ଅମଲାମଞ୍ଚର ୭ମ ଦିନର ଲଢେଇ : କମ୍ପୁଛି ଧାରଣା ସ୍ଥଳ

ଛତ୍ରପୁର(ସମୃଦ୍ଧ ଓଡିଶା)ଗ୍ରେଡ୍ ପେ ବୃଦ୍ଧି ଦାବିରେ ଆଜିକୁ ୭ ଦିନ ହେଲା ସମୁହ ଛୁଟିରେ ରାଜ୍ୟ ଅମଲା ମଞ୍ଚ ଧାରଣାରେ ବସିଥିଲେ ସୁଦ୍ଧା ତାଙ୍କ ପ୍ରତି ସରକାର ଏ ଯାଏଁ କର୍ଣପତ କରୁ ନ ଥିବା ଦେଖିବାକୁ ମିଳିଛି I ସରକାରୀ କାର୍ଯ୍ୟାଳୟ ଖାଁ ଖାଁ ଲାଗୁଛି I ଦୀର୍ଘ ଦିନର ଗ୍ରେଡ୍ ପେ ବୃଦ୍ଧି ଦାବିରେ ସେମାନେ ରାଜ୍ୟର ସମସ୍ତ ଜିଲ୍ଲାର ଅମଲା ସମୁହ ଛୁଟିରେ ଯିବା ପରେ ସରକାରୀ ଦପ୍ତରରେ ଶୂନଶାନ୍ ସ୍ଥିତି ହୋଇଯାଇଛି । ବ୍ରହ୍ମପୁର, ଭଞ୍ଜନଗର ଓ ଛତ୍ରପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବା ପାଇଁ ମିଳିଛି । ଏଠି ଅନ୍ୟ ଦିନ ଭଳି ବିଭିନ୍ନ କାର୍ଯ୍ୟ ଲାଗି ଅଫିସକୁ ଆସି ନିରାଶ ହୋଇଛନ୍ତି ସାଧାରଣ ଲୋକେ। ଅମଲାଙ୍କ ଅନୁପସ୍ଥିତି ପାଇଁ ଖାଲି ହାତରେ ଫେରିବାକୁ ପଡ଼ିଛି । ଅଫିସରେ ଥିବା ଅଫିସର ମାନେ କ୍ଲାର୍କ ନାହାନ୍ତି କହି ଲୋକଙ୍କୁ ପଠେଇ ଦେଉଛନ୍ତି | ସେହିପରି ଛତ୍ରପୁର, ଗଂଜାମ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ସମାନ ଦୃଶ୍ୟ ଦେଖିବା ପାଇଁ ମିଳିଛି । ଏଠି ବି ଫାଇଲ ଓ ଟେବୁଲ ଛାଡ଼ି ସମୁହ ଆନ୍ଦୋଳନରେ କର୍ମଚାରୀ। ଏପଟେ ସରକାରୀ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍। ରାଜ୍ୟ ଅମଲା ମଞ୍ଚର ଦାବି ଯେ, ୨୦୧୭ ପରେ ଅମଲାଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଓ କମ୍ପ୍ୟୁଟର ଶିକ୍ଷାକୁ ବାଧ୍ୟତାମୂଳକ କରିଛନ୍ତି ସରକାର । ହେଲେ ସେହି ଅନୁସାରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଅମଲାମାନଙ୍କର ଗ୍ରେଡ୍ ପେ ବୃଦ୍ଧି କରାଯାଇନି । ସେମାନେ ପୂର୍ବରୁ ପାଉଥିବା ୧୯୦୦ ଗ୍ରେଡ୍ ପେ, ଏବେ ବି ବଳବତ୍ତର ରହିଛି।ତେବେ ସମାନ କାମକୁ ସମାନ ଦରମା ନୀତିର ଏହା ଉଲ୍ଲଂଘନ କରୁଥିବା ସେମାନେ ଗ୍ରେଡ୍ ପେ ୪୨୦୦ ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରି ଆସୁଛନ୍ତି। ଏଥିପାଇଁ ଗତ ମେ ପହିଲାରୁ ଗୋଟିଏ ମାସ ପାଇଁ ସରକାରଙ୍କୁ ଅଲଟିମେଟମ୍ ଦେଇଥିଲା ଅମଲା ସଂଘ। ସେହିଭଳି ମେ ୨୨ରୁ ୩୧ ତାରିଖ ଯାଏଁ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ ଜଣାଇବା ସହ ଜୁନ ପହିଲାରୁ ଅନିର୍ଦ୍ଦିଷ୍ଟ ଦିନ ପାଇଁ ସମୁହ ଛୁଟିରେ ଯିବାକୁ ଚେତାବନୀ ଦେଇଥିଲା। ତା ଭିତରେ ସରକାର ସେମାନଙ୍କ ଦାବି ପୂରଣ ପାଇଁ କୌଣସି ପଦକ୍ଷେପ ନ ନେବାରୁ ସେମାନେ ସିଟ୍ ଛାଡ଼ି ଅନିର୍ଦ୍ଧିଷ୍ଟ ଆନ୍ଦୋଳନକୁ ଓହ୍ଲାଇଛି ଅମଲା ମଞ୍ଚ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା

%d bloggers like this: