍ଷରୁ ବେଗୁନିଆପଡା ଓ କବିସୂର୍ଯ୍ୟ ନଗରରୁ ପୁଞ୍ଜିକୃତ ଚାଷୀ ଧାନ କିଣିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ସୂଚନା ଯେ, ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ତୁରନ୍ତ ପଞ୍ଜିକୃତ ଚାଷୀଙ୍କ ଧାନ କିଣିବା ଦାବି ନେଇ ଧାନ ବସ୍ତା ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲି ବିକ୍ଷୋଭ ଓ ଗଣଧାରଣା ଦେଇଥିଲେ । ଏହି ଆନ୍ଦୋଳନରେ ଟୋକନ୍ ପାଇଥିବା ସମସ୍ତ ମହିଳା, ପୁରୁଷ ଚାଷୀ ମାନେ ଯୋଗଦେଇ ଜିଲ୍ଲା ପ୍ରଶାସନଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି । ବର୍ଷ ତମାମ୍ ସେମାନେ ମୁଣ୍ଡର ଝାଳ ତୁଣ୍ଡରେ ମାରି ଅମଳ କରିଥିବା ଧାନକୁ ବିକ୍ରି କଲେ ସେମାନେ ବିଭିନ୍ନ କାର୍ଯ୍ୟରେ ଲଗାଇବେ ବୋଲି ଅନାଇ ବସିଥିବା ବେଳେ ତାହା ବାସ୍ତବରେ କାର୍ଯ୍ୟକାରୀ ହୋଇପାରୁନି । ଯାହା ଫଳରେ ସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇ ଗତି କରୁଛନ୍ତି । ଏପଟେ ସୋସାଇଟି ସମ୍ପାଦକ ଓ ମିଲର୍ ମାନେ ବିଭିନ୍ନ ଆଳ ଦେଖାଇ ସେମାନଙ୍କର ଧାନ କିଣି ନାହାନ୍ତି । ଅଣ ଚାଷୀ ମାନଙ୍କର ଧାନ କିଣୁଥିଲେ ସୁଦ୍ଧା ଟାଗେଟ୍ ର ବାହାନା ଦେଖାଇ ପ୍ରକୃତ ଚାଷୀ ମାନଙ୍କର ଧାନ କିଣାଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି । ଏହାସହ ସେମାନଙ୍କ ଅମଳ କରିଥିବା ଧାନ ଗୁଡ଼ିକୁ ନ କିଣା ଗଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଚାଷୀ ମାନେ ଚେତାବନୀ ଦେଇଛନ୍ତି । ଜିଲ୍ଲାରେ ୧ଲକ୍ଷ ୩୯ହଜାର ୬୪୦ଜଣ ଚାଷୀ ପଞ୍ଜିକରଣ କରିଥିଲେ ସୁଦ୍ଧା ଆଜି ସୁଦ୍ଧା ୬୩ହଜାର ଚାଷୀଙ୍କର ଟୋକନ୍ ଥାଇ ଧାନ କିଣା ଯାଇନାହିଁ । ଫଳରେ ଧାନ ଖଳା ଓ ମଣ୍ଡିରେ ପଡ଼ି ରହି ମୁଷା, ଗାଈ ଗୋରୁ ଖାଇ ନଷ୍ଟ କରୁଛନ୍ତି । କେତେକ ଚାଷୀଙ୍କର ଟୋକନ୍ ଅବଧି ସରି ଯାଇଥିବା ବେଳେ କେତେକ ଚାଷୀଙ୍କ ଟୋକନ୍ ଆସିନାହିଁ । ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ କିଣିବା ପାଇଁ ୮ଲକ୍ଷ ମେଟ୍ରିକ୍ ଟନ୍ ଆବଶ୍ୟକ ଥିବା ବେଳେ ମାତ୍ର ୩.୭ ଲକ୍ଷ ମେଟ୍ରିକ୍ ଟନ୍ ଟାର୍ଗେଟ୍ ଆସିଛି । ଅନ୍ୟୁନ ୨ଲକ୍ଷ ମେଟ୍ରିକ୍ ଟନ୍ ଏକା ଥରକେ ଟାର୍ଗେଟ୍ ଦେଲେ ଧାନ କିଣା ଠିକ୍ ସମୟରେ ହୋଇ ପାରିବ ବୋଲି ବହୁ ଚାଷୀ ନେତା ମାନେ ଦାବି କରିଛନ୍ତି । ଗଞ୍ଜାମ ଜିଲ୍ଲା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ହୋଇଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଆବଶ୍ୟକୀୟ ଅନୁଯାୟୀ ଟାର୍ଗେଟ୍ ପ୍ରଦାନ କରିନଥିବାରୁ ବହୁ ଚାଷୀ ମାନେ ଏହାକୁ ନିନ୍ଦା କରିଥିଲେ । ଯେଉଁ ପର୍ଯ୍ୟନ୍ତ ସେମାନଙ୍କୁ ଧାନ କିଣିବା ନିମନ୍ତେ ଲିଖିତ ପ୍ରତିଶ୍ରୁତି ଦିଆଯାଇନାହିଁ ସେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ଆନ୍ଦୋଳନକାରୀମାନେ କହିଥିଲେ । ଏହି ଆନ୍ଦୋଳନରେ ପୂର୍ବତନ ସାଂସଦ ବ୍ରଜ ତ୍ରିପାଠୀ, ଋଷିକୁଲ୍ୟା ରୟତ ମହାସଭାର ମୁଖ୍ୟ ଉପଦେଷ୍ଟା ପ୍ରଫୁଲ କୁମାର ସାମନ୍ତରାୟ, ସମ୍ପାଦକ ସିମାଂଚଳ ନାହାକ, ପ୍ରଶାନ୍ତ କୁମାର ସ୍ବାଇଁ, ନବ ନିର୍ମାଣ କୃଷକ ସଂଗଠନର ଇଜୁ ଆମିନ୍ ଖାନ୍, ସିପିଆଇ ଜିଲ୍ଲା ସହ ସଂପାଦକ ନୀଳକଣ୍ଠ ଦାସ, ଦୂର୍ଯ୍ୟୋଧନ ନାହାକ, ରାଜେନ୍ଦ୍ର ନାହାକ, ବିଜୟ ମୁଦୁଲି, ଆଇନଜୀବୀ ସୁମା ଦାସ, ସିପିଆଇ (ଏମ୍ ଏଲ୍) ରେଡ୍ ଷ୍ଟାର୍ ର ଶଙ୍କର ସାହୁ, ବିଜୟ ମୁଦୁଲି, ନିରଞ୍ଜନ ସ୍ୱାଇଁଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକ୍ ର ଚାଷୀମାନେ ଯୋଗ ଦେଇଥିଲେ ।