୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୪ : ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଓଡ଼ିଶା ମଣ୍ଡପକୁ ରୌପ୍ୟ ପୁରସ୍କାର କ୍ରମାଗତ ଭାବେ ତୄତୀୟ ଥର ପାଇଁ ପ୍ରଦାନ

ନୂଆଦିଲ୍ଲୀ/ଭୁବନେଶ୍ୱର:(ସମୃଦ୍ଧଓଡିଶା)ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ‘୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୪’ରେ ‘ଓଡ଼ିଶା ମଣ୍ଡପ’କୁ ମିଳିଛି ରୌପ୍ୟ ପଦକ । ଏହି ବିଶାଳ ବାଣିଜ୍ୟ ମେଳାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ‘ଓଡ଼ିଶା ମଣ୍ଡପ’କୁ ଏହି ପୁରସ୍କାର ମିଳିଛି । ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶାର ପ୍ରମୁଖ ଆବାସିକ ଆୟୁକ୍ତ ଶ୍ରୀଯୁକ୍ତ ବିଶାଲ ଗଗନ ଓଡ଼ିଶା ସରକାରଙ୍କ ତରଫରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଙ୍ଗଠନର ଅଧ୍ୟକ୍ଷ-ତଥା-ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ ସିଂହ ଖରୋଲାଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ ସମୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ‘ଓଡ଼ିଶା ମଣ୍ଡପ’ର ନିର୍ଦ୍ଦେଶକ ଶ୍ରୀ ଅଶ୍ୱିନୀ କୁମାର ଭୋଇ, ପ୍ରଦର୍ଶନୀ ଅଧିକାରୀ ଶ୍ରୀ ଦୀପକ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ନଭେମ୍ବର ୧୪ ତାରିଖଠାରୁ ଆରମ୍ଭ ହୋଇଥିବା ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ ୨୭ ତାରିଖରେ ଶେଷ ହୋଇଛି । ଚଳିତ ବର୍ଷକୁ ମିଶାଇ ଓଡ଼ିଶା ଲଗାତାର ଭାବେ ତୃତୀୟ ଥର ପାଇଁ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ମଞ୍ଚରେ ପୁରସ୍କାର ପାଇଛି । ‘ବିକଶିତ ଭାରତ, ବିକଶିତ ଓଡ଼ିଶା’ ଥିମରେ ଚଳିତ ବର୍ଷ ‘ଓଡ଼ିଶା ମଣ୍ଡପ’ର ଡିଜାଇନ ପ୍ରସ୍ତୁତ କରାଯାଇଥିଲା । ଏଠାରେ ରାଜ୍ୟର ପ୍ରାଚୀନ କୀର୍ତ୍ତିରାଜି ସହ ଭାରତର ଆଧୁନିକ ବିଜ୍ଞାନ ଓ କାରିଗରିର ଯାତ୍ରା ପ୍ରତିଫଳିତ ହୋଇଥିଲା । ଓଡ଼ିଶାର ମନ୍ଦିର ଭାସ୍କର୍ଯ୍ୟର ମୁଖଶାଳା ମୁକ୍ତେଶ୍ୱର ତୋରଣ, କୋଣାର୍କ ମନ୍ଦିରର ପ୍ରତିରୂପ, ରତ୍ନଗିରିର ବୌଦ୍ଧ କୀର୍ତ୍ତିରାଜି ସହ ଅତ୍ୟାଧୁନିକ ବୁଲେଟ୍ ଟ୍ରେନ ଓ ଶିଳ୍ପ ପ୍ରଗତିର ଚିତ୍ର ଓଡ଼ିଶା ମଣ୍ଡପକୁ ଅଧିକ ଆକର୍ଷଣୀୟ କରିଥିଲା। ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତତ୍ତ୍ୱାବଧାନରେ ପ୍ରସ୍ତୁତ ଓଡ଼ିଶା ପାଭିଲିୟନରେ ଚଳିତ ବର୍ଷ ବିଭିନ୍ନ ବିଭାଗ ପକ୍ଷରୁ ମୋଟ ୨୫ଟି ଷ୍ଟଲ୍ ସ୍ଥାନ ପାଇଥିଲା । ବିଗତ ୧୪ ଦିନ ମଧ୍ୟରେ ଓଡ଼ିଶା ମଣ୍ଡପକୁ ପ୍ରାୟ ୫ ଲକ୍ଷରୁ ଅଧିକ ଲୋକ ଆସିଥିବା ବେଳେ ମଣ୍ଡପରେ ୫୫ ଲକ୍ଷରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିଲା । ଓଡ଼ିଶାର କାରିଗର ମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଓ ଉତ୍ପାଦ ପ୍ରତି ଦେଶବିଦେଶର ବହୁସଂଖ୍ୟକ ବ୍ୟବସାୟୀ ଆକୄଷ୍ଟ ହୋଇ ସେମାନଙ୍କ ସହିତ ବ୍ୟବସାୟୀକ ବାର୍ତ୍ତାଳାପ କରିଥିଲେ ।

ରିପୋର୍ଟ : ରଜତ ମହାପାତ୍ର ଓ ହର ପ୍ରସାଦ ମହାପାତ୍ର, ସହକାରୀ ସୂଚନା ଅଧିକାରୀ

Leave a Reply

Your email address will not be published. Required fields are marked *