ୱେସ୍କୋର ବିଚିତ୍ର ନୀତି : ଅଗଷ୍ଟ ୧୫ରେ ଧାରଣା ଦେବେ ବିପିଏଲ ହିତାଧିକାରୀ…

ପଦ୍ମପୁର (ସମୃଦ୍ଧ ଓଡିଶା) ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ ମିଠାପାଲ ଗ୍ରାମ ପଞ୍ଚାୟତର ଡୁଙ୍ଗୁରୀପାଲି ଗ୍ରାମର ୨୬ଟି ବିପିଏଲ ହିତାଧିକାରୀ ପରିବାର ଅଗଷ୍ଟ ୧୫ତାରିଖ ଦିନ ପାଇକମାଲ ସ୍ଥିତ ୱେସକୋ ଏସଡିଓଙ୍କ ଅଫିସ୍ ସାମନାରେ ଧାରଣା ଦେବେ ପାଇଁ ପାଇକମାଲ ଥାନାକୁ ଆଜି ଲିଖିତ ଜଣାଇଛନ୍ତି । କେନ୍ଦ୍ର ସରକାରଙ୍କ ଦିନ ଦୟାଳ ଉପାଧାୟ ଯୋଜନାରେ ଗତ ପ୍ରାୟ ୨ ବର୍ଷ ତଳେ ଡୁଙ୍ଗୁରୀପାଲିର ଏହି ୨୬ଟି ପରିବାରକୁ ବିଦ୍ୟୁତ ସଂଯୋଗ କରାଯାଇଥିଲା । ୨ ବର୍ଷ ଭିତରେ ୱେସକୋ କୌଣସି ପ୍ରକାର ବିଦ୍ୟୁତ ବିଲ୍ ଦେଇ ନ ଥିବା ବେଳେ ୱେସକେ କର୍ମଚାରୀ ମାନେ ବିନା ରସିଦରେ ପ୍ରତି ମାସରେ ହିତାଧିକାରୀମାନଙ୍କ ଠାରୁ ଘର ପ୍ରତି ଟଙ୍କା ଅଶୁଳି କରି ନେଉଥିଲେ । ହଠାତ୍ ଗତ ତା ୬ / ୮ ରିଖ ଦିନ ୱେସକେ କର୍ମଚାରୀମାନେ କୌଣସି ପ୍ରକାରର ସୂଚନା ନ ଦେଇ ଡୁଙ୍ଗୁରୀପାଲି ଗ୍ରାମର ଏହି ୨୬ଟି ବିପିଏଲ ହିତାଧିକାରୀମାନଙ୍କ ଲାଇନ୍ କାଟି ଦେଲେ । ହିତାଧିକାରୀମାନେ ପାଇକମାଲ ୱେସକୋ ଏସଡିଓ ପୁରନ୍ଦର ସାହୁଙ୍କୁ ଜଣାଇବା ପରେ ୫ ହଜାର ଟଙ୍କା ଓ ପରେ ପ୍ରତି ପରିବାର ୧ ହଜାର ଟଙ୍କା ଦେଲେ ଲାଇନ୍ ସଂଯୋଗ ହେବ ବୋଲି କହିଲେ । ଏହି ୨୬ଟି ପରିବାର ଦିନ ମଜୁରୀଆ, ଆଦିବାସୀ, ଦଳିତ ହୋଇଥିବା ବେଳେ ଏବେ କରୋନା ମହାମାରୀ ସମୟରେ କେବଳ ସରକାରଙ୍କ ରାସନ ଚାଉଳ ଉପରେ ନିର୍ଭର କରି ଏମାନେ ପରିବାର ପରିପୋଷଣ କରୁଛନ୍ତି । ଅନେକ ଧନୀ ଲୋକମାନଙ୍କ ଉପରେ ଲକ୍ଷ ଲକ୍ଷ ଟଙ୍କା ବିଦ୍ୟୁତ ଦେୟ ବାକିଥିବା ବେଳେ ଗରିବ ଦିନ ମଜୁରୀଆଙ୍କ ଉପରେ ୱେସକୋ ଦାଦାଗିରି କରି ବିଦ୍ୟୁତ ସଂଯୋଗ କାଟିଥିବା ନେଇ ଅଭିଯୋଗ କରିବା ସହ ଏହି ଘଟଣାକୁ ବୁଦ୍ଧିଜିବୀ ମହଲରେ ନିନ୍ଦା କରାଯାଉଛି ବୋଲି କୁହାଯାଇଛି । ୱେସକୋର ଏହି ଅମାନନୀୟ ପଦକ୍ଷେପ ବିରୁଦ୍ଧରେ ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ସ୍ୱାଧୀନତା ଦିବସ ପାଳନ ନ କରି ଏହି ୨୬ଟି ପରିବାର ୫୦ଜଣ ସଦସ୍ୟ ପାଇକମାଲ ୱେସକୋ ଏସଡିଓଙ୍କ ଅଫିସ୍ ସାମନାରେ କୋଭିଡ ନିୟମକୁ ମାନି ଧାରଣା ଦେବା ପାଇଁ ପାଇକମାଲ ଥାନା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଏହାସହ ଶ୍ରୀମତୀ ଚନ୍ଦ୍ରକାନ୍ତି ମନିହର, ରାଏମତି ବିନାଟ, ଦୌପତୀ ଧରୁଆ, ପିଣ୍ଟୁ ମହାନନ୍ଦ, ବିରଜା ମନିହର ଆଦି ଥାନା, ତହସିଲଦାର ଆଦିଙ୍କୁ ଲିଖିତ ଭାବେ ଜଣାଇଥିବା ଜଣାଇଛନ୍ତି ।

ରିପୋର୍ଟ – ନିରୋଜ କୁମାର ପାଣୀ