![IMAGE_1715063711-1](https://i0.wp.com/www.samrudhaodisha.com/wp-content/uploads/2024/05/IMAGE_1715063711-1.jpg?fit=938%2C527&ssl=1)
![](https://i0.wp.com/www.samrudhaodisha.com/wp-content/uploads/2024/05/IMAGE_1715063711.jpg?resize=640%2C360&ssl=1)
ଭୁବନେଶ୍ୱର(ସମୃଦ୍ଧଓଡିଶା) ବ୍ରହ୍ମପୁରରେ ବିଜେପିର ସାଧାରଣ ସଭାରେ ପ୍ରଧାନ ମନ୍ତ୍ରୀ ମୋଦୀ ଦୃଢୋକ୍ତି ଦେବା ପରେ ପରେ ଆସନ୍ତା ୧୦ ତାରିଖରୁ ରାଜ୍ୟରେ ବିଜେପି ଶାସନ ଆରମ୍ଭ ହେବ ବୋଲି କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀ ଶ୍ରୀ ବୈଜୟନ୍ତ ପଣ୍ଡା ଦୋହରାଇଛନ୍ତି। ବିଜେଡି ମୁଖିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ବିଜେପି ସବୁବେଳେ ସପନ ଦେଖୁଛି । ତେବେ ବୈଜୟନ୍ତ କହିଛନ୍ତି ଯେ ଓଡିଶା ପ୍ରଗତିର ପଛରେ ପଡ଼ିଛି । ପୃଥିବୀ ସାରା ବିଭିନ୍ନ ଦେଶ ଭାରତର ସାହାଯ୍ୟ ଲୋଡୁଛନ୍ତି, ହେଲେ ଭାରତର ପ୍ରଗତି ସତ୍ତ୍ୱେ ଓଡ଼ିଶା ବେଶ୍ ପଛରେ ପଡ଼ିଯାଇଛି। ଓଡ଼ିଶା ବହୁତ ଆଗକୁ ଯାଇପାରିଥା’ନ୍ତା, କିନ୍ତୁ ତାହା ହୋଇପାରିନି। ଏଥର ରାଜ୍ୟ ବିଜେପି ଯେଉଁ ସଂକଳ୍ପ ପତ୍ର ଦେଇଛି ତା’ଦ୍ୱାରା ଓଡ଼ିଶାର ବିକାଶ ନିଶ୍ଚିତ ବୋଲି ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ବୈଜୟନ୍ତ କହିଛନ୍ତି, ଖୁବ୍ ଶୀଘ୍ର ବିଜେଡି ସରକାର ଏକ୍ସପାରୀ ହେବ। ଏହାପରେ ଜୁନ୍ ୧୦ ତାରିଖରେ ମୋଦି ମଡେଲ ସରକାର ଓଡ଼ିଶାର ଶାସନ ଭାର ସମ୍ଭାଳିବ। ସେବେଠୁ ରାଜ୍ୟରେ ବିଜେପି ଶାସନ ଆରମ୍ଭ ହେବ ଓ ବିଜେଡି ଶାସନର ଅନ୍ତ ହେବ । ଓଡ଼ିଶାରେ ଓଡ଼ିଆଙ୍କ ଦ୍ୱାରା ସୁଶାସନ ନେଇ ମୋଦି ଗ୍ୟାରେଣ୍ଟି ଦେଇଛନ୍ତି । ବିଜେପି ସଂକଳ୍ପ ପତ୍ରର ୫ଟି ମୁଖ୍ୟ ବିନ୍ଦୁର ଅବତାରଣା କରି ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ କହିଛନ୍ତି, ଏଠିକା ଶାସକ ଦଳ ୧୭ ବର୍ଷ ତଳେ ୩୩% ଜଳସେଚନ କଥା କହିଥିଲେ, ହେଲେ ତାହା ଏଯାଏଁ ହେଲାନି। ବିଜେପି ସରକାର ଆସିଲେ, ୨୦୨୯ ସୁଦ୍ଧା ୩ ଗୁଣା ଅଧିକ ଜମିକୁ ଜଳସେଚନ କରାଯିବ ଓ ୩୧ଶହ ଟଙ୍କାରେ ଧାନ କିଣାଯିବ। ୪୮ ଘଣ୍ଟାରେ ଚାଷୀଙ୍କୁ ଡିବିଟି ଜରିଆରେ ପ୍ରାପ୍ୟ ପ୍ରଦାନ ସହ ଅଣଉତ୍ପାଦନ ସମୟରେ ମତ୍ସ୍ୟଜୀବୀକୁ ୧୦ ହଜାର ଟଙ୍କା ସହାୟତା ମିଳିବ। ଓଡ଼ିଶା ଧନୀ, କିନ୍ତୁ ଏହାର ଜନସାଧାରଣ ଗରିବ । ନିଜ ଅଞ୍ଚଳରେ କାମ ନ ପାଇ ଦେଶର ବିଭିନ୍ନ ଅଞ୍ଚଳକୁ ତଥା ଦେଶ ବାହାରକୁ ଦାଦନ ଖଟିବାକୁ ଯାଇ ବହୁ ହଇରାଣ ହେଉଛନ୍ତି। ଏବେବି ଓଡ଼ିଶାରେ ବହୁ ସଂଖ୍ୟାରେ ପଦବୀ ଖାଲିପଡ଼ିଥିବା ବେଳେ ନିଯୁକ୍ତି ଦିଆଯାଉନି । ବିଜେପି ସରକାର ଆସିଲେ, ପ୍ରଥମ ୨ ବର୍ଷରେ ୬୫ ହଜାର ସହ ଆଗାମୀ ଦିନରେ ଦେଢ଼ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯିବ। ନିଯୁକ୍ତିରେ ଓବିସି ଏବଂ ପଛୁଆ ବର୍ଗଙ୍କୁ ପ୍ରାଧାନ୍ୟ ମିଳିବ ବୋଲି କହିଛନ୍ତି ବୈଜୟନ୍ତ । ସେ କହିଛନ୍ତି, ଓଡ଼ିଶାରେ ୭୫ ହଜାର କିଲୋମିଟର ରାସ୍ତା ନିର୍ମାଣ ହେବ, ଭିତ୍ତିଭୂମିର ବିକାଶ ହେଲେ ଶିଳ୍ପ ଆସିବା ସହଜ ହୋଇଯିବ। ସମ୍ବଲପୁର, ରାଉରକେଲା, ଧାମରା ଓ ପାରାଦୀପକୁ ନେଇ ଶିଳ୍ପ କରିଡର ହେବ। କେନ୍ଦ୍ରାପଡ଼ାରେ ବିଜେପି ବହୁମତ ପାଇବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବୈଜୟନ୍ତ ପଣ୍ଡା । ସେ କହିଛନ୍ତି, ସାରା ଓଡ଼ିଶାରେ ମୋଦି ଲହର ଚାଲିଛି, କେନ୍ଦ୍ରାପଡ଼ାରେ ପ୍ରବଳ ଚାଲିଛି । ଦୈନିକ ଶହ ଶହ କର୍ମୀ ଅନ୍ୟ ଦଳରୁ ଆସି ବିଜେପିରେ ମିଶୁଛନ୍ତି। ବିଜେଡିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ବିଜେପିରେ ସାମିଲ ହୋଇଛନ୍ତି। କେନ୍ଦ୍ରାପଡ଼ାରେ ନିଶ୍ଚିତ ଜିତି ମୋଦିଙ୍କ ୪ଶହ ପାର୍ ନାରାର ଅଂଶବିଶେଷ ହେବୁ। ସମସ୍ତ ୭ ବିଧାନସଭାରେ ବହୁମତ ପାଇ ଓଡ଼ିଶା ସୁଶାସନରେ ସାମିଲ ହେବୁ।
ରିପୋର୍ଟ : ରଜତ ମହାପାତ୍ର